ଜୟପୁର,୨୯/୧୨: ଆରାବଳୀ ପର୍ବତମାଳାକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସୋମବାର ସୁପ୍ରିମକୋର୍ଟରେ ଏହାର ଶୁଣାଣି ହେବ । ଭୂମିରୁ ୧୦୦ ମିଟର ବା ତଦୂଦ୍ଧ୍ୱର୍ ଉଚ୍ଚତା ବିଶିଷ୍ଟ ପାହାଡ଼କୁ ହିଁ ଆରାବଳୀ ବିବେଚନା କରାଯିବା ସଂକ୍ରାନ୍ତ ପରିଭାଷାକୁ ବିରୋଧ ହେଉଛି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ନିଜ ଆଡ଼ୁ ସଂଜ୍ଞାନ ନେଇ ଶୁଣାଣି କରିବେ ବୋଲି କହିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅବକାଶକାଳୀନ ଖଣ୍ଡପୀଠ ସୋମବାର ଏହାର ଶୁଣାଣି କରିବେ । ଖଣ୍ଡପୀଠରେ ବିଚାରପତି ଜେ କେ ମାହେଶ୍ୱରୀ ଓ ଅଗଷ୍ଟିନ୍ ଜର୍ଜ ମସିହ ମଧ୍ୟ ଅନ୍ତର୍ଭୁକ୍ତ ।
ସିଜେଆଇଙ୍କ ଖଣ୍ଡପୀଠରେ ଏହି ମାମଲା ପଞ୍ଚମ ନମ୍ବରରେ ତାଲିକାଭୁକ୍ତ ହୋଇଛି । ସମସ୍ତଙ୍କ ନଜର ଏହା ଉପରେ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନୂଆ ନିର୍ଦ୍ଦେଶ ଜାରି କରିବା ନେଇ ଚର୍ଚ୍ଚା ହେଉଛି । ସୁପ୍ରିମକୋର୍ଟ ଚଳିତବର୍ଷ ନଭେମ୍ବର ୨୦ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କମିଟିର ସୁପାରିସକୁ ସ୍ୱୀକାର କରିଥିଲେ, ଯେଉଁଥିରେ ୧୦୦ ମିଟର ବା ତାହାଠାରୁ ଅଧିକ ଉଚ୍ଚତାର ପାହାଡ଼ଗୁଡ଼ିକୁ ଆରାବଳୀର ମାନ୍ୟତା ଦେବାକୁ କୁହାଯାଇଥିଲା । ନୂଆ ନିଷ୍ପତ୍ତି ପରେ ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ-ଏନ୍ସିଆର୍ରେ ବିରୋଧ ପ୍ରଦର୍ଶନ ହେଉଛି । ପରିବେଶ କାର୍ଯ୍ୟକର୍ତ୍ତା ଏହାକୁ ବିପର୍ଯ୍ୟୟ ଦର୍ଶାଉଛନ୍ତି । ସେମାନଙ୍କ ମତ ଯେ ଆରାବଳୀରେ ୧୦୦ ମିଟରରୁ କମ୍ ଉଚ୍ଚତାର ଛୋଟ ପାହାଡ଼ରେ ଖନନ ପାଇଁ ମଞ୍ଜୁରି ମିଳିଲେ, ସମ୍ପୂର୍ଣ୍ଣ ପର୍ବତମାଳାର ଅସ୍ତିତ୍ୱ ଉପରେ ବିପଦ ସୃଷ୍ଟି ହେବ ।
ଉଲ୍ଲେଖଯୋଗ୍ୟ, ହରିୟାଣା, ଦିଲ୍ଲୀ, ରାଜସ୍ଥାନରୁ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପିଥିବା ସମ୍ପୂର୍ଣ୍ଣ ଆରାବଳୀ କ୍ଷେତ୍ରରେ ଏଣିକି ଆଉ ନୂଆ ଖନନ କାର୍ଯ୍ୟ ହେବ ନାହିଁ ବୋଲି ଗତ ୨୪ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆରାବଳୀର ନୂଆ ପରିଭାଷାକୁ ନେଇ ବିବାଦ, ସମାଲୋଚନା ଏବଂ ବିରୋଧ ଭିତରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ ।