ନୂଆଦିଲ୍ଲୀ,୦୨ /୦୭: ଦୀର୍ଘ ଜୀବନ ଅର୍ଥାତ୍‌ ସୁସ୍ଥ ଜୀବନ । ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବାବସ୍ଥା ଭଳି ଉର୍ଜ୍ଜା ଓ ସକ୍ରିୟତା ବଜାୟ ରହୁ, ଏହା ଚିର ଯୌବନର ଅଭିଳାଷ । ଚିର ଯୌବନର ଅଭିଳାଷ ଉପରେ ଏବେ ବିଜ୍ଞାନ ମଧ୍ୟ ଗମ୍ଭୀର ଭାବେ କାମ କରୁଛି । ବିଜ୍ଞାନରେ ଏହି ପ୍ରୋଜେକ୍ଟର ନାଁ ‘ଆଣ୍ଟିଏଜିଙ୍ଗ୍‌’ । ଏଜିଙ୍ଗ୍‌ର ଅର୍ଥ ବୟସ ବଢ଼ିବାର ପ୍ରକ୍ରିୟା ଏବଂ ଆଣ୍ଟି ଏଜିଙ୍ଗ୍‌ର ଅର୍ଥ ବୟସ ବୃଦ୍ଧି ପ୍ରକ୍ରିୟାକୁ ଧିମା କରିବା । ଆଣ୍ଟି-ଏଜିଙ୍ଗ୍‌ ସେହି ପ୍ରକ୍ରିୟା, ଯାହାର ଉଦ୍ଦେଶ୍ୟ ବୟସ ବଢ଼ିବାର ଗତିକୁ ଧିମା କରିବା ବା ରୋକିବା । ଏହି ପ୍ରକ୍ରିୟାରେ ବୟସ ବଢ଼ିବା କାରଣରୁ ସାମ୍ନାକୁ ଆସୁଥିବା ଶାରୀରିକ, ମାନସିକ ଓ ତ୍ୱଚା ସମ୍ବନ୍ଧୀୟ ପରିବର୍ତ୍ତନଗୁଡ଼ିକୁ କମ୍‌ କରିବାକୁ ଚେଷ୍ଟା କରାଯାଏ । ଆଣ୍ଟି-ଏଜିଙ୍ଗ୍‌ ଶାରୀରିକ-ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ଏବଂ ଚିର ଯୌବନର ଅଭିଳାଷ ପୂରଣ କରିବାର ଏକ ପ୍ରୟାସ । ଏହା ଜୈବ ପ୍ରାଦ୍ୟୋଗିକୀ, ଜେନେଟିକ୍‌ ଇଞ୍ଜିନିୟରିଙ୍ଗ୍‌ ଓ ଜୀବନଶୈଳୀ ପ୍ରବନ୍ଧନର ମିଶ୍ରଣ, ଯାହା ମୃତ୍ୟୁକୁ ଟେକ୍ନିକାଲ ଚାଲେଞ୍ଜ୍‌ ଦେବା ସଦୃଶ । 

ଗୁଗଲ୍‌ର ଏକ ପ୍ରୋଜେକ୍ଟ ବୟସ ବୃଦ୍ଧି ପ୍ରକ୍ରିୟାକୁ ପ୍ରକୃତିର ଅନ୍ୟତମ ସବୁଠୁ ବଡ଼ ରହସ୍ୟ ବୋଲି କହୁଛି ଏବଂ ଏହି ପ୍ରୋଜେକ୍ଟ ଉପରେ ଅରବ ଡଲାର ନିବେଶ କରୁଛି । କାଲିକୋ ଲାବ୍‌ସ ନାମକ କମ୍ପାନି ଏହି ପ୍ରୋଜେକ୍ଟ ଉପରେ କାମ କରୁଛି । କାଲିକୋ ଲାବ୍ସ ଗୁଗଲ୍‌ର ଏକ ସହାୟକ ସଂସ୍ଥା । ଆଣ୍ଟି-ଏଜିଙ୍ଗ୍‌ ଉପରେ କାଲିକୋ ଲାବ୍ସର କାମ ବୁଝିବା ପୂର୍ବରୁ ‘କାଣ୍ଟା ଲଗା’ ଗର୍ଲ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ସହ ଜଡ଼ିତ ମାମଲାକୁ ବୁଝିବା ଆବଶ୍ୟକ । ମାତ୍ର ଗୋଟିଏ ଭିଡିଓ ଆଲ୍‌ବମରୁ ଲୋକପ୍ରିୟତାର ଶିଖରରେ ପହଞ୍ଚିଥିବା ଅଭିନେତ୍ରୀ ଶେଫାଲିଙ୍କ ମୃତ୍ୟୁ ଖବର ଦେଶବାସୀଙ୍କୁ ଚକିତ କରିଛି । ଏହା ସହ ସଂଶ୍ଳିଷ୍ଟ ଖବର ଅନୁସାରେ, ଶେଫାଲି ଆଣ୍ଟି-ଏଜିଙ୍ଗ୍‌ ଉତ୍ପାଦ ବ୍ୟବହାର କରୁଥିଲେ । ଧାର୍ମିକ କାର୍ଯ୍ୟ ଯୋଗୁ ଉପବାସ ରହିବା ସମୟରେ ମଧ୍ୟ ସେ ଆଣ୍ଟି-ଏଜିଙ୍ଗ୍‌ ଔଷଧ ଖାଉଥିଲେ । ଏଥିସହ ସେ ଗ୍ଲୁଟାଥିୱାନ୍‌ ଇଞ୍ଜେକ୍ସନ୍‌ ନେଇଥିଲେ । ଗ୍ଲୁଟାଥିୱାନ୍‌କୁ ତ୍ୱଚାକୁ ଦମ୍‌ଦାର କରୁଥିବା ଡିଟକ୍ସିଫାଇଙ୍ଗ୍‌ ତତ୍ତ୍ୱ ରୂପେ ବିକ୍ରି କରାଯାଏ । ତେବେ ଏହି ତତ୍ତ୍ୱ ଶରୀରରେ ପ୍ରାକୃତିକ ରୂପେ ସୃଷ୍ଟି ହୁଏ । କିନ୍ତୁ ଯୁବା ଦିଶିବାର ପାଗଳାମି ଯୋଗୁ ଅନେକ ଗ୍ଲୁଟାଥିୱାନ୍‌ର ହାଇ ଡୋଜ୍‌ଯୁକ୍ତ ଇଞ୍ଜେକ୍ସନ୍‌ ନିଅନ୍ତି । ତାହା ପୁଣି ଡାକ୍ତରଙ୍କ ପରାମର୍ଶ ବିନା । ଏଭଳି ସ୍ଥିତିରେ ଏହି ଔଷଧ ପ୍ରାଣଘାତକ ହୋଇପାରେ । 

ରିପୋର୍ଟ ଅନୁସାରେ, ଶେଫାଲି ଜରିୱାଲା ଚମକପ୍ରଦ ତ୍ୱଚା ପାଇଁ ମଲ୍ଟିଭିଟାମିନ୍‌ ଓ କୋଲାଜେନ୍‌ ସପ୍ଲିମେଣ୍ଟ୍‌ ସେବନ କରୁଥିଲେ । ତାଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ଏବେ ସାମ୍ନାକୁ ଆସିନାହିଁ । କିନ୍ତୁ ସେ ଆଣ୍ଟି-ଏଜିଙ୍ଗ୍‌ ଔଷଧ ଖାଉଥିଲେ, ଏହା ସ୍ପଷ୍ଟ ହୋଇଛି । କାଲିକୋ (କାଲିକୋ ଲାଇଫ୍‌ ସାେଇନ୍ସେଜ୍‌ ଏଲ୍‌ଏଲ୍‌ସି) ଏକ ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନି, ଯାହା ବୟସ ବୃଦ୍ଧିର ଜୀବବିଜ୍ଞାନ ଉପରେ କାମ କରେ । ଏଥିପାଇଁ କମ୍ପାନି ଅତ୍ୟାଧୁନିକ ଟେକ୍ନୋଲୋଜି ଓ ମଡେଲ ସିଷ୍ଟମ୍‌ର ଉପଯୋଗ କରୁଛି । କାଲିକୋରେ ୨୦୧୪ରୁ ଅଦ୍ୟାବଧି ୩.୫ ବିଲିଅନ୍‌ ଡଲାରରୁ ଅଧିକ ନିବେଶ ହୋଇଛି । କମ୍ପାନିରେ ଗୁଗଲ୍‌ ଓ ଅବ୍ୱଭି ୧.୫ ବିଲିଅନ୍‌ ଡଲାର ୨୦୧୪ରେ, ୧ ବିଲିଅନ୍‌ ଡଲାର ୨୦୧୮ରେ ଏବଂ ୧ ବିଲିଅନ୍‌ ଡଲାର ୨୦୨୧ରେ ନିବେଶ କରିଛି । 

କମ୍ପାନି ଅନୁସାରେ, ଏହା ବର୍ତ୍ତମାନ ସମୟର ସବୁଠୁ ଆହ୍ୱାନଭରା ଜୈବିକ ପ୍ରଶ୍ନର ଉତ୍ତର ଦେବା କ୍ଷେତ୍ରରେ କାମ କରୁଛି । ତାହା ହେଉଛି- ମଣିଷ କେମିତି ବୁଢ଼ା ହେଉଛି ଏବଂ ଲୋକଙ୍କୁ ସୁସ୍ଥ ଜୀବନ ନିର୍ବାହରେ ସକ୍ଷମ କରିବା ପାଇଁ ବିକଳ୍ପର ବିକାଶ କେମିତି କରିବା? ଏହି ପ୍ରକ୍ରିୟାକୁ ସମ୍ଭବ କରିବା ପାଇଁ କାଲିକୋ ଲାବ୍ସ ଷ୍ଟେମ୍‌ ସେଲ୍‌ ରିସର୍ଚ୍ଚ, ଜିନ୍‌ ଏଡିଟିଙ୍ଗ୍‌ (ଯଥା ସିଆର୍‌ଆଇଏସ୍‌ପିଆର୍‌)ରେ ଅନୁସନ୍ଧାନ ଓ ନିବେଶ କରୁଛି । କାଲିକୋ ଲାବ୍ସର କାମ ହେଉଛି ବୟସ ସହିତ ହେଉଥିବା କୋଷିକାଗୁଡ଼ିକର କ୍ଷତି, ମାଂସପେଶୀ କ୍ଷୟକୁ ଠିକ୍‌ କରିବା³ ଯାହା ଦ୍ୱାରା ଜୀବନକାଳ ବଢ଼ାଯାଇ ପାରିବ । ଖାସ୍‌କରି ମାନବ ଜିନ୍‌ଗତ ତଥ୍ୟକୁ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରାଯାଉଛି । ଏଥିଲାଗି ପ୍ରୟୋଗଶାଳାରେ ନ୍ୟୁରୋଡିଜେନରେସନ୍‌, ମେଟାବଲିକ୍‌ ରୋଗ, କିଡ୍‌ନୀ, କ୍ୟାନ୍ସର ଓ ହ୍ୱାଇଟ୍‌ ମ୍ୟାଟର ଉପରେ କାମ ହେଉଛି । 

ଆଣ୍ଟି-ଏଜିଙ୍ଗ୍‌ର ଏହି ବ୍ୟବସାୟରେ ବିଶ୍ୱର ଅନେକ କମ୍ପାନି ନିବେଶ କରୁଛନ୍ତି । ତନ୍ମଧ୍ୟରେ ବାୟୋଟିକ୍‌ ଷ୍ଟାର୍ଟଅପ୍‌ ଅଲ୍‌ଟୋସ ଲାବ୍ସ ଅନ୍ୟତମ । ଏହା ସେଲୁଲାର ଟ୍ରାନ୍ସଫର୍ମେସନ୍‌ ପ୍ରୋଗ୍ରାମିଙ୍ଗ୍‌ରେ ଅନୁସନ୍ଧାନ କରେ । ଏହି ପ୍ରୋଜେକ୍ଟରେ ଜେଫ୍‌ ବେଜୋସଙ୍କ କମ୍ପାନି ଆମାଜନ୍‌ ମୋଟା ଅଙ୍କର ଅର୍ଥ ନିବେଶ କରିଛି । ଏହି କମ୍ପାନି ସେଲୁଲାର ରିଜୁଭନେସନ୍‌ ଉପରେ କାମ କରୁଛି । କୋଷିକା କ୍ଷୟକୁ ରୋକିବା ଏହାର ଲକ୍ଷ୍ୟ । ୩ ବିଲିଅନ୍‌ ଡଲାର ନିବେଶ ସହିତ ୨୦୨୨ରେ କମ୍ପାନି ଆରମ୍ଭ ହୋଇଥିଲା । ସେହିପରି ଆୟରଲାଣ୍ଡର ଜୁଭେନେସେନ୍ସ ଛୋଟ ଅଣୁ, ଜିନ୍‌ ଥେରାପି ଓ ରିଜେନେରେଟିଭ୍‌ ମେଡିସିନ୍‌ ଜରିଆରେ ବୟସ ସମ୍ବନ୍ଧୀୟ ରୋଗର ନିରାକରଣ କରେ । କାଲିଫର୍ଣ୍ଣିଆର ୟୁନିଟି ବାୟୋଟେକ୍ନୋଲୋଜି ନାମକ କମ୍ପାନି ସେନୋଲିଟିକ୍‌ ଔଷଧ ଉପରେ ଫୋକସ୍‌ କରୁଛି, ଯାହା ସେନେସେଣ୍ଟ୍‌ କୋଷିକାଗୁଡ଼ିକୁ ହଟାଇ କୋଷିକା ହାନିକୁ ରୋକେ । ହଂକଂର ଇନ୍‌ସିଲିକୋ ମେଡିସିନ୍‌ କମ୍ପାନି ଏଆଇ ଓ ଡିପ୍‌ ଲର୍ନିଂର ଉପଯୋଗ କରି ବୟସ-ସମ୍ବନ୍ଧୀୟ ରୋଗ ପାଇଁ ଔଷଧ ବିକଶିତ କରୁଛି ।