ଦିନକୁ ଦିନ ବଢିଚାଲିଛି ଖରାର ପ୍ରକୋପ । ଗରମରେ ନିଜକୁ ଥଣ୍ଡା ରଖିବା ପାଇଁ ବହୁ ଉପାୟ ଅବଲମ୍ବନ କରିଥାଉ । ଏଥିପାଇଁ କେବଳ ଥଣ୍ଡା ଜିନିଷ ଖାଇବା ଯଥେଷ୍ଟ ନୁହେଁ । ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ଜରୁରି । ଗରମ ଦିନେ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଖାଇବା ମଧ୍ୟ ଉଚିତ୍‌ ନୁହେଁ । ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଏହି ଋତୁରେ ଗରମ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଜରୁରି । ପ୍ରାୟଲୋକ ଗରମ ଆରମ୍ଭ ହେବା ମାତ୍ରେ ଥଣ୍ଡା ଖାଦ୍ୟ ପ୍ରତି ଆକର୍ଷିତ ହୋଇପଡିଥାନ୍ତି । ଯେପରିକି ଫଳ, ଲସି, ଲେମ୍ବୁ ପାଣି, ନଡ଼ିଆ ପାଣି, ଫଳ ରସ, ଆଇସକ୍ରିମ୍‌ ଓ ଥଣ୍ଡା ପାନୀୟ ଆଦି । ଏକଥା ସତ ଯେ ଏସବୁ ଆମ ଶରୀରକୁ ଥଣ୍ଡା ରଖିଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହା ଆମକୁ ଗରମ କରିଥାଏ । ଯାହାକୁ ଖରାଦିନେ ଆଦୌ ଖାଇବା ଉଚିତ୍‌ ନୁହେଁ । କିନ୍ତୁ କିଛି ଲୋକ ସେସବୁ ମଧ୍ୟ ଚିନ୍ତାମୁକ୍ତ ଭାବେ ଖାଇଥାନ୍ତି । ଅବଶ୍ୟ ଏସବୁକୁ ଯଥାସମ୍ଭବ ସୀମିତ କରିଦେବା ଉଚିତ୍‌ । ଯେପରିକି:- 
 

ପାଳଙ୍ଗ- ଜିଙ୍କ୍‌, ସେଲେନିୟମ୍‌ ଓ ଆଇରନ୍‌ ପରି ପୋଷକ ତତ୍ତ୍ୱରେ ଭରା ପାଳଙ୍ଗ ଗରମଜାତୀୟ ପରିବା ହୋଇଥାଏ । ତେଣୁ ଏହାକୁ ଶୀତଦିନେ ଖାଇବା ଉଚିତ୍‌ । କିନ୍ତୁ ଗରମ ଦିନେ ଏହାକୁ ଖାଇବା ଅନୁଚିତ୍‌ । 

ଆମ୍ବ- ଖରା ଦିନ ହିଁ ଆମ୍ବର ଋତୁ । କିନ୍ତୁ ଏହି ଋତୁରେ ଅଧିକ ଆମ୍ବ ଖାଇବା ଅନୁଚିତ୍‌ । କାରଣ ଏହାକୁ ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ତା’ସହିତ ଶରୀରର ତାପମାତ୍ରା ମଧ୍ୟ ବଢିଥାଏ । ତେଣୁ ଯଥାସମ୍ଭବ କମ୍‌ ଆମ୍ବ ଖାଇବାକୁ ଚେଷ୍ଟା କରନ୍ତୁ ।

 ଅଣ୍ଡା- ପ୍ରୋଟିନ୍‌ରେ ଭରା ଅଣ୍ଡା ଶରୀରରେ ଗରମ ସୃଷ୍ଟି କରିଥାଏ । ତେଣୁ ଏହାକୁ ଗରମ ଦିନେ ଅଧିକ ଖାଇବା ଦ୍ୱାରା କିଡ୍‌ନୀ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଖରାଦିନେ ଅଧିକ ଅଣ୍ଡା ନ ଖାଇବା ଉଚିତ୍‌ । 

ବାଦାମ- ସମସ୍ତ ବାଦାମଜାତୀୟ ଡ୍ରାଏଫୁଡ ମଧ୍ୟ ଗରମ ଜାତୀୟ ଖାଦ୍ୟରେ ସାମିଲ୍‌ । ତେଣୁ ଏହାକୁ ବିଶେଷକରି ଶୀତଦିନେ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । 

ଚିନାବାଦାମ- ଏହା ଶରୀରରେ ମେଟାବଲିଜିମ୍‌କୁ ତୀବ୍ର କରିଥାଏ । ଫଳରେ ରକ୍ତ ସଞ୍ଚାଳନ ବଢିଥାଏ । ଏହାଦ୍ୱାରା ଶରୀରରେ ଗରମ ଅନୁଭୂତ ହୋଇଥାଏ । ତେଣୁ ଗରମ ଦିନେ ଏହାକୁ ଖାଇବାଠାରୁ ଦୂରେଇ ରହିବା ଉଚିତ୍‌ । 

ଗାଜର- ଗାଜର ମଧ୍ୟ ଶରୀରରେ ଗରମ ସୃଷ୍ଟି କରିଥାଏ । ତେଣୁ ଏହାକୁ ମଧ୍ୟ ଗରମ ଦିନେ ଖାଦ୍ୟରେ ସାମିଲ୍‌ ନ କରିବା ଉଚିତ୍‌ ।