PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଫିଫା ବିଶ୍ୱକପ୍‌: ଆର୍ଜେଣ୍ଟିନା ବିଶ୍ୱ ଚାମ୍ପିଅନ୍‌, ପେନାଲ୍ଟିରେ ଫ୍ରାନ୍ସକୁ ହରାଇଲା

ଦୋହା,୧୯/୧୨: ଅଦ୍ଭୁତ ରୋମାଞ୍ଚ, ଅପୂର୍ବ ଶିହରଣ । ଆକ୍ରମଣ ଓ ପ୍ରତି ଆକ୍ରମଣର ଅବିଶ୍ୱସନୀୟ ସମନ୍ୱୟ । ପ୍ରତି ସେକେଣ୍ଡରେ ସଂଘର୍ଷ । ପ୍ରଶଂସକଙ୍କ ଛାତି ଧଡ଼ ଧଡ଼ । ଟେଲିଭିଜନ ପରଦାରେ ଲାଖି ରହିଥିଲା ପଲକ । ଲିଓନେଲ ମେସି ଓ କିଲିଆନ ଏମବାପେଙ୍କ ମଧ୍ୟରେ ଗୋଲ ପ୍ରତିଦ୍ୱନ୍ଦ୍ୱିତା । ଦୀର୍ଘ ୧୨୦ ମିନିଟ୍‌ର କଡ଼ା ଟକ୍କର । ତଥାପି ନିର୍ଣ୍ଣାୟକ ହୋଇପାରି ନଥିଲା ମ୍ୟାଚ୍‌ । ଶେଷରେ ପେନାଲ୍ଟି… ଆଉ ତା’ପରେ ଯାହା ଘଟିଲା, ମେସି ଓ ଆର୍ଜେଣ୍ଟିନା ପ୍ରଶଂସକଙ୍କୁ ଆତ୍ମବିଭୋର କରିଦେଇଥିଲା । ଆଖିରୁ ଝରି ଆସିଥିଲା ଖୁସିର ଲୁହ । ଚାମ୍ପିଅନ.. ଚାମ୍ପିଅନ.. ଆର୍ଜେଣ୍ଟିନା ଚାମ୍ପିଅନ.. । କତାରର ଲୁସେଲ ଷ୍ଟାଡିୟମରୁ ଏ ଧ୍ୱନି ବିଶ୍ୱର କୋଣ ଅନୁକୋଣକୁ ଗୁଞ୍ଜରିତ ହୋଇଥିଲା । ସାରା ବିଶ୍ୱ ଉତ୍ସବମୁଖର ହୋଇ ଉଠିଥିଲା ।

ଦୀର୍ଘ ୩୬ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିଅନ୍‌ ହେବା ସହ ମେସିଙ୍କ ବିଶ୍ୱ ଟ୍ରଫି ଉଠାଇବାର ସ୍ୱପ୍ନ ସାକାର ହୋଇଛି । ବିଜୟ ସହ ମେସି ନିର୍ବିବାଦରେ ପାଲଟିଛନ୍ତି ବିଶ୍ୱର ଅପ୍ରତିଦ୍ୱନ୍ଦ୍ୱୀ ଓ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି । କ୍ୟାରିୟରର ଅନ୍ତିମ ବିଶ୍ୱକପ୍‌ରେ ଆର୍ଜେଣ୍ଟିନାକୁ ଚାମ୍ପିଅନ୍‌ କରାଇ ଦେଶବାସୀଙ୍କୁ ଭେଟିଦେଇଛନ୍ତି ତୃତୀୟ ଟାଇଟଲ ।

ଫିଫା ବିଶ୍ୱକପ୍‌ର ଟାଇଟଲ ମୁକାବିଲା ନିର୍ଦ୍ଧାରିତ ସମୟ ୨-୨ ଗୋଲ୍‌ରେ ବରାବର ରହିଥିଲା । ଅତିରିକ୍ତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରି ୩-୩ରେ ମ୍ୟାଚ ଡ୍ର’ ରଖିଥିଲେ । ଏହାପରେ ଟାଇବ୍ରେକରରେ ଆର୍ଜେଣ୍ଟିନା ୪-୨ ପେନାଲ୍ଟି ଗୋଲ୍‌ରେ ବିଜୟ ହାସଲ କରିଥିଲା ।

ଫ୍ରାନ୍ସ ପକ୍ଷରୁ ଏମ୍‌ବାପେ ପ୍ରଥମ ପେନାଲ୍ଟିକୁ ଗୋଲ୍‌ କରିଥିଲେ । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ମେସି ପ୍ରଥମ ପେନାଲ୍ଟି ମାରିଥିଲେ । ସେ ମଧ୍ୟ ଗୋଲ୍‌ କରି ୧-୧ରେ ସ୍ଥିତି ବରାବର କରିଥିଲେ । ଫ୍ରାନ୍ସ ପକ୍ଷରୁ ଦ୍ୱିତୀୟ ପେନାଲ୍ଟି ମାରିଥିଲେ କିଙ୍ଗସଲି କୋମାନ । ତାଙ୍କ ସଟ୍‌କୁ ଆର୍ଜେଣ୍ଟିନା ଗୋଲ୍‌ କିପର ଏମିଲିଆନୋ ମାର୍ଟିନେଜ ଅଟକାଇ ଦେଇଥିଲେ । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ପାଉଲୋ ଡିବାଲା ଦ୍ୱିତୀୟ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରି ୨-୧ରେ ଦଳକୁ ଆଗେଇ ନେଇଥିଲେ । ଫ୍ରାନ୍ସ ପକ୍ଷରୁ ତୃତୀୟ ପେନାଲ୍ଟି ମାରିଥିଲେ ଅରେଲିନ୍‌ ଟଚେମେନି । ସେ ବକ୍ସ ବାହାରକୁ ବଲ୍‌ ମାରିଥିଲେ । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ଲିନ୍‌ଡ୍ରୋ ପରେଦେସ ତୃତୀୟ ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ । ଆର୍ଜେଣ୍ଟିନା ୩-୧ରେ ଆଗେଇଥିଲା । ଫ୍ରାନ୍ସ ପକ୍ଷରୁ ରାଣ୍ଡାଲ କୋଲୋ ମୁଆନି ଚତୁର୍ଥ ପେନାଲ୍ଟିକୁ ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ୨-୩ ସ୍ଥିତିକୁ ଆଣିଥିଲେ । ଜବାବରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲୋ ମନଟିଲ ଚତୁର୍ଥ ପେନାଲ୍ଟିକୁ ଗୋଲରେ ପରିଣତ କରିବା ସହ ଆର୍ଜେଣ୍ଟିନାର ସେଲିବ୍ରେସନରେ ଷ୍ଟାଡିୟମ୍‌ କମ୍ପିଥିଲା ।

ଏମ୍‌ବାପେ ଆଜି ହ୍ୟାଟ୍ରିକ ସହ ବିଶ୍ୱକପ୍‌ରେ ୮ଟି ଗୋଲ୍‌ ସ୍କୋର କରି ଗୋଲ୍ଡେନ ବୁଟ୍‌, ମେସି ଗୋଲ୍ଡେନ୍‌ ବଲ୍‌ ଏବଂ ଏମିଲିଆନୋ ମାର୍ଟିନେଜ ଗୋଲ୍ଡେନ ଗ୍ଲୋଭ୍‌ ପୁରସ୍କାର ହାସଲ କରିଥିଲେ ।ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଚମତ୍କାର ପାସ୍‌ ବିନିମୟ କରିଥିଲେ । ଆର୍ଜେଣ୍ଟିନା ଆକ୍ରମଣରେ ଆଗୁଆ ରହିଥିଲା । ଚତୁର ରଣ କୌଶଳର ଝଲକ ଦେଖିବାକୁ ମିଳିଥିଲା । ଶେଷରେ ଆର୍ଜେଣ୍ଟିନା ଗୋଲ୍‌ ଖାତା ଖୋଲିଥିଲା । ୨୩ତମ ମିନିଟ୍‌ରେ ଆର୍ଜେଣ୍ଟିନାକୁ ମିଳିଥିଲା ପେନାଲ୍ଟି । ବାମ ୱିଙ୍ଗ୍‌ରୁ ବଲ୍‌ ସହ ଦ୍ରୁତ ବେଗରେ ଫ୍ରାନ୍ସ ଗୋଲ୍‌ ପୋଷ୍ଟ ନିକଟତର ହେଉଥିବା ଆଞ୍ଜେଲ ଡି ମାରିଆଙ୍କୁ ଓସମାନ ଡେମ୍ବଲ ଫାଉଲ ମାରିଥିଲେ । ରେଫରୀଙ୍କ ସମ୍ମୁଖରେ ଫାଉଲ ହୋଇଥିବାରୁ ଭାର୍‌ର ଆବଶ୍ୟକତା ପଡ଼ି ନଥିଲା । ମେସି ଏହାକୁ ଗୋଲ୍‌ରେ ପରିଣତ କରିଥିଲେ । ଆର୍ଜେଣ୍ଟିନା ଆଗେଇଥିଲା । ବିଶ୍ୱକପ୍‌ ଇତିହାସରେ ମେସିଙ୍କର ଏହା ୧୨ତମ ଗୋଲ୍‌ ରହିଥିଲା । ଏଥିସହ ସେ ୮ଟି ଗୋଲ୍‌ରେ ସହାୟତା କରିସାରିଛନ୍ତି ।

ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ ମ୍ୟାଚ୍‌କୁ ଫେରିବା ପାଇଁ ଜୋରଦାର ପ୍ରୟାସ କରିଥିଲା । ମାତ୍ର ଆର୍ଜେଣ୍ଟିନା ଖେଳାଳି ବଲ୍‌କୁ ନିୟନ୍ତ୍ରଣରେ ରଖି ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ । ୩୬ତମ ମିନିଟ୍‌ରେ ଆର୍ଜେଣ୍ଟିନା ଆଉ ଏକ ଆକ୍ରମଣ କରିଥିଲା । ଚମତ୍କାର ପାସ୍‌ ବିନିମୟ ବଳରେ ବଲ୍‌ ଡି ମାରିଆଙ୍କ ନିକଟରେ ପହଞ୍ଚିଥିଲା । ମେସି ଫ୍ରାନ୍ସ ଖେଳାଳିଙ୍କୁ ଚକ୍‌ମା ଦେଇ ଆଲେକ୍ସିସ ମ୍ୟାକ୍‌ ଆଲିଷ୍ଟରଙ୍କ ନିକଟକୁ ପାସ୍‌ ଦେଇଥିଲେ । ଆଲିଷ୍ଟର ସଙ୍ଗେ ସଙ୍ଗେ ବାମରେ ଥିବା ଡି ମାରିଆଙ୍କ ନିକଟକୁ ବଲ୍‌ ପଠାଇ ଦେଇଥିଲେ । ଫ୍ରାନ୍ସ ଖେଳାଳି ସେ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲେ । ଡି ମାରିଆ ବଲ୍‌କୁ ଚତୁରତାର ସହ ଫ୍ରାନ୍ସ ବକ୍ସରେ ପହଞ୍ଚାଇ ଦେଇଥିଲେ । ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା । ବିଶ୍ୱକପ ନକ୍‌ ଆଉଟ୍‌ ପର୍ଯ୍ୟାୟରେ ଏହା ଡି ମାରିଆଙ୍କ ତୃତୀୟ ଗୋଲ୍‌ ରହିଥିଲା । ଡି ମାରିଆ ପୂର୍ବରୁ ୨୦୧୪ ଓ ୨୦୧୮ ବିଶ୍ୱକପ୍‌ ନକ୍‌ ଆଉଟ୍‌ରେ ଗୋଲ୍‌ କରିଥିଲେ ।

ପ୍ରଥମାର୍ଦ୍ଧରେ ଫ୍ରାନ୍ସ ଗୋଟିଏ ହେଲେ ଗୋଲ ସୁଯୋଗ ସୃଷ୍ଟି କରିପାରି ନଥିଲା । ଅନ୍ୟ ପଟରେ ଆର୍ଜେଣ୍ଟିନା ୬ଟି ସୁଯୋଗ ସୃଷ୍ଟି କରି ୨ଟି ଗୋଲ୍‌ କରିଥିଲା । ଦ୍ୱିତୀୟାର୍ଦ୍ଧର ପ୍ରଥମ ୩୫ମିନିଟ୍‌ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ନିୟନ୍ତ୍ରଣରେ ମ୍ୟାଚ୍‌ ରହିଥିଲା । ୮୦ତମ ମିନିଟ୍‌ରେ ମ୍ୟାଚ୍‌ର ରୂପରେଖ ବଦଳି ଯାଇଥିଲା । କୋଲୋ ମେ।।ଆନିଙ୍କୁ ବକ୍ସ ଅଞ୍ଚଳରେ ଆର୍ଜେଣ୍ଟିନାର ନିକୋଲାସ ଓଟାମେଣ୍ଡି ଫାଉଲ ମାରିଥିଲେ । ଫ୍ରାନ୍ସକୁ ପେନାଲ୍ଟି ମିଳିଥିଲା । କିଲିଆନ ଏମ୍‌ବାପେ ଏହାକୁ ଗୋଲରେ ପରିଣତ କରିଥିଲେ ।

ଗୋଟିଏ ମିନିଟ୍‌ ପରେ(୮୧ତମ ମିନିଟ) ଫ୍ରାନ୍ସ ଦ୍ୱିତୀୟ ଗୋଲ୍‌ କରିଥିଲା । ମାର୍କସ ଥୁରାମଙ୍କ ଏକ ପାସ୍‌କୁ ଏମ୍‌ବାପେ ଗୋଲ୍‌ରେ ରୂପାନ୍ତରିତ କରିଥିଲେ । ୨-୨ରେ ସ୍ଥିତି ବରାବର ହୋଇଥିଲା । ୯୭ସେକେଣ୍ଡ ମଧ୍ୟରେ ଫ୍ରାନ୍ସ ବାଜି ପଲଟାଇ ଦେଇଥିଲା । ୨୩ବର୍ଷ ୩୬୩ ଦିନ ବୟସରେ ଏମ୍‌ବାପେ କନିଷ୍ଠ ଖେଳାଳି ଭାବେ ବିଶ୍ୱକପ୍‌ରେ ୧୧ ଗୋଲ୍‌ ସ୍କୋର କରିଥିଲେ ।

ପରବର୍ତ୍ତୀ ୧୫ମିନିଟ ମଧ୍ୟରେ ଫ୍ରାନ୍ସ ଘନ ଘନ ଆକ୍ରମଣ କରି ଆର୍ଜେଣ୍ଟିନା ରକ୍ଷଣ ଭାଗକୁ ଚିନ୍ତାରେ ପକାଇ ଦେଇଥିଲା । ମାତ୍ର ଗୋଲ୍‌ ସମ୍ଭବ ହୋଇ ନଥିଲା । ସ୍ଥିତି ବରାବର ଥିବାରୁ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା । ଅତିରିକ୍ତ ସମୟରେ ପ୍ରଥମ ୧୫ ମିନଟ୍‌ ଗୋଲ୍‌ ଶୂନ୍ୟ ରହିଥିଲା । ଦ୍ୱିତୀୟ ଭାଗ ଆରମ୍ଭ ହେବା ପରେ ରୋମାଞ୍ଚ ଶିଖର ଛୁଇଁଥିଲା । ୧୧୩ତମ ମିନିଟ୍‌ରେ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା ଓ ମେସି ଏହାକୁ ଗୋଲରେ ପରିଣତ କରିଥିଲେ । ମାତ୍ର ୧୧୮ତମ ମିନିଟ୍‌ରେ ମନଟିଲଙ୍କ ହ୍ୟାଣ୍ଡବଲ୍‌କୁ ନେଇ ଫ୍ରାନ୍ସକୁ ଆଉ ଏକ ପେନାଲ୍ଟି ମିଳିଥିଲା । ଏମ୍‌ବାପେ ଏହାକୁ ଗୋଲ୍‌ରେ ପରିଣତ କରିବା ଫଳରେ ପୁର୍ନବାର ସ୍ଥିତି ୩-୩ରେ ବରାବର ହୋଇଥିଲା । ଏହାପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ବିଶ୍ୱ ଟାଇଟଲ ହାସଲ କରିଥିଲା ।