ବଡ଼ବିଲ୍, ୨୪/୧ : ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ସଶସ୍ତ୍ର ଡକାୟତି ଘଟଣା, ଅପରାଧୀଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡରେ ଚାଲିଛି ଜୋରଦାର ଚଢାଉ । ଓଡ଼ିଶା ପୁଲିସର ସ୍ଵତନ୍ତ୍ର ଟିମ୍ ଝାଡ଼ଖଣ୍ଡ ପୋଲିସ ସହାୟତାରେ ଚଢ଼ାଉ ଜାରି ରଖିଛି ।
ଧାନବାଦ ନିରସା ଥାନା ଅଞ୍ଚଳର ଭାଲଜୋରିଆ ରୋଡରେ ଥିବା ମା କାମାକ୍ଷା ଜୁଏଲର୍ସରେ ଚଢାଉ କରି ଲୁଟ୍ ହୋଇଥିବା କିଛି ଅଳଙ୍କାର ଜବତ କରିଥିବା ନେଇ ପ୍ରାଥମିକ ଭାବେ ସୂଚନା ଆସୁଛି । ଜୁଏଲାରୀ ଦୋକାନ ଏବଂ ତା' ତଳେ ରହିଥିବା ଗୋଦାମରେ ପୋଲିସ୍ ଟିମ୍ ଛାପା ମାରିଥିଲା । ଏହା ପରେ, ପୋଲିସ ତାଙ୍କ ପାଣ୍ଡ୍ରା ବାସଭବନରେ ମଧ୍ୟ ଚଢାଉ କରିଛି। ପୋଲିସ, ଜୁଏଲର୍ସର ମାଲିକଙ୍କ ସମେତ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିବା ମଧ୍ୟ କୁହାଯାଉଛି ।
ଚଢାଉ ସମୟରେ, ଓଡ଼ିଶା ପୋଲିସ ସହିତ ନିରସା ଥାନା ପୋଲିସ ଉପସ୍ଥିତ ଥିଲେ। ଚଢାଉ ସମୟର ଏହି ଏକ୍ସକ୍ଲୁସିଭ୍ ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବଡ଼ବିଲ ଆଡ଼ିସନାଲ ଏସପି ପ୍ରତ୍ୟୁଷ ମହାପାତ୍ର ଏବଂ ଉଭୟ ରାଜ୍ୟର ପୋଲିସ ଟିମ୍ ମା କାମାକ୍ଷା ଜୁଏଲର୍ସର ଗୋଦାମରେ ତଲାସୀ କରୁଛନ୍ତି ଏବଂ କିଛି ଜିନିଷ ଜବତ କରୁଛନ୍ତି। ଏହି ଚଢାଉ ପରେ, ଗୋଦାମକୁ ସିଲ୍ କରି ତାଲା ପକାଇ ଦିଆଯାଇଛି ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ସେଠାକାର ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳ ଚଢାଉ ବିଷୟରେ ପ୍ରଶ୍ନ ପଚାରିଥିଲେ, ପୋଲିସ୍ ଅଧିକାରୀମାନେ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଦେବାକୁ ମନା କରିଦେଇଥିଲେ। କହିଥିଲେ ଯେ ଚଢାଉ ଏବେ ବି ଜାରି ରହିଛି। ଅପରେସନ ସରିବାପରେ ହିଁ ଅଧିକ ବିବରଣୀ ସେୟାର କରାଯିବ। ଏ ବାବଦରେ ଆମେ ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ଠାରୁ ଜାଣିବାକୁ ଚାହୁଁଥିଲୁ, ମାତ୍ର ଏହି ଚଢାଉ ସମ୍ପର୍କରେ ସେ କିଛି ବି ସ୍ପଷ୍ଟ କରିନାହାନ୍ତି ।
ସୂଚନା ଥାଉକି, ଗତ ୧୯ ତାରିଖ ଦିନ ଦିପହରରେ ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଶାଖାରୁ ବନ୍ଧୁକ ମୁନରେ ନଗଦ ୪ ଲକ୍ଷ ରୁ ଅଧିକ ଟଙ୍କା ଏବଂ ୭ କୋଟିରୁ ଅଧିକ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ ଦୃବୃର୍ତ୍ତ । ଗଲା ସମୟରେ ସେମାନେ ସିସିଟିଭି DVR କୁ ମଧ୍ୟ ସାଥିରେ ନେଇଯାଇଥିଲେ । ତେବେ ଲୁଟ ଭିଆଇବା ପରେ ଦୃବୃର୍ତ୍ତମାନେ ବାଇକ୍ ଯୋଗେ ବିଲେଇପଦା ଦେଇ ନୁଆମୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ଖସିଯାଇଥିଲେ । ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ୍ ଝାଡ଼ଖଣ୍ଡରେ ତନାଘନା ଚଳାଇଛି ।