ନୂଆଦିଲ୍ଲୀ, ୨୭/୧୧: ଭାରତରୁ ତେଜସ୍ ଯୁଦ୍ଧବିମାନ କ୍ରୟ ଲାଗି ଚାଲିଥିବା ଆଲୋଚନାକୁ ଆର୍ମେନିଆ ଏବେ ଅଟକାଇଥିବା କୁହାଯାଉଛି । ଇସ୍ରାଏଲ୍ ମିଡିଆ ଜେରୁଜେଲମ୍ ପୋଷ୍ଟ ମୁତାବକ, ନଭେମ୍ବର ୨୧ରେ ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦୁର୍ଘଟଣାରେ ଭାରତୀୟ ପାଇଲଟ ୱିଙ୍ଗ କମାଣ୍ଡର ନମାଂଶ ସ୍ୱାଲଙ୍କ ମୃତ୍ୟୁ ହୋଇଥିଲା । ଆର୍ମେନିଆ ଭାରତରୁ ପ୍ରାୟ ୧୦ ହଜାର କୋଟିରେ ୧୨ଟି ତେଜସ୍ ବିମାନ କିଣିବାକୁ ପ୍ରସ୍ତୁତି କରୁଥିଲା । ଏହି ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ଥିଲା । ଏହା ତେଜସ୍ର ପ୍ରଥମ ବିଦେଶୀ ବୁଝାମଣା ହୋଇଥାନ୍ତା । ତେବେ ଏହି ମାମଲାରେ ଆର୍ମେନିଆ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ। ଭାରତ ସରକାର ମଧ୍ୟ ଏହି ରିପୋର୍ଟ ନେଇ କୌଣସି ବୟାନ ରଖିନାହାନ୍ତି ।
ସୂଚନାଥାଉକି, ଭାରତୀୟ ବାୟୁସେନା ନିକଟରେ ଥିବା ପ୍ରମୁଖ ଯୁଦ୍ଧବିମାନ ମଧ୍ୟରୁ ତେଜସ୍ ଅନ୍ୟତମ । ଏହାର ୫୦ ପ୍ରତିଶତ ଯନ୍ତ୍ରାଂଶ ସ୍ୱଦେଶୀ । ଏହି ବିମାନରେ ଆଧୁନିକ ଟେକ୍ନୋଲୋଜି ଅନୁସାରେ ଇସ୍ରାଏଲ୍ର ଇଏଲ୍/ଏମ୍-୨୦୫୨ ରାଡାରକୁ ଲଗାଯାଇଛି । ସେଥିଯୋଗୁ ଏହା ଏକ ସଙ୍ଗରେ ୧୦ଟି ଲକ୍ଷ୍ୟକୁ ଟ୍ରାକ୍ କରି ଟାର୍ଗେଟ୍ କରିବାରେ ସକ୍ଷମ । ଅତି କମ୍ ଅର୍ଥାତ୍ ମାତ୍ର ୪୬୦ ମିଟରର ରନ୍ୱେରେ ଟେକଅଫ୍ କରିପାରିବାରେ ଏହାର କ୍ଷମତା ରହିଛି ।