ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଆର୍ଯ୍ୟନ ମାନ ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ସେ ଏନଏସୟୁଆଇ ସଭାପତି ପ୍ରାର୍ଥୀ ଜୋସଲିନ୍ ନନ୍ଦିତା ଚୌଧୁରୀଙ୍କୁ ୧୬,୧୯୬ ଭୋଟରେ ପରାସ୍ତ କରିଛନ୍ତି। ସେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରୁ ଅଗ୍ରଣୀ ବଜାୟ ରଖିଥିଲେ ଏବଂ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଆଗରେ ରହିଥିଲେ।  ନୂଆ ଡିୟୁଏସୟୁ ସଭାପତିଙ୍କ ବିଷୟରେ ଆସନ୍ତୁ ଜାଣିବା ।

ଆର୍ଯ୍ୟନ ମାନଙ୍କୁ ମୋଟ ୨୮,୮୪୧ ଭୋଟ୍ ମିଳିଥିବା ବେଳେ ଜୋସଲିନ୍ ନନ୍ଦିତା ଚୌଧୁରୀଙ୍କୁ ୧୨,୬୪୫ ଭୋଟ୍ ମିଳିଛି। ଗତବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ନିର୍ବାଚନରେ ଏନଏସୟୁଆଇ ବିଜୟୀ ହୋଇଥିଲା । ଆଜି ଦିଲ୍ଲୀ ବିଶ୍ବବିଦ୍ୟାଳୟର ନର୍ଥ କ୍ୟାମ୍ପସ୍‌ରେ ଥିବା ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଷ୍ଟାଡିୟମରେ ସକାଳ ପ୍ରାୟ ୮ଟାରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି । ଆର୍ଯ୍ୟନ୍ ମାନଙ୍କ ଘର  ହରିୟାଣାର ଲୋଭା କଲାନ୍ ଗାଁରେ । ସେ ବାହାଦୁରଗଡ଼ର ସେଣ୍ଟ ଥମାସ ସ୍କୁଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରି ଦିଲ୍ଲୀର ବସନ୍ତ କୁଞ୍ଜର ଜିଡି ଗୋଏଙ୍କା ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। 

ଏହା ପରେ ଆର୍ଯ୍ୟନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସର ହଂସରାଜ କଲେଜରୁ ବି.କମ୍. ଡିଗ୍ରୀ ହାସଲ କରିଥିଲେ। ସେ ବର୍ତ୍ତମାନ ଡିୟୁରୁ ​​ଲାଇବ୍ରେରୀ ସାଇନ୍ସରେ ଏମ୍ଏ କରୁଛନ୍ତି। ଗତ ନିର୍ବାଚନରେ ଏବିଭିପିର ସମ୍ଭାବ୍ୟ ତାଲିକାରେ ତାଙ୍କ ନାଁ ଥିଲା । କିନ୍ତୁ ସେ  ପ୍ରତିଦ୍ୱନ୍ଦ୍ୱିତା କରିପାରି ନଥିଲେ। ଆର୍ଯ୍ୟନ୍ ମାନ ଜଣେ ଜାତୀୟ ସ୍ତରୀୟ ଫୁଟବଲ୍ ଖେଳାଳି। ସେ  ଦିଲ୍ଲୀ ଦଳ ପାଇଁ ଖେଳିଛନ୍ତି। ତାଙ୍କୁ କ୍ରୀଡା କୋଟା ମାଧ୍ୟମରେ ଡିୟୁରେ ପ୍ରବେଶ କରିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆର୍ଯ୍ୟନଙ୍କ ବାପା ସିକନ୍ଦର ହରିୟାଣାର ଜଣେ ପ୍ରମୁଖ ମଦ ବ୍ୟବସାୟୀ। ତାଙ୍କର ଝାଜ୍ଜରରେ ଏଡିଏସ ସ୍ପିରିଟ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମଦ କମ୍ପାନୀ ଅଛି। ସେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ। ସେ ଦୁଇଥର ତାଙ୍କ ଗାଁର ସରପଞ୍ଚ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ଡିୟୁଏସୟୁ ନିର୍ବାଚନରେ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି, ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଛି । ଏନଏସୟୁ ଉପାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଛି । ଗତ ବର୍ଷ ଏନଏସୟୁଆଇ ସଭାପତି ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଥିଲା । ଏବିଭିପ ଉପାଧ୍ୟକ୍ଷ ଏବଂ ସମ୍ପାଦକ ପଦବୀ ପାଇଥିଲା।