ମାୟାମୀ,୩୧/୦୩: ବିଶ୍ୱର ଏକ ନମ୍ବର ଖେଳାଳି ବେଲାରୁଷର ଅର୍ନ୍ୟା ସାବାଲେଙ୍କା ପ୍ରଥମ ଥର ମାୟାମୀ ଓପନ ଟେନିସ୍‌ ଚାମ୍ପିଅନ୍‌ ହୋଇଛନ୍ତି । ଫାଇନାଲ୍‌  ମୁକାବିଲାରେ ସେ ସିଧାସଳଖ ୭-୫, ୬-୨ ସେଟ୍‌ରେ ଚତୁର୍ଥ ସିଡ୍‌ ଆମେରିକାର  ଜେସିକା ପେଗୁଲାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ  ଦେଢ଼ ଘଣ୍ଟାରୁ କମ୍‌ ସମୟ ଲାଗିଥିଲା । ୩ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ସାବାଲେଙ୍କା କ୍ୟାରିୟରରେ ଅଷ୍ଟମ ଡବ୍ଲ୍ୟୁଟିଏ ଟାଇଟଲ୍‌ ଜିତିବା ସହ ମାରିଆ ସାରାପୋଭାଙ୍କ  ରେକର୍ଡ଼ ସମକକ୍ଷ ହୋଇଛନ୍ତି । 

ହାର୍ଡ କୋର୍ଟ ଟୁର୍ଣ୍ଣାମେଣ୍ଟରେ ସାବାଲେଙ୍କାଙ୍କ ଆଧିପତ୍ୟ ଜାରି ରହିଛି ।  କ୍ୟାରିୟରରେ ସେ ୧୯ଟି ଡବ୍ଲ୍ୟୁଟିଏ ଟୁର ସିଙ୍ଗଲ୍ସ ଟାଇଟଲ୍‌ ଜିତିଥିବାବେଳେ  ସେଥିମଧ୍ୟରେ ହାର୍ଡ କୋର୍ଟରେ ୧୭ଟି ଟାଇଟଲ୍‌ ହାସଲ କରିଛନ୍ତି । ସେ ଶେଷ  ୪ଟି ହାର୍ଡ କୋର୍ଟ ଟୁର୍ଣ୍ଣାମେଣ୍ଟରେ ୩ଥର ଚାମ୍ପିଅନ୍‌ ହୋଇଛନ୍ତି । ସେ ସିନ୍‌ସିନାଟି  ଓପନ, ୟୁଏସ୍‌ ଓପନ ଏବଂ ମାୟାମୀ ଓପନ ଚାମ୍ପିଅନ୍‌ ହୋଇଛନ୍ତି । ଏହି ୩ଟି ଯାକ  ଟୁର୍ଣ୍ଣାମେଣ୍ଟରେ ସେ ଫାଇନାଲ୍‌ ମୁକାବିଲାରେ ପେଗୁଲାଙ୍କୁ ପରାଜିତ କରିଥିଲେ ।