ନୂଆଦିଳ୍ଲୀ,୫।୬: ବହୁ ଏସୀୟ ଦେଶ ଭଳି ତୁର୍କୀରେ ଏବେ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ଭିତରେ ତୁର୍କୀ ରାଷ୍ଟ୍ରପତି ରେସେପ୍ ତୈୟପ ଏର୍ଦୋଗାନ୍ ଜନ୍ମହାରରେ ହ୍ରାସକୁ ଯୁଦ୍ଧଠାରୁ ବି ବଡ଼ ବିପଦ ବୋଲି କହିଛନ୍ତି। ଏକ ରିପୋର୍ଟ ଅନୁସାରେ, ଏର୍ଦୋଗାନ୍ ଏଠାର ମହିଳାଙ୍କୁ କମ୍ ସନ୍ତାନ ଜନ୍ମ କରିବାର ନିଷ୍ପତ୍ତିକୁ ନେଇ ଚିନ୍ତିତ ଅଛନ୍ତି। ଦେଶରେ ସ୍ଥିତି ଲଗାତାର ଗମ୍ଭୀର ହେବାରେ ଲାଗିଛି। ଏବେ ଏର୍ଦୋଗାନ୍ ଜନ୍ମହାରକୁ ବଢାଇବା ପାଇଁ ନୂଆ ନୀତି ଘୋଷଣା କରିଛନ୍ତି।
ତୁର୍କୀରେ ୨୦୨୫ କୁ ପରିବାର ବର୍ଷ, ଅର୍ଥାତ ଫ୍ୟାମିଲି ଇୟର ଭାବରେ ଘୋଷିତ କରାଯାଇଛି। ଏହା ପୂର୍ବରୁ ଏର୍ଦୋଗାନ କହିଥିଲେ, ୨୦୨୬ରୁ ଆରମ୍ଭ ହେବାକୁ ଥିବା ଦଶକକୁ ‘ପରିବାରର ଦଶକ’ ନାମ ଦିଆଯିବ। ରାଷ୍ଟ୍ରପତି ଏଠାର ମହିଳାଙ୍କୁ ଅତି କମ୍ରେ ତିନୋଟି ସନ୍ତାନ ଜନ୍ମ କରିବାର ଅପିଲ କରିଛନ୍ତି। ଏହାଛଡା ନବବିବାହିତଙ୍କ ସନ୍ତାନ ଜନ୍ମ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯିବ।
ତେବେ ତୁର୍କୀ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଦେଶର ସ୍ଥିତି ସୁଧୁରିବାର ଆଶା ନାହିଁ। ତୁର୍କୀ ବର୍ତ୍ତମାନ ସମୟରେ ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଠାର ଦରଦାମ୍ ବୃଦ୍ଧି ଚରମ ସୀମାରେ ପହଁଞ୍ଚିଛି। ଯାହାଫଳରେ ଲୋକେ ସନ୍ତାନ ଜନ୍ମ ପାଇଁ ବିଶେଷ ଇଚ୍ଛା କରୁନାହାନ୍ତି। ଜନ୍ମହାର ୨୦୦୧ ରେ ପ୍ରତି ମହିଳାଙ୍କ ମଧ୍ୟରେ ୨.୩୮ରୁ ହ୍ରାସ ପାଇ ୨୦୨୫ ରେ ୧.୪୮ ହୋଇଯାଇଛି। ଏହି ସଂଖ୍ୟା ଫ୍ରାନ୍ସ, ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ମଧ୍ୟ କମ୍ ରହିଛି। ଏର୍ଦୋଗାନ ଏହାକୁ ବଡ଼ ବିପଦ ବୋଲି କହିଛନ୍ତି।