ଘଟଗାଁ,୧୧/୦୭: ଆଷାଢ ମାସର ଶେଷ ଗୁରୁବାରରେ ଘଟଗାଁ ମା’ ତାରିଣୀ ପୀଠରେ ପାଳିତ ହୋଇଯାଇଛି ଆଷାଢ଼ୀ ପର୍ବ । ପରମ୍ପରା ଅନୁସାରେ ନୀତିକାନ୍ତି ସମ୍ପନ୍ନ ହୋଇଛି । ଶହ  ଶହ ଶ୍ରଦ୍ଧାଳୁଙ୍କ ଆଗମନ ଘଟଗାଁ ପୀଠକୁ ଉତ୍ସବମୁଖର କରିଥିଲା । ମନ୍ଦିର ପ୍ରଶାସନ, ପୂଜକ, ସେବାୟତ,ଘଟଗାଁ ପୁଲିସ ପକ୍ଷରୁ  ଶାନ୍ତିଶୃଙ୍ଖଳାରେ ପୂଜା ଶେଷ ହୋଇଛି । ମନ୍ଦିର  କାର୍ଯ୍ୟାଳୟ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ଘଟଗାଁ ଏସ୍‌ଡିପିଓ  ବିଜୟ କୃଷ୍ଣ ମହାପାତ୍ର ଓ ଥାନାଧିକାରୀ ପ୍ରଶାନ୍ତ  କୁମାର ସାମଲଙ୍କ ସମେତ ପୁଲିସ କର୍ମଚାରୀ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିଥିଲେ ।  

କିମ୍ବଦନ୍ତୀ ରହିଛି ଯେ, ଭକ୍ତଙ୍କ ଦୁଃଖ ଦୂର ପାଇଁ ଆଷାଢୀ ପର୍ବରେ ଦିନ ତମାମ ମା’ ତାରିଣୀ  ଉପବାସ ରହି ଧ୍ୟାନରେ ବସନ୍ତି । କିଛି ବର୍ଷ ପୂର୍ବେ ଘଟଗାଁ ଅଞ୍ଚଳରେ ବର୍ଷା ହେଲାନାହିଁ । ବର୍ଷା ନହେବାରୁ ମରୁଡି ହେବା ଆଶଙ୍କା ଦେଖା  ଦେଲା । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଲା । ଏଣୁ  ଚାଷୀ କୂଳ ଏକାଠି ହୋଇ ମା’ ତାରିଣୀଙ୍କ ଶରଣ  ପଶିଲେ । ଚାଷୀ କୂଳଙ୍କୁ ଉଦ୍ଧାର କରିବା ଲାଗି  ବର୍ଷା କରାଇବାକୁ ମା’ଙ୍କୁ ପ୍ରାର୍ଥନା କରିଥିଲେ ।  ଆଷାଢ଼ ମାସର ଶେଷ ଗୁରୁବାରରେ ଚାଷୀ  କୂଳଙ୍କ ରକ୍ଷା ପାଇଁ ମା’ ତାରିଣୀ ଦିନ  ତମାମ ଉପବାସ ରହି ପ୍ରଭୁ ନାରାୟଣଙ୍କୁ ଜଣାଇଥିଲେ । ଏହା ପରେ ବର୍ଷା ହୋଇଥିଲା ।  ଚାଷୀ କୂଳ ମରୁଡ଼ିରୁ ରକ୍ଷା ପାଇଥିଲେ ।   

ପରମ୍ପରା ଅନୁସାରେ, ମା’ ତାରିଣୀ  ପୀଠରେ ସମସ୍ତ ନୀତିକାନ୍ତ ସମ୍ପନ୍ନ ହୋଇଛି ।  ବିଧି ଅନୁସାରେ ସକାଳୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ମନ୍ଦିର ବନ୍ଦ ରହିଥିଲା । ମା’ଙ୍କ ଦର୍ଶନ ପାଇଁ  ଚାତକ ଭଳି ଫାଟକ ବାହାରେ ଅପେକ୍ଷା  କରିଥିଲେ ଭକ୍ତ । ସନ୍ଧ୍ୟା ୭ଟାରେ ପରେ  ସୁନାବେଶ ହୋଇ ସର୍ବଦର୍ଶନ ଦେଇଥିଲେ  ଦୁଃଖନାଶିନୀ । ହରିବୋଲ, ହୁଳାହୁଳି ଏବଂ  ମା’ଙ୍କ ଜୟ ଜୟ କାର ଧ୍ୱନି କିଛି ସମୟ  ପାଇଁ ଗଗନ ପବନ ପ୍ରକମ୍ପିତ କରିଥିଲା । ରାତି  ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଶୃଙ୍ଖଳିତ ଭାବେ  ମା’ଙ୍କ ଦର୍ଶନ କରିଥିଲେ ।

ସ୍ୱର୍ଣ୍ଣ ଅଳଙ୍କାରରେ  ସୁସଜ୍ଜିତ ମା’ଙ୍କ ଦର୍ଶନ ପାଇଁ ନତମସ୍ତକ  ହୋଇଥିଲେ ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ତରଫରୁ  ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା  ପରେ ପୂଜକ ଏବଂ ଆଖପାଖ ୩୬ଟି ମୌଜାରୁ  ଆସିଥିବା ମୁଖିଆଙ୍କ ଭୋଗଡାଲା ସହ ମାନସିକ  ବୋଦା ମନ୍ଦିର ଭିତରକୁ ନିଆଯାଇଥିଲା । ମା’ଙ୍କ  ମାଜଣା, ରୀତିନୀତି ପରେ ଷୋଡ଼ଷ ଉପଚାର  ବିଧି ଏବଂ ଶାବରୀ ମନ୍ତ୍ରରେ ପୂଜା ହୋଇଥିଲା ।  ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ଆରମ୍ଭ  ହୋଇଥିଲା । ନିଶାର୍ଦ୍ଧରେ ବରିଷ୍ଠ ପୂଜକଙ୍କୁ ନେଇ  ପୂଜା ମା’ଙ୍କ ସନ୍ଧି ପୂଜା ହୋଇଥିବା ଜଣାପଡିଛି।