ଭବାନୀପାଟଣା,୧୩।୫: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଶିଉନି  ଉଚ୍ଚ ବିଦ୍ୟାଳୟର ଆଜବେଷ୍ଟସ୍  କାଳବୈଶାଖୀରେ ଉଡିଯାଇଛି। ଝଡ଼ ତୋଫାନ ହେବା ଯୋଗୁଁ ଆଜବେଷ୍ଟସ ଛାତ ସ୍କୁଲ୍ କାନ୍ଥରୁ ସଂପୂର୍ଣ୍ଣ ଉପୁଡ଼ିଯାଇ ଉଡି ଯାଇଥିଲା। ତେବେ  ଗ୍ରୀଷ୍ମ କାଳୀନ ଛୁଟି ହୋଇଥିବାରୁ ପିଲାଏ ଏକ ବଡ ବିପଦରୁ ବର୍ତ୍ତି ଯାଇଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। 

ପ୍ରକାଶ ଯୋଗ୍ୟ, ୨୦୨୩-୨୪ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଶିଉନି ଗାଆଁକୁ ଦିଆଯାଇଥିବା ୩ଲକ୍ଷ ୫୦ହଜାର   ଅନୁଦାନର ବିନିଯୋଗରେ ଶୋଚନୀୟ  ଶିଉନି ଗାଆଁ ସ୍କୁଲ ରୂପାନ୍ତର, ମରାମତି ଓ ସ୍କୁଲ ଶ୍ରେଣୀ ଗୃହର ଛାତ ନିର୍ମାଣ ହୋଇଥିଲା। ମାତ୍ର ବ୍ଲକ୍ ଦ୍ଵାରା ନିୟୋଜିତ ଠିକାଦାର ନିମ୍ନମାନର କାମ କରିଥିବା ନେଇ ସେ ସମୟରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ମଙ୍ଗଳବାର ସ୍କୁଲର ଆଜବେଷ୍ଟସ ପବନରେ ଉଡିଯିବା ସହ କାନ୍ଥ ଭାଙ୍ଗିଯାଇଛି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।