ଭୁବନେଶ୍ୱର, ୧୨l୪(ବ୍ୟୁରୋ): ଆଶାଙ୍କ ଗାୟନରେ ଆନନ୍ଦ ଓ ଔଦାର୍ଯ୍ୟର ଗାମ୍ଭୀର୍ଯ୍ୟ ବି ଅଛି, ଭାରତୀୟ ଶାସ୍ତ୍ରୀୟ, ଉପ ଶାସ୍ତ୍ରୀୟ, ସୁଗମ, ଲୋକସ୍ୱର ସହ ପାଶ୍ଚାତ୍ୟ ସଙ୍ଗୀତର ଅଦ୍ଭୁତ ମିଶାମିଶି ବି ଅଛି l ଗାୟନ ଓ ଭାବସ୍ଫୁଟନ ମଧ୍ୟରେ ଏକ ସୁକ୍ଷ୍ମ ସନ୍ତୁଳନ ବି ଅଛି l ଅଛି ବୋଲି ସେ ଆଜି ନଥାଇ ବି ଆମ ସହ ଅଛନ୍ତି ଓ ରହିବେ ସବୁଦିନ ବୋଲି ବିଶିଷ୍ଟ ସିନେ ସାମ୍ବାଦିକ ତଥା ଫିଲ୍ମ ଜର୍ଣ୍ଣାଲିଷ୍ଟସ ଫୋରମ (ଏଫଜେଏଫ)ର ମୁଖ୍ୟ ସୂର୍ଯ୍ୟ ଦେଓ କହିଛନ୍ତି l
ସୂର୍ଯ୍ୟ ଦେଓ ଆହୁରି କହିଛନ୍ତି, ଆମ ଓଡ଼ିଆ ଗୀତି ପ୍ରବାହରେ ତାଙ୍କର ସ୍ୱର ସ୍ୱାକ୍ଷର ବି ଅଛି l ତାଙ୍କ ଗାୟନ ଓ ଶଙ୍କର ଏହସାନ ଲୟଙ୍କ ସଂଗୀତ ସଂଯୋଜନାରେ ‘ବନ୍ଦେ ଉତ୍କଳ ଜନନୀ’ ଅଛି, ବାପୁ ଗୋସ୍ୱାମୀଙ୍କ ରଚନା ଓ ଦେବୀତୋଷ ଆଚାର୍ଯ୍ୟଙ୍କ ସଂଗୀତ ସଂଯୋଜନାରେ ଶ୍ରୀଜଗନ୍ନାଥ ଜଣାଣ ‘ମଣିମା ! ତୁମେ ଏକା ସାଆନ୍ତ ବୋଲି, ଦୁଃଖ ମୁଁ ଯାଇଛି ଭୁଲି’ ମଧ୍ୟ ଅଛି l
'ଅରୁନ୍ଧତୀ' ଚଳଚ୍ଚିତ୍ର:
୧୯୬୮ର 'ଅରୁନ୍ଧତୀ' ଚଳଚ୍ଚିତ୍ର ପାଇଁ ଆଶା ଗାଇଥିଲେ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚିତ ଓ ଶାନ୍ତନୁ ମହାପାତ୍ରଙ୍କ ସ୍ୱର ସଂଯୋଜିତ ‘ରସିଆରେ, ଯା'ରେ ଯା' କହିଯା' ତୀର ତରବାରୀ ଶାଣଦିଆ ଛୁରୀ ଅବା ଏ ରସିଲା ଆଖିର କଟାରି କିଏ କାଟି ପାରେ କଲିଜା, ରାଣ ତତେ କହିଯା'। ତେବେ ଏ ଗୀତର ଗ୍ରାମୋଫୋନ୍ ରେକର୍ଡ ହେଲା ନାହିଁ, କେବଳ ଚଳଚ୍ଚିତ୍ରରେ ରହିଗଲା l ପୁଣି ଅବଧି ଦୀର୍ଘ ହେବାରୁ ମୁକ୍ତିଲାଭର କିଛି ସପ୍ତାହ ପରେ ଚଳଚ୍ଚିତ୍ରରୁ ବି ଗୀତଟି ଉଠିଗଲା l
ସାତ ବର୍ଷ ପରେ...
ଏହାର ସାତ ବର୍ଷ ପରେ ନିଜର ଚର୍ଚ୍ଚିତ କ୍ୟାବେରେ ଗାୟନ ଶୈଳୀ ନେଇ ଆଶା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ଆସନ୍ତି l ଗଣେଶ ମହାପାତ୍ରଙ୍କ ରଚିତ ତଥା ଭୁବନ-ହରିଙ୍କ ସଂଯୋଜିତ ସମୟ ଚଳଚ୍ଚିତ୍ରରେ ସ୍ଥାନିତ ‘ଝିମି ଝିମି ଝିମିକା ମଜା, ଚାଖିଲେ ନ ଛାଡ଼ିବୁ ରଜା’ରେ ଆଶାଙ୍କ ଗାୟନର ନିଶାରେ ସେ ସମୟରେ ଏମିତି କେହିନାଇଁ, ଯିଏ ମତୁଆଲ୍ ହୋଇନାଇଁ। ୧୯୮୧ରେ ମୁକ୍ତିପ୍ରାପ୍ତ ‘ଆରତି’ ରେ ସୁରେନ୍ଦ୍ର ବିଦ୍ୟାଧରଙ୍କ ରଚିତ ତଥା ବାସୁଦେବ ରଥଙ୍କ ସ୍ୱର ସଂଯୋଜିତ ‘ଜହ୍ନ ଗୋ ତୁମେ ଝୁରନା, ଝରାଇ ଲୁହ ଜୋଛନା’ ଅଶାଙ୍କ ଅନ୍ୟତମ ଓଡ଼ିଆ ଗୀତ l ୧୯୮୪ରେ ମୁକ୍ତିପ୍ରାପ୍ତ ଗୁରୁ ମହାନ୍ତି ଓ କମଳ ପଟ୍ଟନାୟକଙ୍କ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶିତ ‘ରାଧା’ ପାଇଁ ଅମିତ କୁମାରଙ୍କ ସହ ଆଶା ଗାଇଥିଲେ କମଳ ପଟ୍ଟନାୟକଙ୍କ ରଚିତ ‘ଏ ମନ ପିଆଲାରେ ଭରିଦିଅ ପୀରତି ମଦିରା' l ପୁଣି ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ ନିର୍ଦ୍ଦେଶିତ ୧୯୯୨ର ଓଡ଼ିଆ ଚଳଚ୍ଚିତ୍ର ‘ମା’ ପାଇଁ ସେ ଗାଇଥିଲେ ସ୍ୱରୂପ ନାୟକଙ୍କ ରଚନା ‘ ତୋ’ ନାଁରେ ପିନ୍ଧିଲି ଚୂଡ଼ି, ତୋ’ ନାଁରେ ଶାଢ଼ି, କେବେ ଆସିବୁ ମୋ’ ଘରକୁ ତୁ ପାଲିଙ୍କି ଚଢ଼ି’। ଏହା ବ୍ୟତୀତ ଆଶାଙ୍କ ଆଉ ଏକ ଓଡ଼ିଆ ଚଳଚ୍ଚିତ୍ର ଗୀତ ଅଛି, ସେ ଗୀତର ରେକର୍ଡ ରିଲିଜ୍ ହୋଇଛି କିନ୍ତୁ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ l ବାସୁଦେବ ରଥଙ୍କ ସଂଗୀତ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସଂଧ୍ୟାତାରା’ ପରଦାକୁ ଆସି ପାରିଲା ନାହିଁ କିନ୍ତୁ ‘ସଂଧ୍ୟାତାରା’ ଚଳଚ୍ଚିତ୍ର ଗୀତର ଗ୍ରାମୋଫୋନ୍ ରେକର୍ଡ ବଜାରକୁ ଆସିଥିଲା l ସେଥିରେ ଥିଲା ଆଶା ଗାଇଥିବା ଗୀତ ‘ମୁଁ ହଜିଛି ତୁମ ଆଖିରେ, ମୁଁ ଖୋଜୁଛି ସପନରେ’ l
ଆଶାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି:
ଆଶାଙ୍କ ଓଡ଼ିଆ ଗୀତର ସଂଖ୍ୟା ବୋଧେ ଏତିକି l ଏତିକିରେ କିନ୍ତୁ ଆଶା ଖାସ୍ ଓଡ଼ିଆ ଶ୍ରୋତାଙ୍କ ମନରେ ସବୁଦିନ ଘର କରି ରହଥିଲେ, ରହିବେ ବି l ଆଶାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି l ଓଡ଼ିଆ ଗୀତ ସହ ଆଶା ଓଡ଼ିଶାକୁ ଏବଂ ଓଡ଼ିଆମାନଙ୍କୁ ବହୁତ ଭଲ ପାଆନ୍ତି l ଅନେକ ଥର ଓଡ଼ିଶା ଆସିଛନ୍ତି, ତାଙ୍କ ସହିତ ଓଡ଼ିଶାର ବହୁତ ସ୍ମୃତି ଯୋଡ଼ି ହୋଇ ରହିଛି l