ଆବୁଧାବି,୧୧/୦୯: ଆଜି ଏସିଆ କପ୍‌ର  ଗ୍ରୁପ୍‌ ବି’ରେ ବାଂଲାଦେଶ ଓ ହଂକଂ  ପରସ୍ପରକୁ ଭେଟିବେ । ଦୁର୍ବଳ ହଂକଂ ବିପକ୍ଷରେ ବଡ଼ ବିଜୟ ସହ ପ୍ରାରମ୍ଭରୁ ରନ୍‌ ରେଟ୍‌କୁ ଊଦ୍ଧ୍ୱର୍ରେ  ରଖିବାକୁ ବାଂଲାଦେଶ ପ୍ରୟାସ କରିବ । ପ୍ରଥମ  ମ୍ୟାଚରେ ଆଫଗାନିସ୍ତାନ ଠାରୁ ପରାଜିତ ହୋଇ  ସାରିଥିବା ହଂକଂ ଦଳ ପାଇଁ ଏହି ମ୍ୟାଚ୍‌ ‘କର ବା  ମର’ ପରିସ୍ଥିତି ସୃଷ୍ଟି କରିଛି । ଆଜି ହାରିଲେ ହଂକଂର ବିଦାୟ ଏକ ପ୍ରକାର ନିଶ୍ଚିତ ହୋଇଯିବ ।

ଏସିଆ କପ୍‌ ପୂର୍ବରୁ ବାଂଲାଦେଶ କ୍ରମାନ୍ୱୟରେ  ୩ଟି ଟି-ଟ୍ୱେଣ୍ଟି ସିରିଜ ଜିତି ସାରିଛି । ଦଳର  ମନୋବଳ ଊଦ୍ଧ୍ୱର୍ରେ ରହିଛି । ବୋଲିଂ ବିଭାଗ  ସନ୍ତୁଳିତ ଥିବା ବେଳେ ବିସ୍ଫୋରକ ବ୍ୟାଟରମାନେ  ଫର୍ମ ଫେରି ପାଇଛନ୍ତି । ତଥାପି ହଂକଂ ପ୍ରତି  ବାଂଲାଦେଶକୁ ସତର୍କ ରହିବାକୁ ପଡ଼ିବ । କାରଣ  ବାଂଲାଦେଶ ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ହଂକଂ ଠାରୁ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ପରାଜିତ ହୋଇଥିଲା । ୧୧ବର୍ଷ ତଳର ସେହି ବିଜୟ ଦଳର  ୨ଜଣ ସଦସ୍ୟ ବାବର ହୟାତ ଓ ନିଜାକତ ଖାନ  ଚଳିତ ଏସିଆ କପ୍‌ ଦଳରେ ମଧ୍ୟ ରହିଛନ୍ତି।  

ହଂକଂ ଦଳକୁ ବିଜୟ ସ୍ୱାଦ ଚାଖିବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ବ୍ୟାଟିଂରେ ଉନ୍ନତି ଆଣିବା ଜରୁରି ।  ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୌଣସି ବ୍ୟାଟର  କ୍ରିଜରେ ତିଷ୍ଠି ପାରିନଥିଲେ । ପେସ୍‌ ବୋଲିଂ ବିଭାଗକୁ ମଧ୍ୟ ଶୃଙ୍ଖଳିତ ବୋଲିଂ କରିବାକୁ ହେବ ।

ଆଜି ବାଂଲାଦେଶ ଓପନର ତନଜିଦ ହାସାନଙ୍କ ଉପରେ ନଜର ରହିବ । ସେ ସମ୍ପ୍ରତି  ଉନ୍ନତ ଫର୍ମରେ ରହିଛନ୍ତି ଓ ବିସ୍ଫୋରକ ବ୍ୟାଟିଂ  କରୁଛନ୍ତି । ସେହିପରି ବାବର ହୟାତଙ୍କ ଅଲରାଉଣ୍ଡ  ପ୍ରଦର୍ଶନ ଉପରେ ହଂକଂ ଦଳ ନିର୍ଭର କରିବ । ସେ  ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୩୯ ରନ କରିଥିଲେ ।  

ଆବୁଧାବି ପିଚ ବ୍ୟାଟିଂ ପାଇଁ ବେଶ୍‌ ଅନୁକୂଳ ।  ତଥାପି ପ୍ରାରମ୍ଭରୁ ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବ । ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ  ହେଁ ପରେ ବିସ୍ଫୋରକ ବ୍ୟାଟିଂ କରି ୧୮୮ ରନ  ସଂଗ୍ରହ କରିଥିଲା । ଆଜି ଟସ୍‌ ବିଜୟୀ  ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକା ପ୍ରକାର ନିଶ୍ଚିତ । 

 

ବାଂଲାଦେଶ:  ତନଜିଦହାସ ,  ପରଭେଜ ହୋସେନ ଇମୋନ, ଲିଟନ  ଦାସ (ଅଧିନାୟକ), ତୋହିଦ ହୃଦୟ,  ଶମିମି ହୋସେନ, ଜାକର ଅଲି, ମେହଦି  ହାସାନ, ତନଜିମ ହାସାନ, ରିଶଦ ହୋସେନ,  ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ ।

ହଂକଂ: ଜିସନ ଅଲି, ଅଂଶୁମାନ ରଥ, ବାବର  ହୟାତ, ନିଜାକତ ଖାନ, କାଲହାନ ଚାଲୁ, କିଞ୍ଚିତ  ଶାହ, ୟସିମ ମୁର୍ତାଜା(ଅଧିନାୟକ), ଏଜାଜ ଖାନ,  ଆୟୂଶ ଶୁକ୍ଳା, ଆତିକ ଇକବାଲ, ଏହସନ ଖାନ ।