ନୂଆଦିଲ୍ଲୀ,୦୯/୦୩: ଇରାନର ତେହରାନ ଠାରେ ଆୟୋଜିତ ଷଷ୍ଠ  ଏସିଆନ୍‌ ମହିଳା କବାଡ଼ି ଚାମ୍ପିଅନସିପ୍‌ରେ ଭାରତ ଟାଇଟଲ୍‌ ବଜାୟ ରଖିବାରେ  ସଫଳ ହୋଇଛି । ଆଜି ଫାଇନାଲ୍‌ ମୁକାବିଲାରେ ଦଳ ୩୨-୨୫ରେ ଆୟୋଜକ  ଇରାନକୁ ପରାସ୍ତ କରିଥିଲା । ଏଥିସହ ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ପଞ୍ଚମ ଥର  ଏସୀୟ ଟାଇଟଲ୍‌ ଜିତିବାର ସୌଭାଗ୍ୟ ଲାଭ କରିଛି । 

ସୋନାଲି ସିଙ୍ଗାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ଗ୍ରୁପ୍‌-ଏ’ରେ  ବାଂଲାଦେଶକୁ ୬୪-୨୩ରେ, ଥାଇଲାଣ୍ଡକୁ ୭୬-୨୧ରେ ଏବଂ ନେପାଳକୁ  ୪୭-୧୪ରେ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା । ସେମିରେ ଦଳ  ନେପାଳକୁ ୩୬-୧୮ରେ ପରାଜିତ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ।  ଏହି ଟୁର୍ଣ୍ଣାମେଣ୍ଟରେ ୭ଟି ଦଳ ୨ଟି ଗ୍ରୁପ୍‌ରେ ଭାଗ ନେଇଥିଲେ । ଇରାନ ତୃତୀୟ  ଥର ଏହି ପ୍ରତିଯୋଗିତା ଆୟୋଜନ କରିଥିଲା । ପୂର୍ବରୁ ଇରାନ ୨୦୦୭, ୨୦୧୭  ସଂସ୍କରଣକୁ ସଫଳତାର ସହ ଆୟୋଜନ କରିଥିଲା ।