ଭୁବନେଶ୍ଵର, ୧୭/୦୨ : ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ଯ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। କହିଲେ ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି। ବିକଶିତ ଭାରତ ପାଇଁ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍। ଆତ୍ମନିର୍ଭର ଭାରତରେ ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ୍। ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି।

​​​​​​​ 

ରାଜ୍ୟପାଳ ପୁଣି କହିଛନ୍ତି ଯେ, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି। ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ୍ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିନ୍ ରିଙ୍ଗ ରୋଡ୍ (ଭୁବନେଶ୍ବର ବାଇପାସ୍) ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି। ଭୁବନେଶ୍ଵର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ। ଏହା ଯାନବାହାନ ଭିଡ଼ କମାଇବା ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାର୍ଯ୍ୟ କରିବ ଏବଂ ସୁଗମ ବହୁମାଧ୍ୟମିକ ସଂଯୋଜନ ମାଧ୍ୟରେ ବାଣିଜ୍ୟକୁ ସୁଦୃଢ଼ କରିବ। ସେହିପରି ରାମେଶ୍ଵର-ପାରାଦୀପ କୋଷ୍ଟାଲ ହାଇୱେକୁ ଅନୁମୋଦନ ମିଳିଛି।

ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା

ରାଜ୍ୟପାଳ ପୁଣି କହିଛନ୍ତି ଯେ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ କେନ୍ଦ୍ର ସରକାର ୨୦୬୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ଓଡ଼ିଶାରେ ଦୁଇଟି ଆତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ପରିଚିତ କରିବ। ଏହା ଏକ ଐତିହାସିକ ପଦକ୍ଷେପ ଯାହା ଉଚ୍ଚ- ଦକ୍ଷତାମୂଳକ ରୋଜଗାର ସୃଷ୍ଟି କରିବ। ଏହା ସହଯୋଗୀ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେବ।

ବଢୁଛି ଲଘୁ ଖଣିଜ ରାଜସ୍ଵ

ଦେଶରେ ଇସ୍ପାତ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନରେ ଓଡ଼ିଶା ପ୍ରଥମ। ଓଡ଼ିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନର ୫୫ ଇସ୍ପାତ କାରଖାନା ଅଛି। ଯାହାକି ଦେଶର ପ୍ରାୟ ୨୩ ପ୍ରତିଶତ। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଯୋଗାଇବାକୁ ଓଡ଼ିଶା ପ୍ରସ୍ତୁତ। ଲଘୁ ଖଣିଜରେ ସରକାର ସଂସ୍କାର ଆଣୁଛନ୍ତି। ୨୦୨୨-୨୩ରେ ୧୧୯୫ କୋଟି ଆୟ ହୋଇଛି। ୨୦୨୪-୨୫ରେ ୧୭୭୬ କୋଟି ଆୟ ହୋଇଛି। ଯାହାକି ବାର୍ଷିକ ୧୯%, ୨ ବର୍ଷରେ ୪୮%ରୁ ଅଧିକ ଅଭିବୃଦ୍ଧି ଦର୍ଶାଉଛି। ମେକ୍ ଇନ୍ ଓଡ଼ିଶାରେ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ୨ ଲକ୍ଷ କୋଟିର ନିବେଶ ସହ ୧ ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ।

ମାଓ ଦମନ ଉପରେ ଦୃଢୋକ୍ତି

​​​​​​​ନକ୍ସଲଙ୍କ ମୂଳୋତ୍ପାଟନ ନେଇ ରାଜ୍ୟପାଳ ଦୃଢୋକ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ୫ ବର୍ଷରେ ୪୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ୭୮ ମାଓବାଦୀ ଗିରଫ ହୋଇଥିବା ବେଳେ ୮୨ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ୨୫ ଜଣ କ୍ୟାଡରଙ୍କୁ ନିପାତ କରାଯାଇଛି। 

ବଢିଛି ଚାଷୀଙ୍କ ମୁଣ୍ଡପିଛା ଆୟ

ରାଜ୍ୟରେ ବଢିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ। ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି। ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ ହୋଇଛି। ରାଜ୍ୟରେ ୩ ଗୁଣା ଫସଲ ଉତ୍ପାଦନ ବଢିଛି।