ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଅସ୍ତରଙ୍ଗ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା: ସଡ଼ୁ, ଧରମ ପୁଅ ଓ ବୋହୂ ଦୋଷୀ ସାବ୍ୟସ୍ତ

କଟକ/ନିମାପଡ଼ା/ଅସ୍ତରଙ୍ଗ,୬ା୨(ବ୍ୟୁରୋ/ଆପ୍ର): ବହୁଚର୍ଚ୍ଚିତ ଅସ୍ତରଙ୍ଗ ଦିନାଡିହା ଗ୍ରାମରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ନିମାପଡ଼ା ଏଡିଜେ ଚିନ୍ତାମଣି ପଣ୍ଡା ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଗ୍ରାମରେ ରହୁଥିବା ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ୍‌, ପତ୍ନୀ ଓ ଦୁଇ ନାବାଳିକାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନାର ଗ୍ରାମରକ୍ଷୀ ତଥା ମୃତ ଦୀନବନ୍ଧୁଙ୍କର ସଡ଼ୁ ଫକିର ମଲ୍ଲିକ, ହତ୍ୟାକାରୀ ତଥା ଫକିରର ଧରମ ପୁଅ ପଶ୍ଚିମ ମେଦିନାପୁର ଅଞ୍ଚଳର ହିମାଦ୍ରି ଶେଖର ଦାସ ଓରଫ ରହିମ୍‌ ଖାନ୍‌ ଓ ତାର ପତ୍ନୀ ଆୟେସା ବେଗମ୍‌କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୮ ତାରିଖରେ ଅଦାଲତ ଅଭିଯୁକ୍ତମାନଙ୍କର ଦଣ୍ଡାଦେଶ ଘୋଷଣା କରିବେ ।
ସୂଚନା ଅନୁସାରେ, ଦୀନବନ୍ଧୁ ମଲ୍ଲିକ ଶିକ୍ଷା ବିଭାଗର ଡିଆଇ ପଦବିରୁ ଅବସର ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ନଗର ଅଞ୍ଚଳର ଦିନାଡିହା ଗାଁର ଏକ ନିଛାଟିଆ ଜାଗାରେ ଘର କରି ସପରିବାରେ ରହୁଥିଲେ । ଦୀନବନ୍ଧୁଙ୍କର ସଡ଼ୁ ଫକିର ମଲ୍ଲିକ ଅନେକ ସମୟରେ ଏଠାକୁ ଆସି ତାଙ୍କ ଘରେ ରହୁଥିଲେ । ଏମିତିକି ଫକିରର ଧରମ ପୁଅ ହିମାଦ୍ରି ଓରଫ ରହିମ୍‌ ଖାନ୍‌ ମଧ୍ୟ ଦୀନବନ୍ଧୁଙ୍କ ଘରକୁ ଯାଉଥିଲେ । ଦୀନବନ୍ଧୁଙ୍କ ପାଖରୁ ୩୦ହଜାର ଟଙ୍କା ଧାର ନେବା ପାଇଁ ହିମାଦ୍ରି ଓ ତାର ପତ୍ନୀ ଆୟେସା ୨୦୧୫ ନଭେମ୍ବର ୨୧ ତାରିଖ ସଂଧ୍ୟାରେ ଦିନାଡିହା ଗାଁରେ ପହଞ୍ଚିଥିଲେ । ଟଙ୍କା ନମିଳିଲେ ପରିବାରର ସମସ୍ତଙ୍କୁ ହତ୍ୟା କରି ଟଙ୍କା ଓ ସୁନାଗହଣା ନେବା ପାଇଁ ସେମାନେ ଯୋଜନା ରଖିଥିଲେ । ଏଥିପାଇଁ ଅଭିଯୁକ୍ତମାନେ ସାଙ୍ଗରେ ଛୁରି ଏବଂ ଚାପଡ଼ ମଧ୍ୟ ଆଣି ଆସିଥିଲେ । ଖାଇପିଇ ସାରି ଶୋଇବା ବେଳକୁ ଦୀନବନ୍ଧୁଙ୍କୁ ୩୦ ହଜାର ଟଙ୍କା ହିମାଦ୍ରି ମାଗିଥିଲେ । ଦୀନବନ୍ଧୁ ଟଙ୍କା ଦେବାକୁ ରାଜି ନହେବାରୁ ହିମାଦ୍ରି ଓ ତାର ପତ୍ନୀ ଆୟେସା ଉତ୍‌କ୍ଷିପ୍ତ ହୋଇଥିଲେ । ଦୀନବନ୍ଧୁ ଓ ପରିବାର ନିଦରେ ଶୋଇଥିବା ସମୟରେ ଅଭିଯୁକ୍ତ ହିମାଦ୍ରି ଓ ପତ୍ନୀ ଆୟେସା ଜଣକ ପରେ ଜଣକୁ ଅତି ବୀଭତ୍ସ ଭାବେ ଘର ଭିତରେ ହତ୍ୟା କରିଥିଲେ । ୪ ଜଣଙ୍କର ପେଟରେ ଛୁରି ଭୁସିବା ସହ ବେକକୁ ଅତି ନିର୍ମମ ଭାବେ କାଟି ମୁଣ୍ଡ ଗଡ଼ାଇଥିଲେ । ପୂରା ପରିବାରକୁ ମୂଳପୋଛ କରିବା ପରେ ଅଭିଯୁକ୍ତ ଦମ୍ପତି ଘର ଭିତର ଟଙ୍କାପଇସା, ସୁନାଗହଣା ସବୁ ଧରି ଚମ୍ପଟ୍‌ ମାରିଥିଲେ ।
ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଅସ୍ତରଙ୍ଗ ଥାନା ପୁଲିସ୍‌ ୯୫/୧୫ରେ ଏକ ମାମଲା ରୁଜୁ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ୍‌କୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାରେ ୩୦/୧୫ରେ ଦଫା ୩୦୨(ହତ୍ୟାକାଣ୍ଡ), ୩୯୬(ଡକାୟତି), ୧୨୦(ଅପରାଧିକ ଷଡ଼ଯନ୍ତ୍ର) ଆଦି ସଙ୍ଗିନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ତତ୍କାଳୀନ ଅତିରିକ୍ତ ଏସ୍‌ପି ରବୀନ୍ଦ୍ର କୁମାର ସୁଆରଙ୍କୁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ମୃତ ଦୀନବନ୍ଧୁଙ୍କ ଲୁଟ୍‌ ହୋଇଥିବା ମୋବାଇଲ୍‌ ଫୋନ୍‌ ହିଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା । ଉକ୍ତ ମୋବାଇଲ୍‌ ଫୋନ୍‌ ନମ୍ବରକୁ କ୍ରାଇମବ୍ରାଞ୍ଚ ଟ୍ରାକିଂ କରିବା ସମୟରେ ପଶ୍ଚିମ ମେଦିନାପୁର ଅଞ୍ଚଳ ଲୋକେସନ୍‌ ଦେଖାଇଥିଲା । ଉକ୍ତ ଲୋକେସନ୍‌କୁ ପିଛା କରି କ୍ରାଇମବ୍ରାଞ୍ଚ ବାଂଲାଦେଶ ସୀମାରୁ ଅଭିଯୁକ୍ତ ହିମାଦ୍ରି ଓରଫ ରହିମ୍‌ ଖାନ୍‌କୁ ଠାବ କରିଥିଲା । ଦୀନବନ୍ଧୁଙ୍କ ସଡ଼ୁ ଫକିରର ପ୍ରରୋଚନାରେ ହିମାଦ୍ରି ଓ ତାର ପତ୍ନୀ ଆୟେସା ସହ ମିଶି ସେମାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଏବଂ ଚାପଡ଼ ଆଦିକୁ ଅଭିଯୁକ୍ତମାନେ ରାୟପୁରରେ ରହୁଥିବା ଭଡ଼ା ଘରୁ ମଧ୍ୟ ଜବତ କରିଥିଲା ।
ଦୀନବନ୍ଧୁଙ୍କ ଲୁଟ୍‌ ମୋବାଇଲ୍‌, ସୁନାଗହଣାଗୁଡ଼ିକୁ ମଧ୍ୟ ରାୟପୁରର ଏକ ଜୁଏଲାରୀ ଦୋକାନରୁ ଜବତ ହୋଇଥିଲା । ହତ୍ୟାକାରୀ ହିମାଦ୍ରୀଠାରୁ ତଥ୍ୟ ପାଇଲା ପରେ କ୍ରାଇମବ୍ରାଞ୍ଚ ଫକିରକୁ ପରେ ଗିରଫ କରିଥିଲା । ଜବତ ହୋଇଥିବା ଛୁରି, ଚାପଡ଼ ଆଦିକୁ ପୁଲିସ୍‌ ରସୁଲ୍‌ଗଡ଼ସ୍ଥିତ ଫରେନ୍‌ସିକ୍‌ ଲ୍ୟାବ୍‌ରେ ପରୀକ୍ଷା କରାଇବା ସହ ହିମାଦ୍ରି, ତାର ପତ୍ନୀ ଆୟେସା ଏବଂ ମୃତ ଦୀନବନ୍ଧୁ ଓ ତାଙ୍କ ପତ୍ନୀ, ଦୁଇ ଝିଅଙ୍କର ରକ୍ତ ନମୁନାର ଡିଏନ୍‌ଏ ଟେଷ୍ଟ୍‌ କରାଯାଇଥିଲା । ରାୟପୁରରେ ଭଡ଼ା ଘରେ ହିମାଦ୍ରି ଲୁଚାଇ ରଖିଥିବା ଛୁରି, ଚାପଡ଼ରେ ଲାଗିଥିବା ରକ୍ତ ନମୁନା ମୃତକ ଦୀନବନ୍ଧୁ ଓ ତାଙ୍କ ପରିବାର ସଦସ୍ୟଙ୍କ ରକ୍ତ ବୋଲି ଡିଏନ୍‌ଏ ଟେଷ୍ଟ୍‌ରେ ଜଣାପଡ଼ିଥିଲା । ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଏମିତି ଅନେକ ବଳିଷ୍ଠ ପ୍ରମାଣ କ୍ରାଇମବ୍ରାଞ୍ଚ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲା । ଉକ୍ତ ଘଟଣାରେ କ୍ରାଇମବ୍ରାଞ୍ଚ ପ୍ରାୟ ୯୩ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲା । ଅଦାଲତରେ ୩୦ରୁ ଅଧିକ ପ୍ରତ୍ୟକ୍ଷଦର୍ଶୀ ଭାବେ ସାକ୍ଷୀ ଦେଇଥିବା କ୍ରାଇମବ୍ରାଞ୍ଚ ଏସ୍‌ପି ଆର୍‌ ବି ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.