ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ୍)କୁ ତାଙ୍କର ଯାତ୍ରା ଓ ରହିବା ବେଳେ ସ୍ପେସ୍ ପ୍ରୋଗ୍ରାମ୍ରେ ତାଙ୍କର ଯୋଗଦାନ ପାଇଁ ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ବିରତ୍ୱ ପୁରସ୍କାର, ଅଶୋକ ଚକ୍ରରେ ସମ୍ମାନିତ କରାଯିବ। ଗଣତନ୍ତ୍ର ଦିବସ ( ୨୬ ଜାନୁଆରୀ)ର ପୂର୍ବ ସନ୍ଧ୍ୟାରେ ଏହି ଘୋଷଣା କରାଯାଇଛି।
ଶୁଭାଂଶୁ ୨୬ ଜୁନ୍, ୨୦୨୫ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସର ଡ୍ରାଗନ୍ ସ୍ପେସ କ୍ରାଫ୍ଟର ଲଞ୍ଚିଂ ହେବା ପରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚି ଥିଲେ। ସେ ସ୍ପେସ୍ ଷ୍ଟେସନରେ ପାଦ ରଖିବାର ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ ହୋଇଛନ୍ତି। ହେଲେ ମହାକାଶକୁ ଯିବାର ଭାରତୀୟଙ୍କ ମଧ୍ୟରେ ସେ ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ , ଯିଏ ୪୧ ବର୍ଷ ପୂର୍ବେ ମହାକାଶକୁ ଯାଇ ଥିଲେ। ଶୁଭାଂଶୁ ଶୁକ୍ଲାଙ୍କ ବ୍ୟତୀତ, ଗଗନ ଯାନ ମିଶନ ପାଇଁ ଚୟନ କରାଯାଇ ଥିବା ମହାକାଶ ଯାତ୍ରୀଙ୍କ ମଧ୍ୟରେ ଗୋଟିଏ , ଗ୍ରୁପ୍ କ୍ୟାପଟେନ ପିବି ନାୟରଙ୍କୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ଚଳିତ ବର୍ଷ ଦେଶର ଏହି ବ୍ୟକ୍ତିତ୍ବମାନଙ୍କୁ ମିଳିବ ପଦ୍ମ ପୁରସ୍କାର, ଓଡ଼ିଶାରୁ ୪ ଜଣ ହେବେ ସମ୍ମାନୀତ
ଶୁଭାଂଶୁ ଶୁକ୍ଳାଙ୍କର ୧୮ ଦିନର ମହାକାଶ ଯାତ୍ରା ୧୯୮୪ରେ ମହାକାଶଚାରୀ ରାକେଶ ଶର୍ମାଙ୍କ ରୁଷୀୟ ସୋୟୁଜରେ ଉଡ଼ାଣ ଭରିବାର ୪୧ ବର୍ଷ ପରେ ହୋଇଛି। ଜଣେ ଫାଇଟର ପାଇଲଟ ଭାବେ , ଶୁଭାଂଶୁ ଶୁକ୍ଳାଙ୍କ ନିକଟରେ Su-30 MKI , MiG-21,MiG-29, Jaguar Hawk ,Dornier ଓ An-32 ସହ ବିଭିନ୍ନ ବିମାନରେ ୨,୦୦୦ ଘଣ୍ଟାର ଉଡ଼ାଣର ଅନୁଭବର ପ୍ରଭାବଶାଳୀ ରେକର୍ଡ ଅଛି।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୦ ଆର୍ମଡ ଫୋର୍ସେଜ୍ କର୍ମୀଙ୍କୁ ବୀରତ୍ୱ ପୁରସ୍କାର ଦେବାର ଅନୁମୋଦନ ଦେଇଛନ୍ତି, ଯେଉଁଥିରୁ ଛଅ ଜଣଙ୍କୁ ଏହି ସମ୍ମାନ ମରଣୋତ୍ତର ମିଳିବ। ଏଥିରେ ଗୋଟିଏ ଅଶୋକ ଚକ୍ର , ତିନୋଟି କୀର୍ତ୍ତି ଚକ୍ର ,୧୩ଟି ଶୌର୍ଯ୍ୟ ଚକ୍ର (ଯେଉଁଥିରେ ଗୋଟିଏ ମରଣୋତ୍ତର ଅନ୍ତର୍ଭୁକ୍ତ), ଗୋଟିଏ ବାର୍ ଟୁ ସେନା ମେଡାଲ (ବୀରତ୍ୱ) ଓ ୪୪ଟି ସେନା ମେଡାଲ (ବୀରତ୍ୱ) ଅନ୍ତର୍ଭୁକ୍ତ ଅଛି। କୀର୍ତ୍ତି ଚକ୍ର ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମେଜର ଅର୍ଶଦୀପ ସିଂହ , ନାୟବ ସୁବେଦାର ଡୋଲେଶ୍ୱର , ସୁବବା ଓ ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ବାଳକୃଷ୍ଣନ ନାୟର ଅନ୍ତର୍ଭୁକ୍ତ ଅଛନ୍ତି।