ଜଳେଶ୍ୱର, ୦୮/୦୯: ବିଳମ୍ବିତ ରାତିରେ ଯୁବକକୁ ଭୁଜାଲିରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ମୋବାଇଲ ଫୋନ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଯୁବକ ଜଣକ ହେଲେ ହେଲେ ବାଣିଦା ଗାଁର ଅରୁଣ ମହାନ୍ତି। ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ୬୦ ନଂ ଜାତୀୟ ରାଜପଥ ଏବେ ଅସାମାଜିକ ଯୁବକମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ଅନେକ ସମୟରେ ଗାଡି ମୋଟର ଅଟକାଇ ମୋଟା ଅଙ୍କର ଚାନ୍ଦା ଆଦାୟ କରିବା ଓ ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟ୍ କରୁଛନ୍ତି। ତେବେ ରବିବାର ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ବାଣିଦା ଗାଁର ଅରୁଣ ମହାନ୍ତି ନାମକ ଯୁବକ ରାଜଘାଟ ଅଞ୍ଚଳର ଏକ ଢାବାରୁ କାମ ସାରି ନିଜ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ୩ଜଣ ଯୁବକ ବାଇକ୍ରେ ଭୁଜାଲି ଧରି ତାଙ୍କ ପଛରେ ଗୋଡାଇଥିଲେ । ଦୁର୍ବୃତ୍ତମାନେ ଜମାଳପୁର ବାଇପାସ ନିକଟରେ ଅରୁଣକୁ ଆକ୍ରମଣ କରିଥିଲେ । ଏଥିରେ ଅରୁଣର ଦୁଇ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହା ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ । ଦୁର୍ବୃତ୍ତମାନେ ତାଙ୍କ ଠାରୁ ୨୦ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇ ପଳାଇ ଥିଲେ। ଅରୁଣ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଯାତ୍ରୀ ମାନେ ଦେଖି ଜାତୀୟ ରାଜପଥ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଜାତୀୟ ରାଜପଥ ଆମ୍ବୁଲାନ୍ସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ବାଲେଶ୍ୱର ଓ ତା'ପରେ କଟକ ସ୍ଥାନାନ୍ତର କରାଯାଇଛି। ଜଳେଶ୍ୱର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ପୁଲିସ ନାଇଟ ପାଟ୍ରୋଲିଂ ନ କରିବାରୁ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।