ବିଚ୍ ରାସ୍ତାରେ ଗୋଡ଼ାଇ ହାଣିଲେ, ୨ ଆକ୍ରମଣକାରୀ ଅଟକ
ଭୁବନେଶ୍ୱର,୩ ।୨(ବ୍ୟୁରୋ): ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ପକାଇଲେ । ଆକ୍ରମଣକାରୀଙ୍କୁ ଧରି ଥାନାରେ ଅଟକ ରଖିଛି ପୁଲିସ । ହେଲେ ଆକ୍ରମଣର ଶିକାର ବ୍ୟକ୍ତିଙ୍କ ପତ୍ତା ମିଳୁନି । ପୁଲିସ ବିଭିନ୍ନ ହସ୍ପିଟାଲ୍ରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଉନି । ଏମିତି ଏକ ଘଟଣା ଘଟିଛି ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟ କାରଗିଲ ବସ୍ତି ରାସ୍ତାରେ । ଏୟାରପୋର୍ଟ ଥାନା ପୁଲିସ ଏବେ ଦ୍ୱନ୍ଦ୍ୱରେ । ଆକ୍ରମଣ କରିଥିବା ଦୁଇ ଯୁବକ ହେଉଛନ୍ତି ଖଣ୍ଡଗିରି ଥାନା ଅଧୀନ ତାରିଣୀ ବସ୍ତିର ପିଣ୍ଟୁ ଓ ଟୁକୁ । ତେବେ ଆକ୍ରମଣର ଶିକାର ଯୁବକ ମିଳି ନଥିବାରୁ କୌଣସି ମାମଲା ରୁଜୁ ନ କରି ପୁଲିସ ଚୁପ୍ ହୋଇ ବସିଛି ।
ମିଳିଥିବା ସୂଚନା ମୁତାବକ, ଆଜି ପୂର୍ବାହ୍ନ ୧୦ଟା ହେବ । କାଗଗିଲ୍ ରୋଡ୍ରେ ପିଣ୍ଟୁ ଓ ଟୁକୁ ଅନ୍ୟ ଜଣେ ସହଯୋଗୀଙ୍କ ସହ ବାଇକ୍ରେ ଜଣେ ଯୁବକଙ୍କୁ ପିଛା କରିଥିଲେ । ଏୟାରପୋର୍ଟ ପାଚେରି ନିକଟ ରାସ୍ତାରେ ତାଙ୍କୁ ଅଟକାଇଥିଲେ । ପିଣ୍ଟୁଓ ଟୁକୁ ବାଇକ୍ରୁ ଓହ୍ଲାଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ବିଧା ଗୋଇଠା ମାରିବା ପରେ ତାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଯୁବକ ଜଣଙ୍କ ମରିଗଲି ମରିଗଲି କହି ଚିତ୍କାର କରୁଥିଲେ । ତାଙ୍କ ଚିତ୍କାର ଶୁଣି କାର୍ଗିଲ ବସ୍ତିର ଲୋକମାନେ ସେଠାରେ ପହଞ୍ଚି ଯାଇଥିଲେ । ବସ୍ତି ଲୋକେ ଆକ୍ରମଣ କରୁଥିବା ଦୁଇ ଯୁବକ ପିଣ୍ଟୁ ଓ ଟୁକୁଙ୍କୁ କାବୁ କରି ନେଇଥିଲେ । ବାଇକ୍ ଚଳାଉଥିବା ଯୁବକଜଣକ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ । ଏହି ସମୟରେ ଆକ୍ରମଣର ଶିକାର ଯୁବକ ଫୋନ୍ କରି କିଛି ସହଯୋଗୀଙ୍କୁ ଡକାଇଥିଲେ । କିଛି ସମୟ ଭିତରେ ସେଠାରେ ୧୦ରୁ ଅଧିକ ବାଇକ୍ରେ ୧୬/୧୭ଜଣ ଯୁବକ ପହଞ୍ଚିଥିଲେ । ସେମାନେ ଆକ୍ରମଣର ଶିକାର ଯୁବକଙ୍କୁ କେଉଁଆଡ଼େ ନେଇ ପଳାଇଥିଲେ । ଖବରପାଇ ଏୟାରପୋର୍ଟ ଥାନା ପୁଲିସ ସେଠାରେ ପହଞ୍ଚି ଆକ୍ରମଣକାରୀଙ୍କୁ ଥାନାକୁ ନେଇ ଆସିଥିଲା । ଆକ୍ରମଣର ଶିକାର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ ସମେତ ଆଖପାଖ ଘରୋଇ ହସ୍ପିଟାଲରେ ଖୋଜିଥିଲା । ହେଲେ ପାଇନଥିଲା । ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି, ପୂର୍ବ ଶତ୍ରୁତା ଯୋଗୁଁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣର ଶିକାର ଯୁବକ ଜଣକ ହେଲେ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳର ଚନ୍ଦନ । ଚନ୍ଦନଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଏଥିଯୋଗୁଁ ସେ କେଉଁଆଡେ ଲୁଚି ପଳାଇଥିବା ସନ୍ଦେହ କରା ଯାଉଛି ।