ମୁମ୍ବାଇ ୨୭/୦୫: ଅପ୍‌କମିଙ୍ଗ ଫିଲ୍ମ ‘ହୈ ଜୱାନି ତୋ ଇଶ୍କ ହୋନା ହୈ’ରେ ନଜର ଆସିବେ ବରୁଣ ଧୱନ । ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ ପୂଜା ହେଗ୍‌ଡ଼େ ଓ ମୃଣାଳ ଠାକୁର । ସୋସିଆଲ ମିଡିଆରେ ଆଜିକାଲି ଏହି ଫିଲ୍ମ ସହ ଜଡ଼ିତ ଅନେକ ଭିଡିଓ ଭାଇରାଲ ହେଉଛି । ଇତିମଧ୍ୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବରୁଣ, ପୂଜା ଓ ମୃଣାଳ ଫିଲ୍ମ ‘ବିବି ନମ୍ବର-୧’ର ଲୋକପ୍ରିୟ ଗୀତ ‘ଚୁନରୀ ଚୁନରୀ’ରେ ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓ ଦେଖିବା ପରେ ୟୁଜର୍‌ ରାଗିଯାଇଛନ୍ତି । ସେମାନଙ୍କ କହିବା ଅନୁସାରେ, ୯୦ ଦଶକର କ୍ଲାସିକ୍‌ ଗୀତଗୁଡ଼ିକୁ ପୁନଃ ପ୍ରସ୍ତୁତ କରି ବରବାଦ କରାଯାଉଛି । 

‘ଚୁନରୀ ଚୁନରୀ’ ରିମେକ୍‌ ଗୀତର ଲିକ୍‌ ହୋଇଥିବା ଦୃଶ୍ୟରେ ବରୁଣ, ମୃଣାଳ ଓ ପୂଜା ନୃତ୍ୟ କରୁଥିବା ନଜର ଆସିଛନ୍ତି । ଭିଡିଓରେ ବରୁଣ ପ୍ରିଣ୍ଟେଡ୍‌ ସାର୍ଟ ଓ ଲାଲ୍‌ ପ୍ୟାଣ୍ଟ୍‌ ପିନ୍ଧିଛନ୍ତି । ମୃଣାଳ ଗୋଲ୍ଡେନ୍‌-ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ଷ୍ଟାଇଲିଶ୍‌ ଦିଶୁଛନ୍ତି । ପୂଜା ବି ଗୋଲ୍ଡେନ୍‌ ପୋଷାକରେ ନଜର ଆସିଛନ୍ତି । ‘ହୈ ଜୱାନୀ ତୋ ଇଶ୍କ ହୋନା ହୈ’ର ନିର୍ଦ୍ଦେଶନା ଦେଉଛନ୍ତି ବରୁଣଙ୍କ ବାପା ଡେଭିଡ୍‌ ଧୱନ୍‌ । ରମେଶ ତୌରାନି ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୧୦ରେ ଥିଏଟରକୁ ଆସିବ । 



୧୯୯୯ ମସିହାର ଫିଲ୍ମ ‘ବିବି ନମ୍ବର-୧’ର ‘ଚୁନରୀ ଚୁନରୀ’ ଗୀତ ଗାଇଥିଲେ ଅଭିଜିତ ଭଟ୍ଟାଚାର୍ଯ୍ୟ । ଫିଲ୍ମରେ ସଲମାନ ଖାନ୍‌ ଓ ସୁସ୍ମିତା ସେନ୍‌ ମୁଖ୍ୟ କଳାକର ଥିଲେ । ତେବେ ବରୁଣଙ୍କ ଅପ୍‌କମିଙ୍ଗ ଫିଲ୍ମରେ ଏହି ଗୀତର ରିମେକ୍‌ ଉପରେ କେବଳ ଦର୍ଶକ ନୁହେଁ, ଗାୟକ ଅଭିଜିତ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ ଗଣମାଧ୍ୟମକୁ କହିଛନ୍ତି, ଫିଲ୍ମର ନିର୍ଦ୍ଦେଶକ କିମ୍ବା ମ୍ୟୁଜିକ୍‌ କମ୍ପୋଜର୍‌ ତାଙ୍କୁ ଏ ବିଷୟରେ ସୂଚନା ଦେଇନାହାନ୍ତି । ଏ ବିଷୟରେ ଯାଞ୍ଚ୍‌ କରିବା ପାଇଁ ତାଙ୍କର ସାହାସ ମଧ୍ୟ ନାହିଁ । ବ୍ୟକ୍ତିଗତ ଭାବେ ଏହି ଗୀତ ତାଙ୍କ ପସନ୍ଦର ନ ଥିଲା । ବହୁତ ତରବରରେ ଗୀତ ପ୍ରସ୍ତୁତ ହୋଇଥିଲା ବୋଲି ସେ କହିଛନ୍ତି ।