ନୂଆଦିଲ୍ଲୀ,୦୬/୦୭; ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬କୁ ବିଜେତା ମିଳିଛି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ସପ୍ତମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି । ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ଫାଇଟ୍ । ଲଣ୍ଡନର ଲର୍ଡସରେ ଅଷ୍ଟ୍ରେଲିଆ ୭ ୱିକେଟରେ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଛି । ଅଷ୍ଟ୍ରେଲିଆକୁ ୧୫୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଇଂଲଣ୍ଡ । ୧୭. ୧ ଓଭରରେ ଟାର୍ଗେଟ୍ ହାସଲ କରି ନେଇଥିଲା କଙ୍ଗାରୁ ଦଳ । ଏହି ବଜୟ ସହ ରେକର୍ଡ ସପ୍ତମ ଥର ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ଅଷ୍ଟ୍ରେଲିଆ । ପରାଜୟ ସହ ଇଂଲଣ୍ଡର ଦ୍ୱିତୀୟ ଟାଇଟଲ୍ ଆଶା ଧୂଳିସାତ୍ ହୋଇଯାଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୧୭ଟି ବଲ୍ ବାକି ଥାଇ ୩ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ଦଳକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଥ୍ ମୁନି ପ୍ଲେୟାର ଅଫ୍ ଦ ମ୍ୟାଚ୍ ଓ ସିରିଜ ବିବେଚିତ ହୋଇଥିଲେ ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଅଷ୍ଟ୍ରେଲିଆ ପାଇଁ ଫଳପ୍ରଦ ରହିଥିଲା । ଇଂଲଣ୍ଡ ୭୦ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା । ଆମି ଜୋନ୍ସ ୬, ଡାନି ୱାଟ୍ହଜ୍ ୮, ଆଲିସ୍ କ୍ୟାପସି ୨୩ (୨ଚୌକା, ୧ଛକା) ଓ ହିଦର ନାଇଟ୍ ୨ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଥମ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ନାତାଲି ସ୍କିଭରବ୍ରଣ୍ଟ୍ ଖେଳିଥିଲେ ଅଧିନାୟିକା ଇନିଂସ୍ । ମଧ୍ୟ ଭାଗରେ ଫ୍ରେୟା କେମ୍ପ କ୍ରିଜ୍ରେ ଯୋଗଦେବା ପରେ ସ୍ଥିତି ସୁଧୁରିଥିଲା । ସ୍କିଭର-ବ୍ରଣ୍ଟ୍ ୪୫ବଲ୍ରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଉଭୟ ୮୦ରନ୍ର ଭାଗିଦାରୀ ଗଠନ କରି ଦଳୀୟ ସ୍କୋରକୁ ୪/୧୫୦ରେ ପହଞ୍ଚାଇ ଦେଇଥିଲେ । ସ୍କିଭର-ବ୍ରଣ୍ଟ ୫୮ (୫ଚୌକା) ଓ କେମ୍ପ ୨୮ବଲ୍ରେ ଦ୍ରୁତ ୪୪ (୪ଚୌକା, ୧ଛକା) ରନ୍ କରି ଅପରାଜିତ ଥିଲେ ।
୧୫୧ ରନ୍ର ବିଜୟ ଲକ୍ଷ୍ୟ କଷ୍ଟକର ନଥିଲା । ଯଦିଓ ଅଷ୍ଟ୍ରେଲିଆ ୧୭ ରନ୍ ମଧ୍ୟରେ ଓପନର ଜର୍ଜିୟା ଭୋଲ୍ଙ୍କ (୯) ୱିକେଟ୍ ହରାଇଥିଲା । ମାତ୍ର ମୁନି ଓ ଫୋଏବ ଲିଚ୍ଫିଲ୍ଡ ଶତକୀୟ ଭାଗିଦାରୀ ଗଠନ କରି ଇଂଲଣ୍ଡଠୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ । ଲିଚ୍ଫିଲ୍ଡ ୪୮ (୬ଚୌକା, ୨ଛକା) ରନ୍ କରି ଆଉଟ୍ ହୋଇଥିଲେ । ମୁନି ଅର୍ଦ୍ଧଶତକ ଅର୍ଜନ କରିବା ପରେ ପାଭିଲିୟନ ଫେରିଥିଲେ । ସେ ୧୦ଚୌକା ବଳରେ ୬୪ରନ୍ କରିଥିଲେ । ଏଲିସ୍ ପେରୀ (୧୩) ଓ ଆସଲି ଗାର୍ଡନର (୩)ରନ୍ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।
ଏହା ବି ପଢନ୍ତୁ....ଭାରତ- ଇଂଲଣ୍ଡର ତୃତୀୟ ଟି-୨୦ ସମୟ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅଷ୍ଟ୍ରେଲିଆ ଦଳ ରେକର୍ଡ ସପ୍ତମ ଥର ପାଇଁ ମହିଳା ଟି-୨୦ ବିଶ୍ୱକପ୍ ଜିତିଛି । ଦଳ ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ ଏବଂ ୨୦୨୬ ସଂସ୍କରଣରେ ବିଜୟୀ ହୋଇଛି । ଇଂଲଣ୍ଡ (୨୦୦୯), ୱେଷ୍ଟଇଣ୍ଡିଜ୍ (୨୦୧୬), ଏବଂ ନ୍ୟୁଜିଲାଣ୍ଡ (୨୦୨୪) ପ୍ରତ୍ୟେକ ଥରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛନ୍ତି। ଉଲ୍ଲେଖଯୋଗ୍ୟ, ସୋଫି ମୋଲିନକ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ହାରି ନାହିଁ । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ବିଶ୍ୱ ବିଜୟୀ ହୋଇଛି ମହିଳା ଅଷ୍ଟ୍ରେଲିଆ ଦଳ । ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ଅଷ୍ଟ୍ରେଲିଆକୁ ରେକର୍ଡ ୮୭, ୬୪ ୬୧୫ ଡଲାର ପ୍ରାଇଜ୍ ମନି ଘୋଷଣା କରାଯାଇଛି । ଯାହା ଭାରତୀୟ ଟଙ୍କା ଅନୁସାରେ ପ୍ରାୟ ୮୩.୪୧ କୋଟି ଟଙ୍କା । ଗତ ଟୁର୍ଣ୍ଣାମେଣ୍ଟ ତୁଳନାରେ ଏଥର ପୁରସ୍କାର ରାଶି ୧୦ ପ୍ରତିଶତ ଅଧିକ ।