କଟକ,୧୯/୦୬: ଗୁରୁବାର ବିଳମ୍ବିତ ରାତିରେ ବଜ୍ରକବାଟୀ ରୋଡ଼ ନିକଟ ଫ୍ରେଣ୍ଡସ କଲୋନୀ ବକ୍ସଡ୍ରେନ୍‌ରେ ଭିତରେ ଅଗ୍ନିକାଣ୍ଡ ଘଟିଛି । ଡ୍ରେନ୍ ଭିତରେ ଜମି ରହିଥିବା ପଲିଥିନ୍ ଆଦି ଆବର୍ଜନା ଜଳି ବାହାରକୁ ଭୁସ୍‌ଭୁସ୍ ହୋଇ ଧୂଆଁ ବାହାରିଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବକ୍ସଡ୍ରେନ୍ ସଫେଇ ପାଇଁ ସ୍ଥାନେ ସ୍ଥାନେ ପଡ଼ିଥିବା ଲୁହା ପ୍ଲେଟ୍‌କୁ  ଉଠାଇବା ମାତ୍ରେ ଧୂଆଁ ଜୋର୍‌ରେ ବାହାରି ଚାରିଆଡ଼କୁ ବ୍ୟାପି ଯାଇଥିଲା । ଫ୍ରେଣ୍ଡସ୍ କଲୋନୀ ପ୍ରବେଶ ପଥ ପାଖରୁ ବକ୍ସଡ୍ରେନ୍ ବାହାରୁଥିବା ଧୂଆଁ ଗହ୍ମାଡ଼ିଆ ପର୍ଯ୍ୟନ୍ତ ଡ୍ରେନ୍‌ରୁ ବାହାରିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ବକ୍ସଡ୍ରେନ୍ ଉପରେ ପଡ଼ିଥିବା ଲୁହା ପ୍ଲେଟ୍‌କୁ ଟେକି ଦମକଳ ବାହିନୀ ଧୂଆଁକୁ ଆୟତ୍ତ କରିବା ପାଇଁ ଆଖିବୁଜା ପାଣି ମାଡ଼ କରିଥିଲେ ମଧ୍ୟ ତାହା ସହଜରେ ନିୟନ୍ତ୍ରଣ ହୋଇନଥିଲା । ୪ଟି ସ୍ଥାନରୁ ଲୁହା ପ୍ଲେଟ୍ ଟେକିବା ପାଇଁ ଦମକଳ ବାହିନୀ ହାଇଡ୍ରା କ୍ରେନ୍‌ର ସହାୟତା ନେଇଥିଲା । ଦମକଳ କେନ୍ଦ୍ରରୁ ୩ଟି ଗାଡ଼ି ଡ୍ରେନ୍ ଭିତରେ ବାହାରୁଥିବା ଧୂଆଁକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ପାଣି ମାଡ଼ କରିଥିଲେ । ଆଗ୍ନିକମାନେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବା ପରେ ମଧ୍ୟ ରାତି ୨ଟା ଯାଏ ଧୂଆଁ କମି ନଥିଲା । ନିଆଁର ଉତ୍ପତିସ୍ଥଳ ଖୋଜିବା ପାଇଁ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ଦମକଳ କେନ୍ଦ୍ର କର୍ମଚାରୀ ଖୋଜିଥିଲେ ମଧ୍ୟ ତାହା ପାଇନଥିଲେ । ତେଣୁ ଡ୍ରେନ୍ ଭିତରୁ ବାହାରୁଥିବା ଧୂଆଁ ଥମି ନଥିଲା । ବକ୍ସଡ୍ରେନ୍ ଭିତରେ ପାଣି ଥାଇ ମଧ୍ୟ କିପରି ଅଗ୍ନିକାଣ୍ଡ ଘଟିଲା ତାହା ସାଧାରଣରେ ରହସ୍ୟମୟ ହୋଇଛି ।

 

ଡ୍ରେନ୍ ଭିତରେ ଶୁଖିଲା ଆବର୍ଜନାରେ କିଏ ନିଆଁ ଲଗାଇଛନ୍ତି ନାଁ ଅନ୍ୟ କୌଣସି ଉପାୟରେ ନିଆଁ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାନାହିଁ । ଅନ୍ୟପକ୍ଷରେ ସଫେଇ ଲାଗି ସ୍ଥାନେ ସ୍ଥାନେ ଲୁହା ପ୍ଲେଟ୍ ପକାଇବା କାର୍ଯ୍ୟ ଜାରି ରହିଛି । ଠିକା ସଂସ୍ଥା ପକ୍ଷରୁ ଲୁହା ପ୍ଲେଟ୍ ଓ ଅନ୍ୟାନ୍ୟ କାମ ପାଇଁ ଓଲଡିଂ କାର୍ଯ୍ୟ ଚାଲିଥିବା ବେଳେ କୌଣସି ଏକ ସ୍ଥାନରେ ଡ୍ରେନ୍‌ରେ ଫାଙ୍କରେ ନିଆଁ ହୁଳା ପଡ଼ି ବକ୍ସଡ୍ରେନ୍ ଭିତରେ ଥିବା ଆବର୍ଜନା ଜଳି ବ୍ୟାପିଥିବାର ଅଗ୍ନିଶମ ବାହିନୀ ତଥା ଦମକଳ କେନ୍ଦ୍ର କର୍ମଚାରୀମାନେ ଆଶଙ୍କା କରୁଛନ୍ତି ।

ଅଧିକ ପଢ଼ନ୍ତୁ :-  Rath Khala Update: ଧ୍ୱଜବତାରେ ଲାଗିବ ଆଜ୍ଞାମାଳ, ଖଳାରେ ପାରାଭାଡ଼ି ତିଆରି ଜାରି