ନୂଆଦିଲ୍ଲୀ ୧୩/୧୧: ଅଷ୍ଟ୍ରେଲିଆରେ ଏକ ସାଧାରଣ ଉପନଗରୀୟ ସ୍କୁଲ ବିଶାଳକାୟ ଓ ଭବ୍ୟ ସ୍କାଇସ୍କ୍ରାପର୍‌, ମ୍ୟୁଜିୟମ୍‌ ଓ ବିମାନବନ୍ଦର ଟର୍ମିନାଲଗୁଡ଼ିକୁ ପଛରେ ପକାଇଛି । ଶ୍ରେଷ୍ଠ ଡିଜାଇନ୍‌ ମାମଲାରେ ଏହା ଚଳିତ ବର୍ଷର ସର୍ବୋକୃଷ୍ଟ ଅଟ୍ଟାଳିକାର ମାନ୍ୟତା ହାସଲ କରିଛି । ସିଡ୍‌ନୀର ଉପନଗର ଚିପେନ୍‌ଡେଲଠାରେ ଅବସ୍ଥିତ ଡାର୍ଲିଂଟନ୍‌ ପବ୍ଲିକ୍‌ ସ୍କୁଲ ତାଲିକାରେ ସାମିଲ ୨୨୦ ଅନ୍ୟ ଅଟ୍ଟାଳିକାକୁ ପଛରେ ପକାଇଛି । 

ଗତ ଶୁକ୍ରବାର ସିଙ୍ଗାପୁରରେ ଅନୁଷ୍ଠିତ ୱର୍ଲଡ୍‌ ଆର୍କିଟେକ୍‌ଚର ଫେଷ୍ଟିଭାଲ୍‌ରେ ଏହା ସମ୍ମାନାସ୍ପଦ ‘ୱର୍ଲଡ୍‌ ବିଲ୍ଡିଂ ଅଫ୍‌ ଦ ଇୟର-୨୦୨୪’ ଟାଇଟଲ ହାସଲ କରିଛି । ଗତ ବର୍ଷ ଶରତ ଋତୁରେ ସ୍କୁଲ ଖୋଲିଥିଲା । ଏହି ପ୍ରକଳ୍ପ ଏକ କୋଣୀୟ ଇଟାର କ୍ୟାମ୍ପସ୍‌ ବିଲ୍ଟିଂକୁ ଯୋଡୁଛି, ଯାହାର ଛାତର ଡିଜାଇନ୍‌ ସ୍ୱତନ୍ତ୍ର ଭାବେ ମୁନିଆ । ସ୍କୁଲ ପରିସରରେ ଏକ ବିଶାଳ ବାସ୍କେଟ୍‌ବଲ କୋର୍ଟ ଓ ଏକ କମ୍ୟୁନିଟି ଗାର୍ଡେନ୍‌ ରହିଛି । ମୁକ୍ତ ଟେରାସର ଚତୁଃପାଶ୍ୱର୍କୁ ବକ୍ର ଧାତବ ସ୍କ୍ରିନ୍‌ ଆବୃତ୍ତ କରିଛି, ଯାହା ବିଦ୍ୟାର୍ଥୀଙ୍କୁ ସୁରକ୍ଷା ଦେବା ସହିତ ଅଟ୍ଟାଳିକା ଭିତରକୁ ସୂର୍ଯ୍ୟାଲୋକ ପ୍ରଦାନ କରୁଛି । 

ଏହି ପ୍ରୋଜେକ୍ଟ ପଛରେ ଥିବା ଡିଜାଇନ୍‌ କମ୍ପାନି ଏଫ୍‌ଜେସି ଷ୍ଟୁଡିଓ ଅନୁସାରେ, ଦକ୍ଷିଣ ସିଡ୍‌ନୀରେ ଦୀର୍ଘକାଳରୁ ଏହି ସ୍କୁଲ ଚାଲିଥିଲା, କିନ୍ତୁ ୧୯୭୦ ଦଶକର ଏହି ଅଟ୍ଟାଳିକା ଆଉ କୌଣସି କାମର ନ ଥିଲା । କମ୍ପାନିର ସ୍ଥପତୀଙ୍କ ଅନୁସାରେ, ସେମାନଙ୍କ ନୂଆ ଡିଜାଇନ୍‌ ସ୍କୁଲର ଲୁକ୍‌ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା । ଏହି ପ୍ରୋଜେକ୍ଟ ମୂଳ କ୍ୟାମ୍ପସ୍‌ର ଆତ୍ମାକୁ ଧରି ରଖିବାର ଉଦ୍ଦେଶ୍ୟ ସହିତ ନୂଆ ଓ ଅଣପାରମ୍ପରିକ ଶିକ୍ଷା ପରିବେଶ ପ୍ରଦାନ କଲା । ନିଜ ପ୍ରୋଜେକ୍ଟ ବିଷୟରେ ବର୍ଣ୍ଣନା କରି କମ୍ପାନି କହିଛି, ସ୍ଥାନୀୟ ଆଦିବାସୀ ଲୋକଙ୍କ ସହିତ ସ୍କୁଲର ଦୃଢ଼ ସମ୍ପର୍କ ଥିଲା । ସେଥିପାଇଁ କମ୍ପାନି ସ୍କୁଲର ହଲ୍‌, ପ୍ରବେଶ କକ୍ଷ ଓ ଶ୍ରେଣୀକକ୍ଷରେ ଆଦିବାସୀ କଳାକୃତି ଜରିଆରେ ଏହାର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବାକୁ ଚେଷ୍ଟା କରିଛି ।