ନବରଙ୍ଗପୁର, ୧୦/୯ : ଆବାସ ଖଣ୍ଡେ ପାଇବାକୁ ଗରିବ ଗୁରୁବା ବହୁ କାକୁତି ମିନତି ହେଉଛନ୍ତି । ଏହି ଯୋଜନାରେ ଗରିବଙ୍କୁ ସରକାର ଆବାସ କାର୍ଯ୍ୟାଦେଶ ବାଣ୍ଟିଛନ୍ତି । ହେଲେ କଞ୍ଚାମାଲର ଦରଦାମ ବୃଦ୍ଧି ଯୋଗୁ ଜିଲ୍ଲାର ଅନେକ ଆବାସ ହିତାଧିକାରୀ ଘର କରିପାରୁନାହାନ୍ତି । ୨୦୨୫-୨୬ ସେପ୍ଟେମ୍ବର ସୁଦ୍ଧା ଜିଲ୍ଲାକୁ ବିଭିନ୍ନ ଆର୍ଥିକ ବର୍ଷରେ ୨୫ ହଜାର ୫୪୪ ଆବାସ ମଞ୍ଜୁର ହୋଇଥିଲା । ସେଥିରୁ ମାତ୍ର ୩ ହଜାର ୭୬୪ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୧ ହଜାର ୭୮୦ ଆବାସ ଅଧପନ୍ତରିଆ ହୋଇରହିଛି ।

ନନ୍ଦାହାଣ୍ଡି ବ୍ଲକର ସନ୍ଧ୍ୟାରାଣୀ ଭତ୍ରାଙ୍କୁ ଉଦାହରଣ ଭାବେ ନିଆଯାଇପାରେ । ତାଙ୍କ ସ୍ୱାମୀ ବହୁଦିନ ହେଲା ଆରପାରିରେ । ୩ ପୁଅଝିଅଙ୍କୁ ନେଇ ଫଟା ପଲିଥିନ ତଳେ ସନ୍ଧ୍ୟାରାଣୀ ରହୁଥିଲେ । ସରକାରଙ୍କ ତରଫରୁ ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କୁ ମାତ୍ର ୪୦ ହଜାର ଟଙ୍କା ଦିଆଯାଇଛି । ସେଥିରେ ଫାଉଣ୍ଡେସନ ଖୋଳି କାମ ଆରମ୍ଭ କରିଛନ୍ତି । ବଳକା ୧ ଲକ୍ଷ ୨୦ ହଜାର ଟଙ୍କାରେ ଆବାସଗୃହ ସଂପୂର୍ଣ୍ଣ ହେବା ନେଇ ସେ ସନ୍ଦେହ କରିଛନ୍ତି । କାରଣ ବାଲି ଟ୍ରାକ୍ଟର ପିଛା ୩ ହଜାର ୩୦୦ ଟଙ୍କା ରହିଥିବା ବେଳେ ଇଟା ଟ୍ରାକ୍ଟର ପିଛା ୮ ହଜାର, ସିମେଣ୍ଟ ବସ୍ତା ୩୩୦ଟଙ୍କା, ପ୍ୟାକିଂ ବାଲି ଟ୍ରାକ୍ଟର ପିଛା ୧୫ଶହ ଟଙ୍କା ରହିଛି । ଲୁହା ଛଡ଼ ଦର ମଧ୍ୟ ବଢିଛି । ସେଭଳି ଶ୍ରମିକ ମଜୁରି ବଢିଛି । କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ ସନ୍ଧ୍ୟାରାଣୀ ଚିନ୍ତାରେ ରହିଛନ୍ତି ।

ସନ୍ଧ୍ୟାଙ୍କ ଭଳି ଜିଲ୍ଲାର ଅନେକ ହିତାଧିକାରୀ କଞ୍ଚାମାଲର ଚଢା ଦରକୁ ନେଇ ଚିନ୍ତାରେ ଅଛନ୍ତି । ଅନେକ ଏଭଳି ହିତାଧିକାରୀ ଅଛନ୍ତି ଯୋଉଁମାନେ ଆବାସ ଘର ନିଜେ କରି ନପରି ପେଟି ଠିକାଦାର, ମଧ୍ୟସ୍ଥି କିମ୍ବା କେତେକ କ୍ଷେତ୍ରରେ ଲୋକପ୍ରତିନିଧିଙ୍କୁ ଠିକାରେ ଦେଇ ଦେଇଛନ୍ତି । ହିତାଧିକାରୀଙ୍କ ଠାରୁ ଟଙ୍କା ଉଠାଇ ଏହି ପ୍ରଭାବଶାଳୀ ବ୍ୟକ୍ତିମାନେ ଆବାସ ଘର ସଂପୂର୍ଣ୍ଣ ନକରି ଠକି ଦେଉଛନ୍ତି । ଏଭଳି ଅଧପନ୍ତରିଆ ଆବାସ ସଂଖ୍ୟା ଜିଲ୍ଲାରେ ଅଧିକ ରହିଛି । ହିତାଧିକାରୀ ଦୈନିକ ପେଟପାଟଣା ଚିନ୍ତା କରିବା ନା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଲଢିବ । ତେଣୁ ଅଧିକାଂଶ ହିତାଧିକାରୀ ମୁହଁ ଖୋଲି ପାରୁନାହାନ୍ତି ।

ବିଭାଗୀୟ ସୂଚନା ଅନୁଯାୟୀ, ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୨୧ ହଜାର ୭୮୦ ଆବାସ ଅଧପନ୍ତରିଆ ପଡିରହିଛି । ଝରିଗାଁ ବ୍ଲକରେ ୪୧୦୮ ଆବାସ ମଧ୍ୟରୁ ୩୫୮୦ ଅଧପନ୍ତରିଆ ରହିଛି । ସେଭଳି ପାପଡାହାଣ୍ଡି ବ୍ଲକରେ ୨୬୨୦ରୁ ୨୨୭୫, ରାଇଘରରେ ୨୩୦୨ରୁ ୧୯୮୯, କୋଷାଗୁମୁଡାରେ ୨୧୩୩ରୁ ୧୮୪୦, ଉମରକୋଟରେ ୩୦୫୨ରୁ ୨୬୩୨, ନନ୍ଦାହାଣ୍ଡିରେ ୧୫୦୮ରୁ ୧୨୮୮ , ଚନ୍ଦାହାଣ୍ଡିରେ ୨୮୪୦ରୁ ୨୩୮୦, ଡାବୁଗାଁରେ ୭୭୯ରୁ ୬୫୨, ନବରଙ୍ଗପୁରରେ ୧୪୫୫ରୁ ୧୨୧୧ ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରେ ୪୭୪୭ ମଧ୍ୟରୁ ୩୯୩୩ ଆବାସ ଅଧପନ୍ତରିଆ ରହିଛି । ଏନେଇ ଜଣେ ଯନ୍ତ୍ରୀଙ୍କୁ ଯୋଗଯୋଗ କରିବାରୁ ନାମ ଗୋପନ ସର୍ତ୍ତରେ କହିଛନ୍ତି, କଞ୍ଚାମାଲ ଓ ଶ୍ରମିକଙ୍କ ମଜୁରି ବୃଦ୍ଧି ଯୋଗୁ ଆବାସ ଘର ଅଧପନ୍ତରିଆ ରହୁଛି। ଗୋଟିଏ ଆବାସକୁ ଅତି କମ୍‌ରେ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରକୃତରେ ଖର୍ଚ୍ଚ ହେଉଛି ବୋଲି କହିଛନ୍ତି। ଜିଲ୍ଲାପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରୱାନଙ୍କୁ ପଚାରିବାରେ ହିତାଧିକାରୀଙ୍କୁ ସଚେତନ କରାଯାଉଛି। ଆବାସ ଘର କରିଦେବା ନାଁରେ ହିତାଧିକାରୀଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଶାସନ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା ସରକାର ଆବାସ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି ବୋଲି କହିଛନ୍ତି।