ଅଯୋଧ୍ୟା,୦୯/୧୧: ଆସନ୍ତା ବର୍ଷ ଅର୍ଥାତ ୨୦୨୫ ଜୁନ ସୁଦ୍ଧା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସରିବନି । ଆହୁରି ୩ ମାସ ଲାଗିବ । ଅର୍ଥାତ ୨୦୨୫ ସେପ୍ଟେମ୍ବର ସୁଦ୍ଧା ସରିବ ବୋଲି ଅନୁମାନ କରାଯାଉଛି । ମନ୍ଦିର ପାଚେରି ନିର୍ମାଣ କରିବା ଲାଗି ୮.୫ ଲକ୍ଷ ଘନଫୁଟ ବଂଶୀ ପାହାଡପୁର ନାଲି ପଥର ଲାଗିବ । ନାଲି ପଥର ଆସି ସାରିଛି । କିନ୍ତୁ ଏହାର କାମ କରିବା ଲାଗି ବର୍ତ୍ତମାନ ୨୦୦ ଶ୍ରମିକଙ୍କ ଅଭାବ ଦେଖାଦେଇଛି । ମନ୍ଦିରର ପ୍ରଥମ ମହଲାରେ ଲଗାଯାଇଥିବା ପଥର ଦୁର୍ବଳ ରହିଛି । ତାହା ଅତ୍ୟନ୍ତ ପତଳା । ତେଣୁ ତାକୁ କଢ଼ାଯାଇ ସେଠାରେ ମକରାନା ପଥର ଲଗାଯିବ । ସବୁ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ରାମମନ୍ଦିର ଭବନ ନିର୍ମାଣ ସମିତିର ବୈଠକ ଆଜି ଦ୍ୱିତୀୟ ଦିନ ପାଇଁ ବସିଥିଲା । ବୈଠକରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା । ମୂର୍ତ୍ତିକାରମାନେ ପ୍ରତିଶ୍ରୁତି ଦେଇଛନ୍ତି କି ମନ୍ଦିର ପରିସରରେ ଯେତେ ସବୁ ପ୍ରତିମା ସ୍ଥାପନ କରାଯିବ ତାର ନିର୍ମାଣ କାର୍ଯ୍ୟ ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ସରିବ । ସେହିଭଳି ଶ୍ରୀରାମଙ୍କ ଅନ୍ୟ ଯେଉଁ ମୂର୍ତ୍ତି ଦ୍ୱୟକୁ ନ୍ୟାସ ସ୍ୱୀକାର କରିଛି ତାକୁ ମଧ୍ୟ ଉପଯୁକ୍ତ ସ୍ଥାନରେ ପ୍ରତିଷ୍ଠା କରାଯିବ । ଏଥିପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି।