ଉତ୍ତର ପ୍ରଦେଶ, ୯।୬: ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏଠାକାର ଜଣେ କୋଟିପତି ବ୍ୟବସାୟୀଙ୍କ ପୁଅ ଆୟୁଷ ମଲ୍ଲିକ ଏବେ ନିଜ ଧର୍ମ ବଦଳାଇ ‘ମହମ୍ମଦ ଅଲ୍ଲୀ’ ସାଜିଛନ୍ତି । ତେବେ ଏହି ମାମଲା କେବଳ ଧର୍ମ ପରିବର୍ତ୍ତନ ମଧ୍ୟରେ ସୀମିତ ନାହିଁ; ଏହା ସହିତ ପ୍ରେମ ବିବାହ, କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ପୁଲିସ ତଦନ୍ତ ଭଳି ଅନେକ ଦିଗ ଯୋଡ଼ି ହୋଇ ରହିଛି, ଯାହା ଏହି ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି । ଆୟୁଷଙ୍କ ବାପା ଦେବରାଜ ମଲ୍ଲିକଙ୍କ କହିବା ଅନୁସାରେ, ଶାମଲୀ ଏବଂ ଆଖପାଖ ଅଞ୍ଚଳରେ ସେମାନଙ୍କର ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି । ଆୟୁଷ ବର୍ତ୍ତମାନ ଯେଉଁ ଶୋ’ରୁମରେ ରହୁଛନ୍ତି, କେବଳ ତାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା । ବାପା ଦେବରାଜ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ, ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ତାଙ୍କ ପୁଅକୁ ବ୍ରେନୱାଶ୍ କରାଯାଇଛି ଏବଂ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ ହିଁ ଏହି ଧର୍ମ ପରିବର୍ତ୍ତନ ଓ ବିବାହର ନାଟକ ରଚାଯାଇଛି । ସେ ନିଜ ପୁଅକୁ ପୁଣି ଥରେ ହିନ୍ଦୁ ଧର୍ମକୁ ଫେରାଇ ଆଣିବା ପାଇଁ ଚେଷ୍ଟା କରୁଛନ୍ତି ।

‘ଏହା କୌଣସି ପ୍ରଲୋଭନ ନୁହେଁ, ବର୍ଷ ବର୍ଷର ଆତ୍ମଚିନ୍ତନ’ ଆୟୁଷ

ଅନ୍ୟପଟେ ପିତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ଆୟୁଷ ଓରଫ୍ ମହମ୍ମଦ ଅଲ୍ଲୀ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, "ମୋ ଉପରେ କୌଣସି ଚାପ, ଲୋଭ କିମ୍ବା ପ୍ରଲୋଭନ ନଥିଲା । ଏହା ବର୍ଷ ବର୍ଷର ଅଧ୍ୟୟନ ଏବଂ ଆତ୍ମଚିନ୍ତନର ପରିଣାମ ।" ଆୟୁଷଙ୍କ ଦାବି ଅନୁଯାୟୀ, ସେ ହଠାତ୍ ଏହି ନିଷ୍ପତ୍ତି ନେଇନାହାନ୍ତି । ୨୦୦୭-୦୮ ମସିହାରୁ ସେ ଇସଲାମ ଧର୍ମ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ । ଦୀର୍ଘ ବର୍ଷ ଧରି ବିଭିନ୍ନ ଧାର୍ମିକ ପୁସ୍ତକ ପଢ଼ିବା ଏବଂ ବିଦ୍ୱାନମାନଙ୍କ ବକ୍ତବ୍ୟ ଶୁଣିବା ପରେ ସେ ସ୍ଵେଚ୍ଛାରେ ଏହି ନିଷ୍ପତ୍ତି ନେଇଛନ୍ତି ।

ୟୁଟ୍ୟୁବ୍ ଭିଡିଓରୁ ଆରମ୍ଭ ହୋଇଥିଲା ଜିଜ୍ଞାସା:

ଆୟୁଷ ନିଜ କାହାଣୀ ସେୟାର କରି କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ଯେତେବେଳେ ତାଙ୍କର ରକ୍ତଚାପ ବଢ଼ିଯାଇଥିଲା ଏବଂ ହାତ ଥରୁଥିଲା, ସେତେବେଳେ ଇଣ୍ଟରନେଟରେ ଏକ ଭିଡିଓ ଦେଖିଥିଲେ । ସେଥିରେ କିଛି ଧାର୍ମିକ ବହି ପଢ଼ିବାକୁ ପରାମର୍ଶ ଦିଆଯାଇଥିଲା । ସେହି ଭିଡିଓ ଯୋଗୁଁ ତାଙ୍କ ଭିତରେ ଇସଲାମ ପ୍ରତି ଜିଜ୍ଞାସା ସୃଷ୍ଟି ହେଲା । ଏହାପରେ ସେ ପାକିସ୍ତାନର ପ୍ରସିଦ୍ଧ ଇସଲାମିକ ସ୍କଲାର ଡକ୍ଟର ଇସରାର ଅହମ୍ମଦଙ୍କ ସମେତ ବିଶ୍ୱର ଅନେକ ବକ୍ତାଙ୍କ ଭିଡିଓ ଦେଖିଥିଲେ ଏବଂ ପୟଗମ୍ବର ମହମ୍ମଦଙ୍କ ଜୀବନୀ ଦ୍ଵାରା ପ୍ରଭାବିତ ହୋଇଥିଲେ ।

ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ, ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ:

ଆୟୁଷଙ୍କ ପିତାଙ୍କ ଅଭିଯୋଗ ଆଧାରରେ ସଦର କୋତୱାଲି ପୁଲିସ ଚାନ୍ଦନୀ କୁରେଶୀ, ତାଙ୍କ ପିତା ଇସଲାମ ଏବଂ କିଛି ମୌଲାନାଙ୍କ ସମେତ ସମୁଦାୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୁଲିସ ଅଧିକାରୀଙ୍କ ବ୍ୟାନ: "ଘଟଣାର ସମ୍ୱେଦନଶୀଳତାକୁ ଦେଖି ତଦନ୍ତ ପ୍ରକ୍ରିୟା ଜାରି ରହିଛି । କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଧର୍ମ ପରିବର୍ତ୍ତନ ସହ ଜଡ଼ିତ ସମସ୍ତ କାଗଜପତ୍ର ଏବଂ ବିବାହର ରେକର୍ଡ ଯାଞ୍ଚ କରାଯାଉଛି । ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କରାଯିବ ।"

ପ୍ରେମ ନା ଷଡ଼ଯନ୍ତ୍ର ?

ମାମଲାରେ ନାମିତ ଥିବା ମୌଲାନା କାସିମ କହିଛନ୍ତି ଯେ, ଦୁହେଁ ସାବାଳକ ଏବଂ ଆଇନଗତ ପ୍ରକ୍ରିୟା ଅନୁଯାୟୀ ବିବାହ କରିଛନ୍ତି । କାହାକୁ ବାଧ୍ୟ କରି ଧର୍ମ ପରିବର୍ତ୍ତନ କରାଯାଇପାରିବ ନାହିଁ । ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହା ଦୁଇଜଣ ସାବାଳକଙ୍କ ନିଜସ୍ୱ ନିଷ୍ପତ୍ତି ନା ଏହା ପଛରେ ପରିବାର ଅଭିଯୋଗ କରୁଥିବା ଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିବାର କୌଣସି ବଡ଼ ଚକ୍ରବ୍ୟୁହ ରହିଛି ? ପୁଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ଏହି ରହସ୍ୟ ଉପରୁ ପରଦା ହଟିବ ।

ଆହୁରି ପଢ଼ନ୍ତୁ... Brahmos missile: ବିଶ୍ୱର ସବୁଠାରୁ ବଡ଼ ମୁସଲିମ୍ ଦେଶ କିଣୁଛି 'ବ୍ରହ୍ମୋସ'; ପାକିସ୍ତାନର ବଢ଼ିଲା ଚିନ୍ତା