ନୂଆଦିଲ୍ଲୀ,୧୪/୧୧: ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିବା ଘଟଣା। ଏହାକୁ ନେଇ ସାମ୍ନାକୁ ଆସିଛି ବଡ ତଥ୍ୟ । ଡାକ୍ତରଖାନା ଆଗରେ ୩୦ ମିନିଟ୍ ଅପେକ୍ଷା କରିଥିଲା ମୁଖ୍ୟ ଅଭିଯୁକ୍ତ। ବାବା ସିଦ୍ଦିକିଙ୍କ ମୃତ୍ୟୁ ହେଲା କି ନାହିଁ ଜାଣିବା ପାଇଁ ଅପରାଧି ଡାକ୍ତରଖାନା ସମ୍ମୁଖରେ ଅଧଘଣ୍ଟା ଅପେକ୍ଷା କରିଥିବା ନେଇ କହିଲା ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମ।ତେବେ ଜେରା ସମୟରେ ପୁଲିସ ଆଗରେ ଏନେଇ ସ୍ୱୀକାର କରିଛି ଶିବ କୁମାର।
ପୁଲିସର ସୂଚନା ମୁତାବକ ଅନୁସାରେ, ବାବା ସିଦ୍ଦିକିଙ୍କ ହତ୍ୟା କରିବା ପରେ ସଙ୍ଗେ ସଙ୍ଗେ ସାର୍ଟ ବଦଳାଇଥିଲା ଶିବ କୁମାର । ଏହାପରେ ଗହଳି ଭିତରେ ତାଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଡାକ୍ତରଖାନା ଆଗରେ ସେ ଅଧଘଣ୍ଟା ଅପେକ୍ଷା କରିଥିଲା । ସିଦ୍ଦିକିଙ୍କ ସିଦ୍ଦିକିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶୁଣିବା ପରେ ସେଠାରୁ ଫେରାର୍ ହୋଇ ଯାଇଥିଲା। ସୂଚନା ଅନୁସାରେ, ଅକ୍ଟୋବର ୧୨ରେ ରାତି ୯ଟା ୧୦ ବେଳେ ମୁମ୍ବାଇର ବାନ୍ଦ୍ରାରେ ସିଦ୍ଦିକିଙ୍କୁ ଗୁଳି କରାଯାଇଥିଲା। y+ ସୁରକ୍ଷା ସହ ଜନ ଗହଳି ସତ୍ତ୍ୱେ ସିଦ୍ଦିକିଙ୍କ ଉପରକୁ ୬ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଏଥିରୁ ଦୁଇ ରାଉଣ୍ଡ ଗୁଳି ତାଙ୍କ ଛାତିରେ ବାଜିଥିଲା। ଏହାପରେ ତୁରନ୍ତ ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ହାତ ଥିବା କୁହାଯାଉଛି। ବିଷ୍ଣୋଇ ଗ୍ୟାଙ୍ଗର ପ୍ରାୟ ୧୩ ଜଣଙ୍କୁ ପୁଲିସ ବାନ୍ଧି ସାରି ଥିବାବେଳେ ଗତ ରବିବାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମକୁ ଗିରଫ କରିଛି। ଉତ୍ତରପ୍ରଦେଶ ଦେଇ ନେପାଳ ଖସି ଯିବାକୁ ଚେଷ୍ଟା କରିବା ସମୟରେ ଶିବ କୁମାରକୁ ଗିରଫ କରିଛି ପୁଲିସ। ଫୋନ୍ କଲ୍ ଏବଂ ମେସେଜକୁ ଟ୍ରାକ୍ କରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ଏସଟିଏ ମିଳିତ ଭାବେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।