ନୂଆଦିଲ୍ଲୀ, ୧୪/୩ : ଡିଜେ ବାଜୁଥିଲା ଆଉ ବରଯାତ୍ରୀ ଧୁମ୍ ନାଚୁଥିଲେ । ବର ମନଖୁସିରେ ରୋଷଣୀ କରି କନ୍ୟାଘର ଅଭିମୁଖେ ବାହାରିଥିଲା । ଆଉ ମାତ୍ର କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ ଏହା ପୂର୍ବରୁ ଆସି ଜଣେ ଯୁବତୀ କହିଥିଲେ ସେ ହେଉଛନ୍ତି ମୋ ପ୍ରେମିକ । ମୋ ସହ ୭ ବର୍ଷ ଧରି ସମ୍ପର୍କରେ ଥିଲେ । ଆଉ ଏବେ ଆଉ ଜଣେ ଯୁବତୀଙ୍କୁ ବାହାହେବାକୁ ଯାଉଛନ୍ତି । ସେ ଏଭଳି କରିଥିଲେ ଯେ ଶେଷରେ ବାହାଘର ଅଟକିଥିଲା । ଘଟଣା ଯାଇ ଶେଷରେ ପହଞ୍ଚିଥିଲା ଥାନାରେ । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଏକ ଖବର । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଯୁବତୀ ଜଣକ କହିଥିଲେ କି, ସେ ମୋତେ ବିବାହ କରିବାର ପ୍ରତିଶୃତି ଦେଇ ୭ ବର୍ଷ ହେବ ସମ୍ପର୍କରେ ରହିଥିଲେ । ଏହାସହ ଯୁବତୀ ଜଣକ ନିଜ ମୋବାଇଲରେ ଥିବା ସେମାନଙ୍କର ଅନେକଗୁଡ଼ିଏ ଫଟୋ ମଧ୍ୟ ସମସ୍ତଙ୍କୁ ଦେଖାଇଥିଲେ । ଯୁବତୀ ଜଣକ କହିଛନ୍ତି କି, ଏକ ବିବାହ ଉତ୍ସବରେ ପ୍ରଥମେ ତାଙ୍କ ସହ ଦେଖା ହୋଇଥିଲା । ଆଉ ସେ ମୋତେ ପ୍ରଥମେ ପ୍ରେମ ନିବେଦନ କରିଥିଲେ । ଏହାସହ ବାହା ହେବାକୁ ମଧ୍ୟ କହିଥିଲେ । ମୁଁ ରାଜି ନହେବାରୁ ମରିଯିବାକୁ ଧମକ ଦେଇଥିଲେ । ମୁଁ ରାଜି ହୋଇ ତାଙ୍କ ସହ ସମ୍ପର୍କରେ ରହିଥିଲି । ଏମିତିକି ତାଙ୍କ ପରିବାର ସହ ବିବାହ ପ୍ରସ୍ତାବ ମଧ୍ୟ ପଠାଯାଇଥିଲା । କିନ୍ତୁ ତାଙ୍କ ପରିବାର ଏବେ ଅନ୍ୟ ଜଣକ ସହ ବିବାହ କରୁଛନ୍ତି ।
ଏହାସହ ସେ କହିଛନ୍ତି କି, ପ୍ରଥମରୁ ସେ ମୋତେ ବାହାହେବାକୁ ଜିଦ୍ ଧରିଥିଲେ । ମୋ ସରଳତାର ଫାଇଦା ନେଇ ରଖିଥିବା ଫଟୋକୁ ମଧ୍ୟ ଭାଇରାଲ କରାଇଥିଲେ । ଯେଉଁ କାରଣରୁ ମୋତେ ନିନ୍ଦାର ଶିକାର ହେବାକୁ ପଡ଼ିଥିଲା । ଏମିତିକି ଏହି ଫଟୋ ଦେଖାଇ ମୋତେ ବ୍ଲାକମେଲ ମଧ୍ୟ କରିଥିଲେ । କିନ୍ତୁ ଏବେ କେମିତି ଅଲଗା ଝିଅକୁ ବାହାହେବାକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ । ସେପଟେ ଯୁବତୀଙ୍କ ଏପରି କଥା ଏବଂ ଫଟୋ ଦେଖିବାକୁ ପରେ ବରକୁ ଫେରାଇ ଦେଇଥିଲେ । ଶିଶୁପାଳ ହୋଇ ବର ଫେରିଥିବାବେଳେ ଘଟଣା ଯାଇ ପହଞ୍ଚିଥିଲା ଥାନାରେ । ଯୁବତୀ ଜଣକ ଉଚିତ ନ୍ୟାୟ ପାଇଁ ମଧ୍ୟ ପୁଲିସ ଆଗରେ ଦାବି କରିଛନ୍ତି ।
ଆହୁରି ପଢ଼ନ୍ତୁ : ଜେସନ ସଞ୍ଜୟ ନିଜ ନାଁରୁ ହଟେଇଲେ ବାପା ବିଜୟଙ୍କ ସରନେମ୍