ଲକ୍ଷ୍ନୌ,୧୪।୧୦: ଉତ୍ତର ପ୍ରଦେଶର ବହରାଇଚରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ ଯାନବାହାନ ଚଳାଚଳକୁ ପ୍ରଭାବିତ କରିଥିଲେ। ଏହାକୁ ଦେଖି ଲକ୍ଷ୍ନୌର ମୁଖ୍ୟ ସଚିବ (ଗୃହ) ସଞ୍ଜିବ ଗୁପ୍ତା ଓ ଏଡିଜି ଅମିତାଭ ୟଶ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଘଟଣାସ୍ଥଳରେ ଭିଡକୁ ଦେଖି ଅମିତାଭ ୟଶ ଆକ୍ସନରେ ଆସିଯାଇଥିଲେ। ବହରାଇଚ ପହଁଞ୍ଚିବା ମାତ୍ରେ  ଉପଦ୍ରବକାରୀଙ୍କୁ ଖୋଲାଖୋଲି ପିସ୍ତଲ ଦେଖାଇ ଅମିତାଭ ୟଶ ଭିଡକୁ ନିୟନ୍ତ୍ରଣ କରିଥିଲେ। 

ଉଲ୍ଲେଖନୀୟ ଯେ, ଦେବୀ ଦୁର୍ଗାଙ୍କ ପ୍ରତିମା ବିସର୍ଜନ ବେଳେ ବାହାରିଥିବା ଶୋଭାଯାତ୍ରା ଉପରେ ରବିବାର ଟେକାମାଡ ଓ ଗୁଳିମାଡ ହୋଇଥିଲା। ଏଥିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଉତ୍ତେଜନା।ବିସର୍ଜନ କମିଟିର ଲୋକେ ଉତ୍ୟକ୍ତ ହୋଇ ବହରାଇଚ-ସୀତାପୁର ହାଇଓ୍ବେରେ ଯାନବାହନ ଚଳାଚଳ ବନ୍ଦ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ।  ଫଳରେ ସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହାପରେ ସଞ୍ଜିବ ଗୁପ୍ତା ଓ ଅମିତାଭ ୟଶ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଯେଉଁ ସମୟରେ ଅମିତାଭ ୟଶ ସେଠାରେ ପହଁଞ୍ଚିଥିଲେ ଲୋକେ ନାରାବାଜି କରୁଥିଲେ। ଏହାକୁ ଦେଖି ଅମିତାଭ ନିଜେ ପିସ୍ତଲ ହାତରେ ଧରି ଉପଦ୍ରବୀଙ୍କୁ ଭୟ ଦେଖାଇଥିଲେ। ଏହାସହ ସାଥିରେ ଥିବା ଅନ୍ୟ ପୋଲିସ କର୍ମଚାରୀଙ୍କୁ ଭିଡ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦେଇଥିଲେ। 

ଏହି ଘଟଣା ପରେ ୩୦ ଜଣଙ୍କୁ କଷ୍ଟଡିରେ ନିଆଯାଇଛି। ସ୍ଥିତି ସ୍ବାଭାବିକ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ କରାଯାଇଛି। ହିଂସା ପ୍ରଭାବିତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଦେଖି ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ପୋଲିସ ଏସ୍‌ପି ବୃନ୍ଦା ଶୁକ୍ଲା କହିଛନ୍ତି। ଏହି ମାମଲାରେ ସଲମାନ ନାମକ ଜଣେ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରାଯାଇଛି। କୁହାଯାଉଛି ଯେ ସେ ଦୋକାନରୁ ଗୁଳିମାଡ କରିଥିଲେ। ସନ୍ଦିଗ୍ଧ ଲୋକଙ୍କୁ ପୋଲିସ ନିଜ କଷ୍ଟଡିରେ ନେଇଛି।