ଏ ବର୍ଷ ବାହୁଡ଼ା ଦିନ ସୁନାବେଶ: ଚିନ୍ତାରେ ପ୍ରଶାସନ

source:www.youtube.com
ପୁରୀ,୮ ।୨(ବ୍ୟୁରୋ): ଚଳିତ ବର୍ଷ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଉ ବଡ଼ଚଢ଼ାଉ ବେଶ (ରଥ ଉପରେ ସୁନାବେଶ) । ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା , ସେହିଦିନ ହିଁ ହରିଶୟନ ଏକାଦଶୀ ତିଥି । ଯୁଗଯୁଗ ଧରି ରଥାରୁଢ଼ ମହାପ୍ରଭୁଙ୍କ ସୁନାବେଶ ଏହି ତିଥିରେ ହୋଇଆସୁଛି । ଏହି ତିଥି ମେଳକ ପ୍ରଶାସନର ଦିନ ହଜାଇ ଦେଇଛି । କାରଣ ତା ପରଦିନଠାରୁ ଅଶୁଦ୍ଧ ବେଳା ଆରମ୍ଭ ହେଉଛି । ଅଶୁଦ୍ଧ ବେଳାରେ ରଥାରୁଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ କରିବାକୁ ପଣ୍ଡିତମାନେ ଅନୁମତି ଦେବାର ଆଶା କରାଯାଉନାହିଁ । ତଥାପି ଏହି ଚିନ୍ତା ଦୂର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶ ନେବାକୁ ବିଚାର କରୁଛି । ତା ବ୍ୟତୀତ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହଯୋଗରେ ହିଁ ଚଳିତ ବର୍ଷ ଏହି ଯୋଡା ପର୍ବତିଥିର ସଫଳ ରୂପାୟନ ତଥା ପ୍ରତିକାର ବ୍ୟବସ୍ଥା ବାହାରିବା ଆଶା କରାଯାଉଛି । ସେବାୟତଙ୍କୁ ବିଶ୍ୱ୍ୱାସକୁ ନେଇ ପ୍ରଶାସନ ରଥ ଉପରେ ସୁନାବେଶ କରିଦେବ । କିନ୍ତୁ ଏହି ଯୋଡା ପର୍ବର ପରିଚାଳନା ହିଁ ଏବେ ମୁଖ୍ୟ ସଙ୍କଟ ହେବା ଆଶଙ୍କା କରାଯାଉଛି ।
ବାହୁଡା ଯାତ୍ରା ଦିନ ହିଁ ସୁନାବେଶ କଲେ ଅସୁବିଧା ବଢ଼ିଯିବ । ଦର୍ଶନାର୍ଥୀ ଏବଂ ସୁବର୍ଣ୍ଣ ଅଳଙ୍କାରଗୁଡିକର ସୁରକ୍ଷା ବ୍ୟତୀତ ଗହଳି ନିୟନ୍ତ୍ରଣ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ରୂପେ ଠିଆ ହେବାର ଆଶଙ୍କା କରାଯାଉଛି । କାରଣ ପ୍ରତିବର୍ଷ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବାକୁ ଅନ୍ୟୁନ ଦଶ ଲକ୍ଷ ଭକ୍ତ ପୁରୀ ଆସୁଛନ୍ତି । ଗୋଟିଏ ଦିନରେ ବାହୁଡ଼ା ଓ ରଥଯାତ୍ରାା ପଡୁଥିବାରୁ ଦର୍ଶନାର୍ଥୀଙ୍କ ସଂଖ୍ୟ ବି ବଢ଼ିଯିବ । ଏହି କାରଣରୁ ଗହଳି ନିୟନ୍ତ୍ରଣ ଏକ ବିଶେଷ ସମସ୍ୟା ହୋଇ ଠିଆ ହେବ । ତା ବ୍ୟତୀତ ସୁନାବେଶ ଦର୍ଶନ ପାଇଁ ଦିନକ ପୂର୍ବରୁ ସାଧାରଣତଃ ପ୍ରଶାସନ ପ୍ରସ୍ତୁତି କରିଥାଏ । ବାହୁଡ଼ା ରଥ ପହଞ୍ଚିବା ପରେ ମରିଚିକୋଟ ଛକରୁ ବ୍ୟାରିକେଡ୍ ନିର୍ମାଣ ହୁଏ । ରଥ ଚାରି ପାଖରେ ନିର୍ମିତ ବ୍ୟାରିକେଡରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଏ । ସୁନାବେଶର ସମଗ୍ରୀର ସୁରକ୍ଷା ଆଉ ଏକ ଚିନ୍ତାର କାରଣ ହେବ । ସୁନାବେଶ ଦର୍ଶନ ପାଇଁ ପ୍ରତିବର୍ଷ ରଥ ଚାରିକଡରେ ବ୍ୟାରିକେଡ୍ ନିର୍ମାଣ ହେଉଛି । ଧାଡ଼ି ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । କିନ୍ତୁ, ରଥସବୁ ଗୋଟିଏ ସ୍ଥାନରେ ନଲାଗିଲେ ଏସବୁ ବ୍ୟବସ୍ଥା କରିହେବ ନାହିଁ । ଏହି ସବୁ କାରଣରୁ ଚଳିତ ବର୍ଷ ଦିନକରେ ଏହି ଦୁଇ ଗୁରୁତ୍ୱପୂର୍ଣ ଯାତ୍ରା ସମ୍ପନ୍ନ କରିବା ପ୍ରଶାସନ ପାଇଁ ଏକ ଆହ୍ୱାନ ପାଲଟିଛି ।