୨୪।୭: ଆପଣ ବି ହୋଇପାରିବେ ଜଣେ 'ମାଇଣ୍ଡ ରିଡର୍', ଜାଣନ୍ତୁ ସାଇକୋଲୋଜିର କିଛି ଅଜଣା କଥା । ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଥିବା ମଣିଷଟି ସଚ୍ଚୋଟ ନା ତା' କଥାରେ ରହିଛି ଛଳନା ? ସେ ସତ କହୁଛି ନା ତା' ମୁହଁର ହସ ପଛରେ ଲୁଚି ରହିଛି ମିଛ କାହାଣୀ ? ଆପଣ ବି କ'ଣ କାହା ଆଖିକୁ ଦେଖି ତା' ମନର କଥା ପଢ଼ିବାକୁ ଚାହୁଁଛନ୍ତି ? ଜଣେ ଆପଣଙ୍କ ସହିତ ଯେଉଁଭଳି ମିଶେ, ସିଏ ପ୍ରକୃତରେ ସେଇ ଭଳି ନା ମୁଖା ମଣିଷ ? ଆପଣଙ୍କ ମନରେ କେବେ ନା କେବେ ଭାବନା ଆସୁଥିବ, ହୁଏତ ମୁଁ କାହା ମନର କଥା ପଢ଼ିପାରନ୍ତି କି ! ମନୋବିଜ୍ଞାନ ବା ସାଇକୋଲୋଜି କହୁଛି କୌଣସି ମଣିଷର ମନକୁ ୧୦୦ ପ୍ରତିଶତ ପଢ଼ିବା ହୁଏତ ସମ୍ଭବ ନୁହେଁ, କିନ୍ତୁ ଜଣଙ୍କର କିଛି ଛୋଟ ଛୋଟ ଆଚରଣ, କଥାବାର୍ତ୍ତା, ଆଖି ଠାଣି ଏବଂ ଶରୀରର ହାବଭାବ ଆପଣଙ୍କୁ ତାଙ୍କ ମନର ଭାବନା ବୁଝିବାରେ ନିଶ୍ଚିତ ସାହାଯ୍ୟ କରିବ । ଆଜିର ଏହି ବିଶେଷ ରିପୋର୍ଟରେ ଜାଣିବା ସେହି ସାଇକୋଲୋଜିକାଲ୍ ହ୍ୟାକ୍ ବିଷୟରେ, ଯାହା ଆପଣଙ୍କୁ ଜଣେ 'ମାଇଣ୍ଡ ରିଡର୍' ଭଳି ସାମ୍ନା ଲୋକର ମନ ବୁଝିବାରେ ସାହାଯ୍ୟ କରିବ ।
ପ୍ରଥମେ ସାମନା ଲୋକର ଆଖିକୁ ନଜର କରନ୍ତୁ । ସାଧାରଣତଃ କୌଣସି ବ୍ୟକ୍ତି ଯଦି କଥା ହେବା ସମୟରେ ବାରମ୍ୱାର ଆଖି ମିଟିମିଟି କରିବାକୁ ଲାଗନ୍ତି, ତେବେ ଏହା ମାନସିକ ଚାପ କିମ୍ବା ଅସହଜତାର ବଡ଼ ସଙ୍କେତ । ମନୋବିଜ୍ଞାନୀଙ୍କ ମତରେ, କେବଳ ଏହି ଗୋଟିଏ ଆଧାରରେ କାହାକୁ ମିଛୁଆ କୁହାଯାଇପାରିବ ନାହିଁ, କାରଣ ସାଧାରଣ ଥକାପଣ କିମ୍ବା ଆଖିର ସମସ୍ୟା ଯୋଗୁଁ ବି ଏପରି ହୋଇପାରେ । ଅନେକ ସମୟରେ ଲୋକେ ଭାବନ୍ତି ଯେ ଯିଏ ଆଖିରେ ଆଖି ମିଶାଇ କଥା ହୁଏନାହିଁ, ସେ ମିଛ କହୁଛି । କିନ୍ତୁ ଏହା ସବୁବେଳେ ସତ ନୁହେଁ । ସାଇକୋଲୋଜି ଅନୁସାରେ, ଅଧିକ ଲାଜ, ଭୟ କିମ୍ବା ଆତ୍ମବିଶ୍ୱାସର ଅଭାବ ଯୋଗୁଁ ବି ଜଣେ ଆଖି ମିଳାଇ କଥା ହୋଇପାରେ ନାହିଁ ।ମନୋବିଜ୍ଞାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହେଉଛି 'ମାଇକ୍ରୋ-ଏକ୍ସପ୍ରେସନ୍' । ମଣିଷ ନିଜ ମନର ସତ ଭାବନାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି, କଥା ହେବା ସମୟରେ ମାତ୍ର କିଛି ମିଲିସେକେଣ୍ଡ ପାଇଁ ତା’ ମୁହଁରେ ଅସଲ ଭାବ ପ୍ରକାଶ ପାଇଯାଏ । ଏହି ସୂକ୍ଷ୍ମ ହାବଭାବରୁ ସାମ୍ନା ଲୋକଟିର ପ୍ରକୃତ ରାଗ, ଭୟ, ଖୁସି ଭାବକୁ ଚିହ୍ନିହୁଏ ।
ଏହା ବି ପଢ଼ନ୍ତୁ... Pain relief Without Painkillers: ଯନ୍ତ୍ରଣା କମାଇବାର ଏକମାତ୍ର ଉପାୟ ପେନ୍କିଲର୍ ନୁହେଁ, ଆପଣାନ୍ତୁ ଏହି ସବୁ ପ୍ରାକୃତିକ ଉପାୟ
ତେବେ କେବଳ ଚେହେରା ନୁହେଁ, ସାମ୍ନା ଲୋକର ସ୍ୱର ବି ତାଙ୍କ ମନର ଗୁମର ଖୋଲିଦିଏ । ଆପଣ ଗୋଟିଏ ଛୋଟ ପ୍ରଶ୍ନ ପଚାରିଲେ, କିନ୍ତୁ ସାମ୍ନା ଲୋକଟି ସିଧା ଉତ୍ତର ନଦେଇ ଅନାବଶ୍ୟକ ଭାବେ ଲମ୍ବା ସଫେଇ ଦେବାକୁ ଲାଗିଲେ, ଏହାର ଅର୍ଥ ହେଉଛି ସେ ନିଜର ଭୁଲ୍ କିମ୍ବା ଅସଲ ସତକୁ ଲୁଚାଇବା ପାଇଁ ଶବ୍ଦର ଜାଲ ବୁଣୁଛନ୍ତି । ଯଦି ଜଣେ କଥା ହେଉ ହେଉ ହଠାତ୍ ନିଜର ସ୍ୱର ବଦଳାଇ ଦିଅନ୍ତି, ଅର୍ଥାତ୍ ଅତି ଧୀରେ, ବହୁତ ଜୋରରେ କିମ୍ବା କୌଣସି ପ୍ରଶ୍ନର ଅନାବଶ୍ୟକ ଲମ୍ବା ସଫେଇ ଦେବାକୁ ଲାଗନ୍ତି, ତେବେ ବୁଝିବାକୁ ହେବ ଯେ ସେ ମାନସିକ ଚାପରେ ଅଛନ୍ତି । ବିଶେଷଜ୍ଞଙ୍କ ମତରେ, କେବଳ ଗୋଟିଏ ଆଚରଣ କିମ୍ବା ଗୋଟିଏ ଚାହାଣିରୁ କାହାକୁ ସିଧାସଳଖ ମିଛୁଆ ଆଖ୍ୟା ଦେବା ସମ୍ପୂର୍ଣ୍ଣ ଭୁଲ୍ । କାହାର ପ୍ରକୃତ ମନୋଭାବ ଜାଣିବାକୁ ହେଲେ ତାଙ୍କର ସ୍ୱର, ମୁହଁର ଭାବ, ସ୍ଥିତି ଏବଂ ପୁରା ଆଚରଣକୁ ଏକାଠି ଦେଖି ବିଚାର କରିବାକୁ ପଡ଼ିବ । ସାଇକୋଲୋଜି ଆପଣଙ୍କୁ ସଙ୍କେତ ଦେଇପାରେ, କିନ୍ତୁ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ସମଗ୍ର ପରିସ୍ଥିତିକୁ ବୁଝିବା ଜରୁରୀ ।