୨୫।୭: ଶ୍ରାବଣ ଏବଂ ଚାର୍ମାସର ଆଗମନ ସହିତ ହିନ୍ଦୁ ଧର୍ମରେ ଆଧ୍ୟାତ୍ମିକ ସାଧନା ଏବଂ ବ୍ରତର ସବୁଠାରୁ ବଡ଼ ପର୍ବ ଆରମ୍ଭ ହୋଇଯାଇଛି । ଆଜି, ୨୫ ଜୁଲାଇ ୨୦୨୬ ଦେବଶୟନୀ ଏକାଦଶୀର ପବିତ୍ର ଅବସରରେ ଭଗବାନ ଶ୍ରୀହରି ବିଷ୍ଣୁ ଚାରି ମାସ ପାଇଁ ଯୋଗନିଦ୍ରାରେ ପ୍ରବେଶ କରିଛନ୍ତି । ଏହାସହିତ ବିବାହ, ମୁଣ୍ଡନ, ଗୃହପ୍ରବେଶ ଏବଂ ନିର୍ବନ୍ଧ ପରି ସମସ୍ତ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ ଉପରେ ଚାରି ମାସ ପାଇଁ ବିରାମ ଲାଗିଯାଇଛି । ପରମ୍ପରା ଅନୁଯାୟୀ, ବର୍ତ୍ତମାନ ଆଗାମୀ ୪ ମାସ ଅର୍ଥାତ୍ ଦେବଉଠାନୀ ଏକାଦଶୀ ପର୍ଯ୍ୟନ୍ତ ସୃଷ୍ଟିର ସଞ୍ଚାଳନ ଭଗବାନ ଶିବ ସମ୍ଭାଳିବେ ।

ଦେବଶୟନୀ ଏକାଦଶୀରୁ ଆରମ୍ଭ ହୁଏ ଚାତୁର୍ମାସ:

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଆଷାଢ଼ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିକୁ ଦେବଶୟନୀ ଏକାଦଶୀ କୁହାଯାଏ । ଏହି ଦିନଠାରୁ ହିଁ ଚାତୁର୍ମାସର ଆରମ୍ଭ ହୋଇଥାଏ । ଚାତୁର୍ମାସର ଅର୍ଥ ଚାରି ମାସର ଅବଧି । ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଚାରି ମାସରେ ଭଗବାନ ବିଷ୍ଣୁ କ୍ଷୀରସାଗରରେ ଶେଷନାଗଙ୍କ ଶଯ୍ୟା ଉପରେ ଯୋଗନିଦ୍ରାରେ ରହିଥାଆନ୍ତି । ଦେବଶୟନୀ ଏକାଦଶୀ ଦିନ ସୂର୍ଯ୍ୟାସ୍ତ ପରେ ରାତ୍ରୀ କାଳରେ ଭଗବାନ ବିଷ୍ଣୁ ଶୟନ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି । ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ ରଖିବାର ବିଶେଷ ମହତ୍ତ୍ୱ ରହିଛି ।

ଚାରି ମାସ ପାଇଁ କାହିଁକି ବନ୍ଦ ରହେ ମାଙ୍ଗଳିକ କାର୍ଯ୍ୟ ?

ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁଙ୍କୁ ସୃଷ୍ଟିର ପାଳନକର୍ତ୍ତା ବୋଲି କୁହାଯାଏ । ଯେତେବେଳେ ସେ ଚାରି ମାସ ପାଇଁ ଯୋଗନିଦ୍ରାରେ ଚାଲିଯାଆନ୍ତି, ସେତେବେଳେ ଏହି ଅବଧିକୁ ମାଙ୍ଗଳିକ କାର୍ଯ୍ୟ ପାଇଁ ଅନୁକୂଳ ବୋଲି ବିବେଚନା କରାଯାଏ ନାହିଁ । ଏହି କାରଣରୁ ଚାତୁର୍ମାସ ସମୟରେ ବିବାହ, ଗୃହପ୍ରବେଶ, ମୁଣ୍ଡନ, ବ୍ରତୋପନୟନ ସଂସ୍କାର ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ଏହି ସମୟରେ ପୂଜା-ପାଠ, ବ୍ରତ, ଧାର୍ମିକ ଅନୁଷ୍ଠାନ, ମନ୍ତ୍ର ଜପ, ଧ୍ୟାନ ଏବଂ ଦାନ-ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି । ଏହି ସମୟକୁ ଭଗବାନଙ୍କ ଭକ୍ତି ଏବଂ ଆଧ୍ୟାତ୍ମିକ ସାଧନା ପାଇଁ ସବୁଠାରୁ ଉତ୍ତମ ସମୟ ଭାବେ ଗ୍ରହଣ କରାଯାଏ ।

ଏହା ବି ପଢ଼ନ୍ତୁ... Psychology Hacks: ସାମ୍ନା ଲୋକ ମିଛ କହୁଛି ନା ସତ ? ଜାଣନ୍ତୁ ଆଖିରୁ ମନ କଥା ପଢ଼ିବାର ସାଇକୋଲୋଜିକାଲ୍ ଟ୍ରିକ୍ସ

ବିଷ୍ଣୁଙ୍କ ଶୟନ ପରେ ଭଗବାନ ଶିବ ସମ୍ଭାଳନ୍ତି ସୃଷ୍ଟିର ଦାୟିତ୍ୱ:

ପୌରାଣିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ଚାଲିଯାଆନ୍ତି, ସେତେବେଳେ ସୃଷ୍ଟିର ପାଳନ ଓ କଲ୍ୟାଣର ଦାୟିତ୍ୱ ଭଗବାନ ଶିବ ସମ୍ଭାଳିଥାଆନ୍ତି । ଏହି କାରଣରୁ ଚାତୁର୍ମାସ ସମୟରେ ଭଗବାନ ଶିବଙ୍କ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଚାତୁର୍ମାସ ଆରମ୍ଭର କିଛି ଦିନ ପରେ ପବିତ୍ର ଶ୍ରାବଣ ମାସ ଆସିଥାଏ । ଶ୍ରାବଣରେ ଭଗବାନ ଶିବଙ୍କ ପୂଜା ଏବଂ ଜଳାଭିଷେକ କରିବାର ପରମ୍ପରା ରହିଛି । ଏହି ସମୟରେ ବଡ଼ ସଂଖ୍ୟାରେ ଭକ୍ତମାନେ ଶିବମନ୍ଦିରରେ ପହଞ୍ଚି ଭୋଳାନାଥଙ୍କ ଜଳାଭିଷେକ କରିଥାଆନ୍ତି । ଶ୍ରାବଣରେ ମହାଦେବଙ୍କ ପୂଜା କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

କିପରି କରାଯାଏ ଦେବଶୟନୀ ଏକାଦଶୀରେ ଭଗବାନଙ୍କୁ ଶୟନ ?

ଦେବଶୟନୀ ଏକାଦଶୀ ଦିନ ଶ୍ରଦ୍ଧାଳୁମାନେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିଥାଆନ୍ତି । ଅନେକ ଭକ୍ତ ଏହି ଦିନ ନିର୍ଜଳା କିମ୍ବା ଫଳାହାର ବ୍ରତ ମଧ୍ୟ ରଖିଥାଆନ୍ତି । ଦିନସାରା ଭଗବାନ ବିଷ୍ଣୁଙ୍କ ଧ୍ୟାନ ଏବଂ ମନ୍ତ୍ର ଜପ କରାଯାଏ । ରାତିରେ ବିଧିବିଧାନ ସହିତ ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ସଜାଯାଇ ଶେଷନାଗଙ୍କ ଶଯ୍ୟାରେ ଶୟନ କରାଯାଏ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଜପ କରାଯାଇ ପରିବାରର ସୁଖ-ସମୃଦ୍ଧି ପାଇଁ କାମନା କରାଯାଏ ।

କେବେ ଜାଗ୍ରତ ହେବେ ଭଗବାନ ବିଷ୍ଣୁ ?

ଦେବଉଠାନୀ ଏକାଦଶୀ ତିଥିରେ ଜାଗ୍ରତ ହେବେ ଭଗବାନ । ଭଗବାନ ବିଷ୍ଣୁ ଚାରି ମାସ ପର୍ଯ୍ୟନ୍ତ ଯୋଗନିଦ୍ରାରେ ରହିବା ପରେ କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ନିଦ୍ରାରୁ ଜାଗ୍ରତ ହୋଇଥାଆନ୍ତି । ଏହି ଏକାଦଶୀକୁ ଦେବଉଠାନୀ ଏକାଦଶୀ କିମ୍ବା ପ୍ରବୋଧିନୀ ଏକାଦଶୀ କୁହାଯାଏ । ଭଗବାନ ବିଷ୍ଣୁଙ୍କ ଜାଗ୍ରତ ହେବା ସହିତ ଚାତୁର୍ମାସର ସମାପ୍ତି ଏବଂ ବିବାହ ତଥା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟର ପୁନର୍ବାର ଶୁଭାରମ୍ଭ ହୋଇଥାଏ ।