୨୪।୭: ଆକାଶରେ ଏକ ବିରଳ ଓ ଅଦ୍ଭୁତ ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ମହାକାଶରେ 'ଲାଲ୍ ମହାଦାନବ' ଭାବେ ପରିଚିତ 'ଅଣ୍ଟାରେସ୍' ତାରା ନିକଟରେ ଚନ୍ଦ୍ରଙ୍କୁ ଦେଖିବାକୁ ମିଳିବ । ଏହି ମନୋରମ ଦୃଶ୍ୟକୁ ଲୋକମାନେ ଖାଲି ଆଖିରେ ମଧ୍ୟ ଉପଭୋଗ କରିପାରିବେ । ଖଗୋଳବିତ୍ ଅମର ପାଲ୍ ସିଂହଙ୍କ ସୂଚନା ଅନୁସାରେ, ଜୁଲାଇ ୨୪ ତାରିଖ ସନ୍ଧ୍ୟାରେ ଶୁକ୍ଳପକ୍ଷର ଚନ୍ଦ୍ର ବିଛା ତାରାମଣ୍ଡଳର 'ହୃଦୟ' ଭାବେ ଜଣାଶୁଣା ଅଣ୍ଟାରେସ୍ ତାରା ଅତ୍ୟନ୍ତ ନିକଟତର ହେବେ । ଭାରତୀୟ ଜ୍ୟୋତିର୍ବିଜ୍ଞାନ ଅନୁସାରେ, ଏହି ଲାଲ୍ ତାରାକୁ ଜ୍ୟେଷ୍ଠା ନକ୍ଷତ୍ରର ପ୍ରମୁଖ ଯୋଗତାରା ବୋଲି କୁହାଯାଏ ।

କେବେ ଓ କେଉଁ ସମୟରେ ଦେଖିବେ ?

ଜୁଲାଇ ୨୪ ସୂର୍ଯ୍ୟାସ୍ତ ପରଠାରୁ ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ସର୍ବୋତ୍ତମ ସମୟ । ଆକାଶର ଦକ୍ଷିଣ ଦିଗରେ ପ୍ରାୟ ୪୦ ଡିଗ୍ରୀ ଉପରକୁ ଚାହିଁଲେ ଏହି ଦୃଶ୍ୟ ଦେଖାଯିବ । ଏହାକୁ ଦେଖିବା ପାଇଁ କୌଣସି ଟେଲିସ୍କୋପ୍ କିମ୍ବା ବାଇନୋକୁଲାରର ଆବଶ୍ୟକତା ନାହିଁ, ଖାଲି ଆଖିରେ ସ୍ପଷ୍ଟ ଦେଖାଯିବ । ତେବେ ଛୋଟ ଟେଲିସ୍କୋପ୍ ବ୍ୟବହାର କଲେ ଦୃଶ୍ୟଟି ଆହୁରି ସୁନ୍ଦର ଓ ସ୍ପଷ୍ଟ ମନେହେବ ।

ଏହା ବି ପଢ଼ନ୍ତୁ... Friday donations: ଆର୍ଥିକ ସଙ୍କଟରୁ ମିଳିବ ମୁକ୍ତି ! ଶୁକ୍ରବାର କରନ୍ତୁ ଏହି ଗୋଟିଏ ଦାନ, ଘରେ ହେବ ସୁଖ-ସମୃଦ୍ଧିର ବର୍ଷା

ମହାଜାଗତିକ ଯୁତି କ'ଣ ?

ପୃଥିବୀରୁ ଦେଖିବା ବେଳେ ଯେତେବେଳେ ଦୁଇଟି ଆକାଶୀୟ ପିଣ୍ଡ ଯେପରିକି ଗ୍ରହ, ତାରା କିମ୍ବା ଚନ୍ଦ୍ର ଗୋଟିଏ ସରଳରେଖାରେ ପ୍ରତୀୟମାନ ହୋଇ ପରସ୍ପରର ଅତି ନିକଟତର ଦେଖାଯାନ୍ତି, ସେହି ସ୍ଥିତିକୁ 'ଯୁତି' କୁହାଯାଏ । ଆକାଶର ୧୫ଶ ସବୁଠାରୁ ଉଜ୍ଜ୍ୱଳ ତାରା ‘ଅଣ୍ଟାରେସ୍’ । ଏହାର ରଙ୍ଗ ଗାଢ଼ ଲାଲ୍-ନାରଙ୍ଗୀ । ପୃଥିବୀରୁ ଏହାର ଦୂରତା ପ୍ରାୟ ୫୫୦ ଆଲୋକବର୍ଷ । ଏହି ତାରାମଣ୍ଡଳଟି ଦେଖିବାକୁ ଏକ ବିଛା ସଦୃଶ । ପାଶ୍ଚାତ୍ୟ ଖଗୋଳ ବିଜ୍ଞାନରେ ଏହାକୁ 'ସ୍କୋର୍ପିଓ' କୁହାଯାଏ । ଭାରତର ଅଧିକାଂଶ ଭାଗରୁ ଏହି ଦୁଇ ଆକାଶୀୟ ପିଣ୍ଡଙ୍କ ସୁନ୍ଦର ସଂଯୋଜନ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ । ମହାକାଶ ପ୍ରତି ଆଗ୍ରହ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ।