ଭୁବନେଶ୍ୱର/ବଳଙ୍ଗା,୨୬/୦୭: ପୁରୀ ଜିଲ୍ଲା ବଳଙ୍ଗା-ହରିପୁର ରାସ୍ତାରେ ନାବାଳିକା ପୋଡ଼ି ମାମଲାରେ ପୀଡ଼ିତା ଜଣକ ଶେଷରେ ମୁହଁ ଖୋଲିଛନ୍ତି ।  ଏମ୍‌ସର ଜଣେ ଡାକ୍ତର, ସ୍ଥାନୀୟ ମାଜିଷ୍ଟ୍ରେଟ, ପରିବାର  ସଦସ୍ୟ, କ୍ରାଇମବ୍ରାଞ୍ଚ ଅଧିକାରୀ ଓ ବଳଙ୍ଗା ଥାନାର  ମହିଳା ଏସ୍‌ଆଇଙ୍କ ଉପସ୍ଥିତିରେ ସେ ଘଟଣାଦିନର ସାଂଘାତିକ ସତ ବଖାଣିଛନ୍ତି । ପୀଡ଼ିତାଙ୍କ ବୟାନ ପରେ  ପୁଲିସର ତଦନ୍ତର ଦିଗ ସମ୍ପୂର୍ଣ୍ଣ ଓଲଟିଯାଇଛି । 

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା  ମୁତାବକ, ପୀଡ଼ିତା ଜଣକ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିଲେ । ସେ କେଉଁ କାରଣ ପାଇଁ  ଚିନ୍ତାରେ ରହୁଥିଲେ, ସେନେଇ ବିଶେଷ ତଥ୍ୟ ଦେଇନାହାନ୍ତି । ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି ବୋଲି  କହି ସେ ଘଟଣାଦିନ ସକାଳୁ ଘରୁ ବାହାରିଥିଲେ । କିନ୍ତୁ  ସମ୍ପର୍କୀୟଙ୍କ ଘରକୁ ଯାଇନଥିଲେ । ବରଂ ଅଧାରାସ୍ତାରେ  ଏହି ବୀଭତ୍ସ କାଣ୍ଡ ଘଟିଥିଲା । ସେପଟେ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଦୁଃଖୀଶ୍ୟାମ ସେନାପତିଙ୍କ କହିବା ଅନୁସାରେ ପୀଡ଼ିତା ଜଣକ ସମ୍ପର୍କୀୟଙ୍କ ଘରୁ ଫେରୁଥିବା ବେଳେ ୩ ଦୁର୍ବୃତ୍ତ ତାଙ୍କୁ ଘେରିଯାଇଥିଲେ । ୨ଜଣଙ୍କ  ବୟାନରେ ତାଳମେଳ ରହୁନଥିବାରୁ ପୁଲିସ ଶୁକ୍ରବାର  ପୁଣି ଦୁଃଖୀଶ୍ୟାମଙ୍କୁ ଥାନାକୁ ଡାକି ଜେରା କରିଛି । 

ଘଟଣାଦିନ ପୀଡ଼ିତା ଘରୁ ଚାଲିକି ଯିବା ବେଳେ ହାତରେ କିଛି ଧରିଥିବା ସ୍ଥାନୀୟ ବାସିନ୍ଦା ଦେଖିଥିଲେ ।  ୨ଜଣ ବାସିନ୍ଦା ପୁଲିସ ସାମ୍ନାରେ ବୟାନ ବି ଦେଇଛନ୍ତି ।  ଏହି ତଥ୍ୟ ଆଧାରରେ ଶୁକ୍ରବାର ଏମ୍‌ସରେ ପୀଡ଼ିତାଙ୍କୁ  ଏକାଧିକ ପ୍ରଶ୍ନ ପଚରା ଯାଇଥିଲା । ସେ ଦେଇଥିବା ତଥ୍ୟକୁ ତର୍ଜମା କରୁଛି ପୁଲିସ । କିଏ ସତ କହୁଛି? କିଏ  ତଥ୍ୟ ଲୁଚାଉଛି? ସେନେଇ ତଦନ୍ତ ଚାଲିଛି ।  ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କ ବୟାନର ଭିଡିଓ ରେକର୍ଡିଂ କରାଯାଇଛି । 

ଯେହେତୁ  ପୀଡ଼ିତା ହିଁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ, ତେଣୁ ତାଙ୍କ  ବୟାନ ଆଧାରରେ ହିଁ ତଦନ୍ତ ଆଗେଇଛି । ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ଅନ୍ୟ ସାକ୍ଷୀଙ୍କ ବୟାନକୁ ନେଇ ତର୍ଜମା ଚାଲିଛି ।  ଏପଟେ ତଦନ୍ତକାରୀ ଟିମ୍‌ ଅପରାହ୍ଣରେ ପୀଡ଼ିତାଙ୍କ  ଘରକୁ ଯାଇ ପରିବାର ଲୋକଙ୍କୁ ପୁଣି ପଚରାଉଚରା କରିଛି । ଅପରାଧସ୍ଥଳରୁ ମିଳିଥିବା ରୁପା ମୁଦି ନେଇ ବଳଙ୍ଗାର କ୍ରିଷ୍ଣା ଜୁଏଲାରୀ ଦୋକାନୀକୁ ପୁଲିସ ଜେରା କରିଛି । ପୀଡ଼ିତାର ସାଙ୍ଗ ମୁଦି କିଣିଥିଲେ ବୋଲି  ଦୋକାନୀ କୁନୁ ସାହୁ ପୁଲିସକୁ ତଥ୍ୟ ଦେଇଥିଲେ ।  ସାଙ୍ଗଜଣକ ମୁଦିଟିକୁ କିଣିବା ପରେ ପୀଡ଼ିତାକୁ  ଦେଇଥିବା ପୁଲିସ ଜାଣିବାକୁ ପାଇବା ପରେ ତଦନ୍ତକାରୀ  ଟିମ ପୀଡ଼ିତାଙ୍କ ସାଙ୍ଗ ଘରକୁ ଯାଇ ପଚରାଉଚରା କରିଛି ।