ବଲାଙ୍ଗିର,୩୦/୦୫: ବେଲୁନ ଲାଗିଲା । କେକ୍ ଅଣାହେଲା । ସଂଧ୍ୟାରେ ସେଲିବ୍ରେସନ ହେବ । ସେଥିପାଇଁ ଦିନତମାମ ସାଜସାଜ୍ଜା ହେଲା । ସଂଧ୍ୟାରେ ଜୋରଦାର ସେଲିବ୍ରେସନ ହେଲା । ଅନେକ ବାବୁ-ବାବୁଆଣୀ ହାତରେ ରଙ୍ଗ ବେରଙ୍ଗର ଗିଫ୍ଟ ଧରି ସେଠାକୁ ଆସିଲେ । ଆସରରେ ସାମିଲ ହେଲେ । ଏମିତି ଲାଗୁଥିଲା, ସତେ ଯେମିତି ତାହା କୌଣସି ହୋଟେଲ । ହେଲେ ଏସବୁ ବ୍ୟବସ୍ଥା କୌଣସି ଅଧିକାରୀଙ୍କୁ ପଦୋନ୍ନତି କିମ୍ବା ବିଦାୟୀ କାର୍ଯ୍ୟକ୍ରମର ନଥିଲା । ଏସବୁଥିଲା, ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀଙ୍କ ମ୍ୟାରେଜ ଆନିଭର୍ସରୀର ସେଲିବ୍ରେସନ । ଅବଶ୍ୟ ସରକାରୀ ବାବୁଙ୍କ ବ୍ୟକ୍ତିଗତ ଭୋଜିରେ କାହାର କିଛି ଯାଏନାହିଁ । ହେଲେ ଆୟୋଜନସ୍ଥଳକୁ ନେଇ ଏବେ ସବୁଠି ପ୍ରଶ୍ନ ଉଠିଛି । କାରଣ ବରିଷ୍ଠ ଅଧିକାରୀଜଣକ ତାଙ୍କର ବିବାହବାର୍ଷିକୀ ନିଜର ସରକାରୀ ବଙ୍ଗଳାରେ ନୁହେଁ, ବରଂ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସର୍କିଟ ହାଉସରେ ଆୟୋଜନ କରିଥିଲେ । ଯାହା କ୍ୟାମେରା ଲେନ୍ସରେ କଏଦ ହୋଇଛି । ଏପଟେ ଲୋକେ ଜାଣିବା ପରେ ନାନା ଚର୍ଚ୍ଚା ଆରମ୍ଭ କରିଛନ୍ତି ।

ଅଧିକ ପଢ଼ନ୍ତୁ :- କାଳିଆ ପାଇଁ ଫୁଲ ବଗିଚା, ୧୬ ବର୍ଷ ହେଲା ଶ୍ରୀମନ୍ଦିରକୁ ବାଡ଼ିର ଫୁଲ, ତୁଳସୀ ପଠାଉଛନ୍ତି ବ୍ରହ୍ମପୁର ଦମ୍ପତି

ସୂଚନାଯୋଗ୍ୟ ଯେ, ଗତକାଲି ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବିବାହ ବାର୍ଷିକୀ ଥିଲା । ସେଥିପାଇଁ ସର୍କିଟ ହାଉସରେ ତାଙ୍କର ଏକ ଛୋଟିଆ ସେଲିବ୍ରେସନ ପାର୍ଟି ରଖାଯାଇଥିଲା । ଏପରିକି ନୂଆ ସର୍କିଟହାଉସର ରୁମ୍ ନମ୍ବର ୧୧କୁ ବେଲୁନ ଓ ଫୁଲରେ ସଜାଯାଇଥିଲା । ସଂଧ୍ୟାରେ ବାବୁ-ବାବୁଆଣୀ ପହଞ୍ଚିଲା ପରେ ସେଠାରେ ଭୋଜିର ଆସର ଜମିଥିଲା । ରାତିଯାଏ ସେଠାକୁ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚି ସେଲିବ୍ରେସନରେ ସାମିଲ ହୋଇଥିଲେ । ତେବେ ସହରରେ କୌଣସି ସଂଗଠନ କିମ୍ବା ବେସରକାରୀ ଅନୁଷ୍ଠାନ କାର୍ଯ୍ୟକ୍ରମଟିଏ ଆୟୋଜନ କରି ଅତିଥିଙ୍କ ପାଇଁ ସର୍କିଟହାଉସରେ ରୁମଟିଏ ମାଗିଲେ । ପ୍ରଶାସନ ତରଫରୁ କାହିଁରେ କେତେ ନିୟମ କାନୁନ ବାହାର କରାଯାଏ । ରୁମ୍ଟିଏ ପାଇଁ ଆବେଦନପତ୍ର ଧରି ନିଜାରତ ବିଭାଗର ଶାଖାରୁ ଶାଖା ଏବଂ ଟେବୁଲରୁ ଟେବୁଲକୁ ବୁଲିବାକୁ ପଡେ । ସେଥିପାଇଁ ଅନେକ ସର୍କିଟ ହାଉସକୁ ଯାଇ ହଇରାଣ ହେବା ଅପେକ୍ଷା ହୋଟେଲକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ହେଲେ ସର୍କିଟ ହାଉସକୁ ସରକାରୀ ବାବୁଙ୍କ ଏଭଳି ବ୍ୟବହାର ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।