ବ୍ରହ୍ମପୁର,୩୦/୦୫(ପ୍ରହଲ୍ଲାଦ ସାହୁ): ପୁରୀ ଯିବା, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ଥିଲା ନିୟମିତ । ପ୍ରତ୍ୟେକ ସୋମବାର, ମାସାନ୍ତ, ସଂକ୍ରାନ୍ତି ଏବଂ ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀଜିଉ ଦର୍ଶନ କରୁ । ଏଥିପାଇଁ ପୁରୀରେ ଭଡ଼ା ଘରଟିଏ ନେଲୁ । ସବୁବେଳେ ଭାବୁ ଆମେ ପୁରୀ ଯାଉଛୁ, ଦର୍ଶନ କରୁଛୁ, ପ୍ରସାଦ ପାଉଛୁ- କିନ୍ତୁ ତାଙ୍କୁ ଦଉଛୁ କ’ଣ । ସେତେବେଳେ ବାଡ଼ିରେ ଫୁଟିଥିଲା ଭଳିକି ଭଳି ଫୁଲ । ତୁଳସୀ ବି ପ୍ରଚୁର ଥିଲା । ମନହେଲା, ପ୍ରଭୁଙ୍କ ପାଖକୁ ବାଡ଼ିର ଫୁଲ ତୁଳସୀ ପଠାଇବୁ । ପ୍ରଥମେ ପ୍ରଥମେ ଆମେ ଗଲାବେଳେ ଫୁଲ, ତୁଳସୀ ନେଇଯାଉଥିଲୁ । ତା’ପରେ ନିୟମିତ ଟ୍ରେନ୍‌ରେ ଏବଂ ପରେ ବସ୍‌ରେ ପଠାଉଛୁ ବୋଲି କହନ୍ତି ଦମ୍ପତି ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଓ ଭାବନା ମହାପାତ୍ର।

ବ୍ରହ୍ମପୁର ଭାବାନଗର ତୃତୀୟ ଲାଇନ୍‌ର ବାସିନ୍ଦା ମହାପାତ୍ର ଦମ୍ପତିଙ୍କ କହିବା କଥା, ୨୦୧୦ରୁ ୧୬ ବର୍ଷ ହେଲା ନିରନ୍ତର ତାଙ୍କ ବଗିଚାର ଫୁଲ ଶ୍ରୀମନ୍ଦିର ଯାଏ । କୋଭିଡ୍ ସମୟରେ ଟ୍ରେନ୍ ଚଳାଚଳ ବନ୍ଦବେଳେ ଏହା ଅନିୟମିତ ହେଲା । ତା’ପରେ ବ୍ରହ୍ମପୁରରୁ ପୁରୀ ସିଧାସଳଖ ବସ୍ ଚାଲିଲା । ଏବେ ବସ୍‌ରେ ପଠାଯାଉଛି । କାଁ ଭାଁ ବସ୍ ସମସ୍ୟା ବା ବାଡ଼ିରେ ଫୁଲ ନ ଫୁଟିଥିଲେ ଯାଇପାରେ ନାହିଁ ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ବଙ୍କା ଗାଁର ମୂଳବାସିନ୍ଦା ରାଜେନ୍ଦ୍ର ଓ ଭାବନା । ବାପା ଥିଲେ ତତ୍କାଳୀନ ଜମିଦାର । ୧୯୬୪ରେ ବ୍ରହ୍ମପୁର ଆସିବା ପରେ ୧୯୭୫ରେ ଆରମ୍ଭ ହୁଏ ଟ୍ରାନ୍ସପୋର୍ଟ ବ୍ୟବସାୟ । ରାଜେନ୍ଦ୍ର ପ୍ରସାଦ ଓ ଭାବନା ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ସମୟ ଅତିବାହିତ କରନ୍ତି । ପୂର୍ବରୁ ନିୟମିତ ପୁରୀ ଗଲାବେଳେ ସେଠାରେ ନୀଳାଚଳ ଉପବନରେ କିଛି ସେବକଙ୍କୁ ମହାପ୍ରଭୁଙ୍କ ପାଇଁ ଫୁଲ ଗୁନ୍ଥିବା ଦେଖୁଥିଲେ । ସେହି ଦୃଶ୍ୟ ତାଙ୍କୁ ପ୍ରେରିତ କରିଥିଲା । ଘର ପାଖରେ ଥିବା ଗୋଟିଏ ଜମି କିଣିଥିଲେ । ସେଠାରେ ବହୁ କିସମର ଫୁଲ ଗଛ, ତୁଳସୀ ଲଗାଇଥିଲେ । ଫୁଲ ବି ପ୍ରଚୁର ଫୁଟିଥିଲା । ଭାବନାଙ୍କ କହିବା ପ୍ରକାରେ, ବଗିଚାରୁ ବହୁଳ ମାତ୍ରାରେ ଫୁଲ ବାହାରିବା ପରେ ତାଙ୍କର ଶ୍ରୀମନ୍ଦିର କଥା ମନକୁ ଆସିଥିଲା । ସେମାନେ ନୀଳାଚଳ ଉପବନରେ ମହାପ୍ରଭୁଙ୍କ ପାଇଁ ଫୁଲ ଗୁନ୍ଥୁଥିବା କିଛି ସେବକଙ୍କୁ ଯୋଗାଯୋଗ କରି ବଗିଚାରୁ ବାହାରୁଥିବା ଫୁଲ ତୁଳସୀ ଦେଇଥିଲେ ।

ଅଧିକ ପଢ଼ନ୍ତୁ :- Medical News : ମୃତ୍ୟୁ ମୁହଁରୁ ଫେରିଲା କୁନି ଜୀବନ, ଅସ୍ତ୍ରୋପଚାର ପରେ ୭ ମାସର ଶିଶୁ ତଣ୍ଟିରୁ ବାହାରିଲା କ୍ଲିପ୍

ମହାପ୍ରଭୁଙ୍କୁ ଫୁଲମାଳ ଚଢ଼ାଇ ବଡ଼ସିଂହାର ବେଶ କରାଯାଏ । ବଡ଼ସିଂହାର ବେଶ ଦେଖି ମନକୁ ବେଶ୍ ତୃପ୍ତି ମିଳିଥିଲା । ଆଉ ୨୦୧୦ ପରଠାରୁ ଯେତେ ଯାହା ହେଲେ ବି ଶ୍ରୀମନ୍ଦିରକୁ ଫୁଲ ପଠାଯାଉଛି । ଫୁଲ ତୁଳସୀ ସହ କଦଳୀ ପଟ ଓ ପଣସ ପତ୍ର ମଧ୍ୟ ତାଙ୍କ ବଗିଚାରୁ ଯାଏ । ଏପରିକି ବଗିଚାରେ ଲାଗିଥିବା ଏକ ଚନ୍ଦନ ଗଛ ଭାଙ୍ଗିଯିବା ପରେ ସେ ତାହାକୁ ଶ୍ରୀମନ୍ଦିରକୁ ସମର୍ପିତ କରିଛନ୍ତି । ବଗିଚାରେ ସୁବର୍ଣ୍ଣ ଚମ୍ପା, ପାଞ୍ଚ ପ୍ରକାର ଗୁମ୍ପା ଫୁଲ, ଅର୍କିଡ୍, ମଲ୍ଲୀ, ସେବତୀ, ଗୋଲାପ, ଇଟିମଳା, ହୀରା ମଖମଲ୍ଲୀ, ରଙ୍ଗଣୀ, କାଗଜଫୁଲ, ଇଟୁନିଆ, ଆରବେରିଆ ସହ ଅନେକ ପ୍ରକାର ଦେଶୀବିଦେଶୀ ଫୁଲ ଗଛ ରହିଛି । ବଗିଚାରେ ଅନେକ ଔଷଧୀୟ ଗୁଳ୍ମ ସହ ଡାଲ୍ଚିନି ଗଛ ବି ରହିଛି । ଦମ୍ପତି ଶାକାହାରୀ । ବୟସ ଷାଠିଏ ଉପରାନ୍ତ । ପୁଅ-ବୋହୂ ଏବଂ ଝିଅ-ଜ୍ୱାଇଁ ସମସ୍ତେ ବାଙ୍ଗାଲୁରୁରେ ।

ଦମ୍ପତିଙ୍କ କହିବା ଅନୁସାରେ, ବଗିଚାରେ ଫୁଲ ଫୁଟିଲେ ମନ ଖୁସି ହୁଏ । ଆଉ ଏହା ଶ୍ରୀଜଗନ୍ନାଥଙ୍କୁ ଲାଗି ହେଲେ ପ୍ରାଣକୁ ଶାନ୍ତି ମିଳେ । ବ୍ରହ୍ମପୁର ସହରରେ ଏକ ବଡ଼ ଜମି, ତାହା ପୁଣି କେବଳ ବଗିଚା କରାଯାଇଛି । ଯେତେ ଦିନ ରହିବେ ଏମିତି ମହାପ୍ରଭୁଙ୍କ ସେବାରେ ଜୀବନ ବିତିଯାଉ ବୋଲି କହିଛନ୍ତି । ଘର କାମ ପରେ ବଳକା ସମୟ ଉଭୟେ ବଗିଚା କାମରେ ଦିଅନ୍ତି । ଋତୁ ଅନୁସାରେ ଫୁଲ ଗଛ ଚାରା ଲଗାଇବା, ଭୋର୍ ସମୟରେ ଉଠି ଫୁଲ ତୋଳିବା ଏବଂ ତାକୁ ବସ୍‌ରେ ଶ୍ରୀମନ୍ଦିର ପଠାଇବା ବ୍ୟବସ୍ଥା ନିଜେ କରିଥାନ୍ତି।