ବଲାଙ୍ଗୀର,୨୯ା୧(ସପ୍ର): ବୈଜୟନ୍ତୀ ପଡ଼ାଠାରେ ନିଶାସକ୍ତଙ୍କ ଦ୍ୱାରା ସଂଘଠିତ ଆକ୍ରମଣ ଘଟଣାକୁ ତିନି ସପ୍ତାହ ନପୂରୁଣୁ ଆଉ ମର୍ମଭେଦୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଦୈନିକ ସମାଜର ପ୍ରସାର ନିର୍ବାହୀ ଭାବରେ ବଲାଙ୍ଗୀରରେ ଅବସ୍ଥାପିତ ପ୍ରତାପଚନ୍ଦ୍ର ମହାପାତ୍ର(୩୫)ଙ୍କୁ ସୋମବାର ରାତିରେ ତିନି ଜଣ ଯୁବକ ଲୁଟ ପରେ ହତ୍ୟା କରିଛନ୍ତି । ଗତ ୨୪ ତାରିଖରେ ପ୍ରତାପ ଛୁଟିରେ ଘରକୁ ଯାଇଥିଲେ । ସୋମବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ କୋରାପୁଟ- ରାଉରକେଲା ଟ୍ରେନ୍ରେ ବଲାଙ୍ଗୀର ଆସିଥିଲେ । ଷ୍ଟେସନରୁ ଚାଲିଚାଲି ସାଗର କଲୋନୀସ୍ଥିତ ନିଜ କାର୍ଯ୍ୟାଳୟକୁ ଯାଉଥିବା ବେଳେ ସ୍ଥାନୀୟ ପଣ୍ୟାଗାର ନିକଟରେ ନିଶାସକ୍ତ ଅବସ୍ଥାରେ ଥିବା ତେଲିଗୋଠପଡ଼ାର ସ୍ୱାଧୀନ ମେହେର, ତପନ ନାଏକ ଏବଂ ହାତୀପଡ଼ାର ତୁଫାନ ନାଗ ତାଙ୍କୁ ଅଟକାଇ ମୋବାଇଲ ଏବଂ ବ୍ୟାଗ ଲୁଟିଥିଲେ । ପ୍ରତାପ ଏହାକୁ ପ୍ରତିରୋଧ କରିବାରୁ ସେମାନେ ତାଙ୍କ ଛାତି ଏବଂ ପେଟରେ ଧାରୁଆ ଅସ୍ତ୍ର(ଅପରେସନ ସମୟରେ ବ୍ୟବହାର କରାଯାଉଥିବା ବ୍ଲେଡ)ରେ ଆଘାତ କରିଥିଲେ । ଆକ୍ରମଣ ପରେ ସେମାନେ ତାଙ୍କୁ ତଳେ ପକାଇ ଦୀର୍ଘ ସମୟ ଚାପି ଧରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେହି ସମୟରେ ଷ୍ଟେସନରୁ ଫେରୁଥିବା ଜଣେ ଯୁବକ ଏହା ଦେଖି ପୁଲିସ ପିସିଆରକୁ ଯୋଗାଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପିସିଆର ଆସୁଥିବା ଦେଖି ଦୁଇଜଣ ଅଭିଯୁକ୍ତ ଦୌଡ଼ି ପଳାଇଥିଲେ । ଅନ୍ୟତମ ଅଭିଯୁକ୍ତ ସ୍ୱାଧୀନ ମେହେର ନିକଟସ୍ଥ ଏକ ଘର ଭିତରକୁ ପଶିଯାଇ ସେଠାରେ ଲୁଚିଯାଇଥିଲା । ପୁଲିସ ଖୋଜାଖୋଜି କରି ତାକୁ କାବୁ କରିଥିଲା । ପରେ ସ୍ୱାଧୀନଠାରୁ ସୂଚନା ନେଇ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ ତପନ ଏବଂ ତୁଫାନଙ୍କୁ ମଧ୍ୟ ଗିରଫ କରିଥିଲା । ପୂର୍ବାହ୍ନରେ ଏସ୍ପି କେ.ଶିବା ସୁବ୍ରମଣି ତିନି ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ହତ୍ୟା ଘଟଣାରେ ସ୍ୱାଧୀନ ଏବଂ ତପନ ସଂପୃକ୍ତ ଥିବା ପ୍ରକାଶ କରିଥିଲେ । ସେମାନଙ୍କଠାରୁ ରକ୍ତଭିଜା ଲୁଗା ଏବଂ ବ୍ଲେଡ୍ ଜବତ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ତୁଫାନକୁ ଏବେ ମଧ୍ୟ ପୁଲିସ ଅଟକ ରଖି ପଚରାଉଚୁରା ଚଳାଇଛି । ସୂଚନାଯୋଗ୍ୟ ଯେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମର ଗଙ୍ଗାଧର ଜେନାଙ୍କ ବଡ଼ ପୁଅ ପ୍ରତାପ(ପ୍ରତାପ ସତ୍ୟପାଠ ଜରିଆରେ ନିଜ ସାଙ୍ଗିଆ ବଦଳାଇ ମହାପାତ୍ର କରିଛନ୍ତି) ‘ପ୍ରମେୟ’ର ବାଲେଶ୍ୱର ସଂସ୍କରଣରେ ପ୍ରସାର ଅଧିକାରୀ ଭାବେ କାମ କରୁଥିଲେ । ‘ପ୍ରମେୟ’ରେ କାମ କରୁଥିବା ସମୟରେ ନିଜ ସହକର୍ମୀଙ୍କ ପ୍ରତି ତାଙ୍କର ବ୍ୟବହାର ବହୁତ ଭଲ ଥିଲା । ସେ ମଧ୍ୟ ନିଜ ଦକ୍ଷତା ପ୍ରତିପାଦିତ କରିଥିଲେ । ପରେ ଗତ ଗତ ଜୁନ ମାସରୁ ସେ ବଲାଙ୍ଗୀରରେ ‘ସମାଜ’ର ପ୍ରସାର ନିର୍ବାହୀ ଭାବରେ ଯୋଗ ଦେଇଥିଲେ । ବଲାଙ୍ଗୀର ଏବଂ ସୋନପୁର ଜିଲ୍ଲାର ପ୍ରସାର ଦାୟିତ୍ୱରେ ଥିବାରୁ ପ୍ରାୟ ରାତିବେଳା ଯାତାୟାତ କରୁଥିଲେ । ଗତ ୨୪ତାରିଖରେ ସେ ଘରକୁ ଯାଇ ସୋମବାର ପୂର୍ବାହ୍ନରେ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ । କିନ୍ତୁ ବାହାରିବା ବେଳେ ବିଳମ୍ବ ହୋଇଯାଇଥିବାରୁ ସମ୍ବଲପୁରରୁ ସେ ରାଉରକେଲା-କୋରାପୁଟ ଟ୍ରେନ ଯୋଗେ ବଲାଙ୍ଗୀର ଫେରିଥିଲେ । ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପ୍ରତାପ ଚାଲିଚାଲି ତେଲିଗୋଠପଡ଼ା ନିକଟରେ ଥିବା ଅଫିସକୁ ଯାଉଥିଲେ । କିନ୍ତୁ ଅଫିସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଏଫ୍ସିଆଇ ଗୋଦାମ ବ୍ରିଜ ନିକଟରେ ତିନି ଜଣ ନିଶାସକ୍ତ ଯୁବକ ତାଙ୍କୁ ଅଟକାଇ ପ୍ରଥମେ ପାଣି ମାଗିଥିଲେ । ସେ ପାଣି ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ବ୍ରିଜ ନିକଟରେ ଥିବା ନିଛାଟିଆ ସ୍ଥାନକୁ ଭିଡ଼ି ନେଇଯାଇଥିଲେ । ସେଠାରେ ତାଙ୍କଠାରୁ ମୋବାଇଲ ଏବଂ ଧରିଥିବା ବ୍ୟାଗ ଲୁଟିଥିଲେ । ଦୀର୍ଘସମୟ ପର୍ଯ୍ୟନ୍ତ ତିନି ଯୁବକ ଏବଂ ପ୍ରତାପଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ଅଭିଯୁକ୍ତମାନେ ତାଙ୍କୁ ଅପରେସନ ବ୍ଲେଡ୍ରେ ଆଘାତ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ପ୍ରତାପଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଆଜି ସକାଳେ ସହରରେ ଖବର ପ୍ରଚାରିତ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ଥାନାକୁ ଯାଇ ପୁଲିସ ନିଷ୍କ୍ରିୟତା ଯୋଗୁ ସହରରେ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦର୍ଶାଇଥିଲେ । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଫଳରେ ଏସପି କେ ଶିବା ସୁବ୍ରମଣି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟି ସେ ନିଜ ନେତୃତ୍ୱରେ ଏକ ସ୍କ୍ୱାଡ୍ ଗଠନ କରି ନିଶା କାରବାର ଉପରେ ଚଢ଼ଉ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୂର୍ବାହ୍ନରେ ପୁଲିସର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଥିବା ବେଳେ ସଦର ଏସ୍ଡିପିଓ କ୍ଷୀରସାଗର ନାଏକ, ଆଦର୍ଶ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ରାତିରେ ପୁଲିସଠାରୁ ପ୍ରତାପଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଲୋକେ ବଲାଙ୍ଗୀର ଅଭିମୁଖେ ବାହାରିଥିଲେ । ଆଜି ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ମୃତ ପ୍ରତାପଙ୍କ ବାପା ଗଙ୍ଗାଧର, ମାମୁ ପୁଅ ଭାଇ ମନୋରଞ୍ଜନ ଓ ଅନ୍ୟ ଦୁଇଜଣ ସମ୍ପର୍କୀୟ ବଲାଙ୍ଗୀର ପହଞ୍ଚିଥିଲେ । ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ପ୍ରତାପଙ୍କ ମୃତ ଦେହ ଦେଖିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ସମଗ୍ର ପରିବେଶ । ପରିବାର ଲୋକଙ୍କ ଅନୁମତିକ୍ରମେ ଶବ ବ୍ୟବଚ୍ଛେଦ କରାଯାଇ ଶବ ହସ୍ତାନ୍ତର କରାଯାଇଥିଲା ।
ପ୍ରତାପଙ୍କ ମୃତ୍ୟୁପରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ‘ପ୍ରମେୟ’ ବଲାଙ୍ଗୀର କାର୍ଯ୍ୟାଳୟରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିିଲା । ‘ପ୍ରମେୟ’ ଭୁବନେଶ୍ୱର ମୁଖ୍ୟଳୟରେ ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେହିପରି ଶବ ବ୍ୟବଚ୍ଛେଦ ପରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ପ୍ରତାପଙ୍କ ମୃତଦେହକୁ ନିଆଯାଇ ଶେଷ ବିଦାୟ ଦିଆଯାଇଥିଲା । ପରିବାର ଲୋକେ ତାଙ୍କ ମୃତଦେହ ନେଇ ନିଜ ଗାଁକୁ ଫେରିଯାଇଛନ୍ତି ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...