ବାଲେଶ୍ୱର, ୨୦/୦୫ (ଅଜିତ୍‌ ମୁଖାର୍ଜୀ): ମଶାଣି ମଝିରେ ଭଙ୍ଗା ଘର । ଭିତରେ କିଛି ଛିଣ୍ଡା ରେଜେଇ, କପଡ଼ା, ଭଙ୍ଗା ବାଉଁଶ । ସାମ୍ନାରେ ଅନ୍ତିମ ସଂସ୍କାରରେ ବ୍ୟବହୃତ ଦୁଇଟି ଭଙ୍ଗା ମାଟି ହାଣ୍ଡି । ଘରକୁ ଲାଗି ବର-ଅଶ୍ୱତ୍ଥ ବୃକ୍ଷ । ସରୀସୃପ, ଶିଆଳ, କୁକୁରମାନଙ୍କ ବେଶ୍‌ ଆତଯାତ । ଦେଖିଲେ ମନରେ ଭୟ ସଂଚାର ନିଶ୍ଚୟ ହେବ । ହେଲେ ଏହା ହେଉଛି ମୋନାଙ୍କ ଠିକଣା । ପ୍ରାୟ ୭ ବର୍ଷ ହେଲା ସେ ବାଲିଘାଟ ମଶାଣିରେ ରହିଆସୁଛନ୍ତି । ମଶାଣି ମଣିଷ ଭାବେ ଏବେ ସେ ପରିଚିତ । ଖରା, ବର୍ଷା, ଶୀତ, କାକରରେ ଭିଜୁଥିବା ମଣିଷଟିଏ ମୋନା । ଦେହରେ ଛିଣ୍ଡା ଶାଢ଼ି । ଆଲୁରାବାଲୁରା କେଶ । କମ୍‌ କଥା କହନ୍ତି । କେତେ ଜୁଇ ନିଆଁ ଦେଖିଛନ୍ତି । ଜ୍ଞାତିକୁଟୁମ୍ବ, ପରିଜନଙ୍କ କାନ୍ଦ ବୋବାଳି ବି ଶୁଣିଛନ୍ତି । ତଥାପି ସେ ନିର୍ବିକାର, ମନରେ ସାମାନ୍ୟ ଭୟ, ଗ୍ଲାନି ନ ଥିବା ଭଳି ମନେ ହୁଏ । ସମୟ କେତେବେଳେ କାହାକୁ କେମିତି ପରିସ୍ଥିତିକୁ ଟାଣିନେବ ତାହା ଜାଣିବା କଷ୍ଟକର । 

ପରିବାର ଅଛି, ହେଲେ ମୋନା ଏବେ ବେସାହାରା । ୮ ସନ୍ତାନ ଥାଇ ବି ପାଖରେ କେହି ନାହାନ୍ତି । ପରିବାର ଲୋକେ ତାଙ୍କୁ ଭୁଲିଗଲେ କିମ୍ବା ସେ ପରିବାରକୁ ଭୁଲିଗଲେ ତାହା କହି ହେବ ନାହିଁ । ଏବେ କିନ୍ତୁ ତାଙ୍କ ଠିକଣା ବାଲେଶ୍ୱର ସହରସ୍ଥ ବାଲିଘାଟ ଶ୍ମଶାନ । କେଜାଣି କେଉଁ ଏକ ଝଡ଼କୁ ସାମ୍ନା କରି ନ ପାରି ଏହି ଆଦିବାସୀ ମହିଳା ଜଣଙ୍କ ଉକ୍ତ ଶ୍ମଶାନକୁ ନିଜ ଘର କରି ନେଇଛନ୍ତି । ବାଲେଶ୍ୱର ମ୍ୟୁନିସିପାଲିଟି ୨୪ ନଂ ୱାର୍ଡର ବୁଢ଼ାବଳଙ୍ଗ ନଦୀ କୂଳରେ ବାଲିଘାଟ ଶ୍ମଶାନ । ପାଖରେ ମନ୍ଦିର ଅଛି ଇଟାଭାଟି ବି ଅଛି । ବାଲିଘାଟ ଶ୍ମଶାନଠାରୁ ନଦୀର ପୋଲ ଆରମ୍ଭ । ଆରପଟେ ବି ଶତାଧିକ ଗାଁ । ଦିନରାତି ସହସ୍ରାଧିକ ଲୋକଙ୍କ ଚଳପ୍ରଚଳ । ଏପରିକି ବାଲିଘାଟ ଶ୍ମଶାନକୁ ଅନେକ ଲୋକ ପରିଜନଙ୍କ ଅନ୍ତିମ ସଂସ୍କାର ପାଇଁ ଆସନ୍ତି, ପୁଣି ଚାଲିଯାନ୍ତି । ଅନେକ ସଚେତନ ନାଗରିକ, ଜନପ୍ରତିନିଧି ବି ଆସନ୍ତି । କିନ୍ତୁ ମଶାଣିରେ ରହୁଥିବା ଏହି ଅସହାୟ ମହିଳାଙ୍କ ପାଇଁ କେବେ କାହା ହୃଦୟ କାନ୍ଦିନି । ମୋନାଙ୍କୁ କେବେ ସରକାରୀ ସହାୟତା ମିଳିନି କି କେହି କେବେ ତାଙ୍କ ପାଇଁ ସ୍ୱର ବି ଉଠାଇନାହାନ୍ତି । 

ସ୍ଥାନୀୟ ଲୋକେ କହନ୍ତି, ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ତାଙ୍କର ସଠିକ୍‌ ପରିଚୟ ଜଣାନାହିଁ । ପୂର୍ବରୁ ନିକଟରେ ଥିବା ଇଟାଭାଟିରେ କାମ କରୁଥିଲେ । ପରେ ତାଙ୍କ ସହ କ’ଣ ଘଟିଲା କେଜାଣି । ପ୍ରାୟ ୭ ବର୍ଷ ହେଲା ମଣାଣିର ଉକ୍ତ ଭଙ୍ଗା ଘରେ ରହୁଛନ୍ତି । କାହାକୁ କିଛି କହୁନାହାନ୍ତି । ତାଙ୍କ ରୂପ ଦେଖିଲେ ଭୟ ବି ଲାଗୁଛି । ତେଣୁ ତାଙ୍କ ପାଖକୁ କେହି ଯାଆନ୍ତିନି । ଏମିତିକି ତାଙ୍କ ପାଖକୁ ନ ଯିବାକୁ ଆମକୁ ମଧ୍ୟ ଲୋକେ ବାରଣ କରିଥିଲେ । ତଥାପି ମହିଳାଙ୍କ ନିକଟକୁ ଯାଇ ବାରମ୍ବାର ପଚାରିବାରୁ ଅନେକ ଅନାବନା କଥା ମଧ୍ୟରେ ନିଜ ନାମ ମୋନା ମାଝୀ କହିଥିଲେ । ପୁଣି କିଛି ସମୟ ପରେ ମୋତେ ପାନ ଡାକନ୍ତି ବୋଲି କହିଲେ । ତୁମ ଘର କେଉଁଠି, ସ୍ୱାମୀଙ୍କ ନାମ କ’ଣ, ପିଲାପିଲି କେତୋଟି ପଚାରିବାରୁ ଉତ୍ତର ଅପେକ୍ଷାରେ କିଛି ସମୟ ବିତିଗଲା । ମହିଳାଙ୍କ ମୁଖମଣ୍ଡଳରେ ସାମାନ୍ୟ ଆଶ୍ଚର୍ଯ୍ୟ ଥିବା ଜଣାପଡ଼ୁଥିଲା । ଦୀର୍ଘ ସମୟ ନିରବ ରହିଲେ । ପରେ ସେଇ ଭଙ୍ଗା ବିଶ୍ରାମ ଗୃହକୁ ଦେଖାଇ ଏଇଟା ମୋ ଘର କହିଲେ । ପୁଣି କିଛି ସମୟ ପରେ ମୋ ଘର ମୟୂରଭଞ୍ଜର ଉଦଳା ଛତ୍ରପୁର ମୋର ୮ଟି ପିଲା । ଝିଅ ୬ଜଣ, ପୁଅ ୨ଜଣ ବୋଲି କହିଥିଲେ । ହେଲେ ଏଠାରେ କାହିଁକି ରହୁଛନ୍ତି? ପରିବାର ପାଖକୁ କାହିଁକି ଯାଉନାହାନ୍ତି? ଏଭଳି ଅନେକ ପ୍ରଶ୍ନର ଉତ୍ତର କିନ୍ତୁ ମିଳିଲାନି । ହୃଦୟରେ ଅନେକ ଯନ୍ତ୍ରଣା ଚାପି ନିଜ ଭଙ୍ଗା ଘରକୁ ଚାଲିଯାଇଥିଲେ ମୋନା । ତେବେ ଦୟନୀୟ ଅବସ୍ଥାରେ ଥିବା ଏଇ ବାସହରା ମହିଳାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା ଓ ଥଇଥାନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁଇତିହାସ ସୃଷ୍ଟି କଲା ବିଶୃଙ୍ଖଳିତ ଘଟଣା, ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ଦାଦା-ପୁତୁରା ହାତାହାତି