ବାଲିପାଟଣା,୦୪।୦୨: ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘବର୍ଷ ହେଲା ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ପ୍ରାୟ ୨୦ଟି ପଞ୍ଚାୟତର ରୋଗୀ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିଦିନ ଏଠାକୁ ୨୦୦ରୁ ୩୦୦ ରୋଗୀ ଆସନ୍ତି । ମାତ୍ର ପରିତାପର ବିଷୟ ବିଶେଷଜ୍ଞ ଡାକ୍ତର, ଫାର୍ମାସିଷ୍ଟ, ଆବଶ୍ୟକ ଯନ୍ତ୍ରପାତି ଓ ଭିତ୍ତିଭୂମି ଅଭାବରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ତେଣୁ ୮୦ ପ୍ରତିଶତ ରୋଗୀ ରାଜଧାନୀ ରେଫର ହେଉଛନ୍ତି । ଅନେକ ରୋଗୀ ଘରୋଇ ହସ୍ପିଟାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ବନମାଳିପୁର, ରାଜସ ଓ ଅଭୟମୁଖୀ ଆଦି ୩ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ସେଗୁଡିକର ଅବସ୍ଥା ମଧ୍ୟ ସମାନ ।
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟତଃ ଏମ୍ବିବିଏସ୍ ଡାକ୍ତର ଓ ସ୍ପେଶାଲିଷ୍ଟଙ୍କୁ ମିଶାଇ ୨୫ଟି ପଦବି ରହିଛି । ସେଥିରୁ ବର୍ତ୍ତମାନ ୧୩ଟି ପଦବି ଫାଙ୍କା ପଡିଛି । ଜଣେ ଦନ୍ତ ଚିକିତ୍ସକଙ୍କୁ ମିଶାଇ ମୋଟ ୧୨ ଜଣ ଡାକ୍ତର ଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଉଚ୍ଚଶିକ୍ଷା ପାଇଁ ଛୁଟିରେ ଅଛନ୍ତି । ୪ଟି ବିଶେଷଜ୍ଞ ପଦବିରେ ମାତ୍ର ୨ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଥାଇ ନଥିବା ଭଳି । ଶଲ୍ୟ ବିଭାଗ ଓ ଶିଶୁରୋଗ ବିଭାଗରେ ଦୀର୍ଘଦିନ ହେଲା ସ୍ପେଶାଲିଷ୍ଟ ପଦବି ଖାଲିପଡିଛି । ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା ନିଜେ ଭେଷଜ(ମେଡିସିନ) ବିଭାଗ ବିଶେଷଜ୍ଞ ଭାବରେ ରହିଛନ୍ତି । ଲାବରେଟୋରୀ ଟେକ୍ନିସିଆନ ୪ଟି ପଦବିରୁ ୨ଟି ଖାଲିପଡିଛି । ୩ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଥିବାବେଳେ ଆବଶ୍ୟକ ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଓ ସୁଇପର ଭଳି ପଦବି ଫାଙ୍କା ରହିଛି । ବାଲିପାଟଣାରେ ଏକର ଏକର ସରକାରୀ ଜମି ଜବରଦଖଲକାରୀଙ୍କ କବ୍ଜାରେ ଥିବାବେଳେ ଏଠାରେ ଗୋଟିଏ ସର୍ଜିକାଲ ୱାର୍ଡ କରିବାକୁ ଜାଗା ମିଳୁନି । ତେଣୁ ଅନୁଦାନ ଆସୁଥିଲେ ମଧ୍ୟ ଜାଗା ମିଳୁନଥିବାରୁ ଘର ନିର୍ମାଣ ହୋଇପାରୁନି ।
ଆହୁରି ପଢନ୍ତୁ-ମୋଷ୍ଟ ୱାଣ୍ଟେଡ ମାଓନେତା ସୁଖରାମର ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୨୧ ଲକ୍ଷ ପୁରସ୍କାର ରାଶି
ପୂର୍ତ୍ତ ବିଭାଗ ଜମି ଅଧିଗ୍ରହଣ ପାଇଁ ଚିଠି ପଠାଇଥିଲେ ମଧ୍ୟ ତହସିଲ ପ୍ରଶାସନ ହାତବାନ୍ଧି ବସିଛି । ମେଡିସିନ ଶୀତତାପ ନିୟନ୍ତ୍ରିତ କୋଠରିରେ ରହିବା କଥା, କିନ୍ତୁ ସାଧାରଣ କୋଠରୀରେ ରଖାଯାଇଛି । ତେଣୁ ବହୁ ମୂଲ୍ୟବାନ ଔଷଧ ନଷ୍ଟ ହେଉଛି । ଷ୍ଟାଫ୍ କ୍ୱାର୍ଟର୍ସ ଯେତିକି ଅଛି, ତାହା ବ୍ୟବହାର ନହୋଇ ଅଧିକାଂଶ ଖାଲି ପଡ଼ିଛି । ତେଣୁ ଏଠାରେ ସ୍ପେଶାଲିଷ୍ଟ ଡାକ୍ତର ବିଶେଷକରି ଅସ୍ଥିଶଲ୍ୟ ବିଭାଗ ସ୍ପେଶାଲିଷ୍ଟ, ଶିଶୁରୋଗ ବିଭାଗ ସ୍ପେଶାଲିଷ୍ଟ ନିଯୁକ୍ତ କରିବାକୁ ଦାବି ହେଉଛି । ଏ ସମ୍ପର୍କରେ ମେଡିକାଲ ଅଫିସର ଡାକ୍ତର ଶ୍ରୀକାନ୍ତ ବେହେରା କହିଛନ୍ତି, ବ୍ଲକସ୍ତରର ଯାହା ସୁବିଧା ମିଳିବା କଥା ଏଠାରେ ମିଳୁଛି । ଯାହା ସମସ୍ୟା ଅଛି ସବୁ ମାସରେ ରିପୋର୍ଟ ଦିଆଯାଉଛି । ଯେତିକି ଡାକ୍ତର ଆବଶ୍ୟକ, ସରକାରଙ୍କ ପାଖରେ ସେତିକି ଡାକ୍ତର ନାହାନ୍ତି ।