ବେଙ୍ଗାଲୁରୁ,୦୮/୧୨: ପ୍ରେମିକାଙ୍କୁ ବ୍ଲାକମେଲ କରି ୨ କୋଟି ୫୭ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ଧୂର୍ତ୍ତ ପ୍ରେମିକଙ୍କୁ ବେଙ୍ଗାଲୁରୁ ପୁଲିସ ଗିରଫ କରିଛି । ତା ନାଁ ମୋହନ କୁମାର । ପୁଲିସ ତା ନିକଟରୁ ୮୦ ଲକ୍ଷ ଟଙ୍କା ଜବତ କରିଛି । ପୁଲିସର ସୂଚନା ଅନୁସାରେ ପୀଡିତା ଯୁବତୀ ଓ ଅଭିଯୁକ୍ତ ଯୁବକ ହେଉଛନ୍ତି ସ୍କୁଲ ବେଳର ସାଙ୍ଗ । ସ୍କୁଲ ପଢ଼ା ଶେଷ ହେବା ପରେ ଉଭୟେ ଅଲଗା ହୋଇଯାଇଥିଲେ । କିଛିବର୍ଷ ପରେ ପୁଣି ସେମାନଙ୍କ ଦେଖା ହୋଇଥିଲା । ଏହା ପରେ ସମ୍ପର୍କ ବଢ଼ିଲା ଓ ତାହା ପ୍ରେମରେ ପରିଣତ ହେଲା । ଯୁବତୀଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ଯୁବକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଲା ଏବଂ ଗୋପନରେ ତାର ଭିଡିଓ ରେକର୍ଡିଂ କରିଥିଲା । ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ କରାଇବାର ଧମକ ଦେଇ ଯୁବତୀଙ୍କ ଠାରୁ ଟଙ୍କା ଲୁଟିବା ଆରମ୍ଭ କରିଥିଲା । ବିଭିନ୍ନ ପର୍ଯ୍ୟାୟରେ ସେ ଯୁବତୀଙ୍କ ଠାରୁ ୨.୫୭ କୋଟି ଟଙ୍କା ଲୁଟିନେଇଥିଲା । ଏଥିସହ ପୀଡିତାଙ୍କ ଠାରୁ ଏକ କାର୍, ଦାମୀ ହାତ ଘଣ୍ଟା ଓ ଗହଣା ମଧ୍ୟ ନେଇଯାଇଥିଲା । ଏହା ପରେ ପୁଣି ଟଙ୍କା ଦାବି କରିବାରୁ ଶେଷରେ ଯୁବତୀ ବାଧ୍ୟହୋଇ ପୁଲିସରେ ଅଭିଯୋଗ କରିଥିଲେ ।