ନୂଆଦିଲ୍ଲୀ,୫।୧: ଧୀରେ ବିବାଦୀୟ ହେବାରେ ଲାଗିଛି ଭାରତ-ବାଂଲାଦେଶର ସମ୍ପର୍କ। ସେଠାରେ ସଂଖ୍ୟାଲଘୁଙ୍କ ହତ୍ୟା ଘଟଣା ବଢୁଥିବା ବେଳେ ଦୁଇ ଦେଶର ସମ୍ପର୍କ ଅଧିକ ତିକ୍ତ ହେଉଛି। ଏଭଳି ସ୍ଥିତିରେ ଏବେ ବାଂଲାଦେଶ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତ। ତାହା ହେଲା ସେଠାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ ଆଉ ପ୍ରସାରଣ କରାଯିବନି । ଏନେଇ ସୋମବାର ବାଂଲାଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସବୁଠାରୁ ଖାସ୍ କଥା ଏହା ଯେ,ଏହି ନିଷ୍ପତ୍ତି ଏଭଳି ସମୟରେ ନିଆଯାଉଛି, ଯେତେବେଳେ ବାଂଲାଦେଶ ଟି-୨୦ ଓ୍ବାର୍ଲ୍ଡକପ୍ ଖେଳିବା ପାଇଁ ଭାରତ ଆସିବାକୁ ମନା କରିଦେଇଛି।

ନିକଟରେ ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ(କେକେଆର)କୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଏହାର କିଛି ସମୟ ପରେ କେକେଆର ମୁସ୍ତାଫିଜୁର ରହମାନଙ୍କୁ ତାଙ୍କ ଦଳରୁ ବାଦ୍ ଦେଇଥିଲା। ଏହି ପଦକ୍ଷେପରେ କ୍ଷୁବ୍ଧ ହୋଇ ବାଂଲାଦେଶ ଏବେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟ୍ ଲିଗ୍, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲର ପ୍ରସାରଣକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଷେଧ କରିଛି। ଏହା ବାଂଲାଦେଶର ଆଇପିଏଲ ପ୍ରେମୀ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି।

ତାଜା ନିର୍ଦ୍ଦେଶ ଅନୁସାରେ, ଅଧିକାରୀମାନେ ଆଇପିଏଲ ସମ୍ପର୍କିତ ସବୁ ବ୍ରଡକାଷ୍ଟ, ପ୍ରମୋସନ୍, ଇଭେଣ୍ଟ କଭରେଜକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଏହି ନିଷ୍ପତ୍ତି ‘ଜନହିତ’ରେ ନିଆଯାଇଛି। ଏହା ପୂର୍ବରୁ କେକେଆର ଅର୍ଥାତ କୋଲକାତା ନାଇଟ୍ ରାଇଡର୍ସର ଟିମ୍ ବାଂଲାଦେଶର ଟିମ୍‌ରୁ ବିଦା ହେବାପରେ ଏହି ନିର୍ଦ୍ଦେଶ ଦେଇଛି। ବାଂଲାଦେଶରେ ଜାରି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପରେ ରହମାନଙ୍କୁ ଟିମ୍‌ରେ ରଖିବା ନେଇ ଭାରତରେ ଖୁବ୍ ବିରୋଧ ହେଉଥିଲା। ବାଂଲାଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଜାନୁଆରୀ ୫ ବା ସୋମବାର ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ଆଇପିଏଲ ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶ ଆନୁଷ୍ଠାନିକ ଭାବରେ ଏକ ଚିଠି ମାଧ୍ୟମରେ ଜାରି କରାଯାଇଥିଲା। ଚିଠିରେ ଉଲ୍ଲେଖ ଥିଲା ଯେ ବିସିସିଆଇ ଆଗାମୀ ଆଇପିଏଲ ସିଜିନ୍ ପାଇଁ ଆଇପିଏଲ ପ୍ରସାରଣ କରିବନି।

ଉଲ୍ଲେଖନୀୟ ଯେ, କୋଲକାତା ନାଇଟ୍ ରାଇଡର୍ସ ଦଳରୁ ବାଂଲାଦେଶର ଷ୍ଟାର କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ବାଦ ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ,ବିସିସିଆଇର ଏହି ନିଷ୍ପତ୍ତିର କୌଣସି ପ୍ରକୃତ କାରଣ ଦିଆଯାଇ ନାହିଁ, ଯାହାଫଳରେ ବାଂଲାଦେଶର ଲୋକ ଗଭୀର ନିରାଶ ହୋଇଛନ୍ତି। ଏହି ସ୍ଥିତିକୁ ଧ୍ୟାନରେ ରଖି ମନ୍ତ୍ରଣାଳୟ ସବୁ ଟେଲିଭିଜନ୍ ଚ୍ୟାନେଲକୁ କହିଛି, ଆଗାମୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସବୁ ଆଇପିଏଲ ମ୍ୟାଚ୍ ଓ ସବୁ କାର୍ଯ୍ୟକ୍ରମ ଉପରେ ତୁରନ୍ତ ପ୍ରସାରଣ ରୋକି ଦିଆଯାଉ। ଏହା ପୂର୍ବରୁ ବାଂଲାଦେଶ ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୬ ପାଇଁ ଭାରତ ନଆସିବାର ଔପଚାରିକ ନିଷ୍ପତ୍ତି ନେଇଥିଲା,ଯାହାଫଳରେ ଦୁଇ ଦେଶର ସମ୍ପର୍କ ଆହୁରି ବିଗିଡିଛି। ବାଂଲାଦେଶର ସବୁ ମ୍ୟାଚ୍ ଭାରତରୁ ଶ୍ରୀଲଙ୍କା ସ୍ଥାନାନ୍ତରିତ କରିବାର ଅପିଲ କରାଯାଇଛି। ବାଂଲାଦେଶକୁ ଟି-୨୦ ଓ୍ବାର୍ଲ୍ଡକପ୍ ୨୦୨୬ର ଲିଗ୍ ଷ୍ଟେଜ୍‌ ପ୍ରଥମ ତିନି ମ୍ୟାଚ୍ କୋଲକାତାରେ ଓ ଚତୁର୍ଥ ମୁମ୍ବାଇରେ ଖେଳାଯିବାର ଅଛି।

ଆହୁରି ପଢନ୍ତୁ : ମ୍ୟାଚ ନଖେଳିଲେ ବି ମୁସ୍ତାଫିଜୁରଙ୍କୁ ପାରିଶ୍ରମିକ ଦେବ କି କେକେଆର, ଜାଣନ୍ତୁ କଣ ରହିଛି ନିୟମ ?