ଦୁବାଇ: ଏସିଆ କପ୍‌-୨୦୨୫ର ସୁପର-୪ ମୁକାବିଲା ରୋମାଞ୍ଚକର ହେବାରେ ଲାଗିଛି । ବାଂଲାଦେଶ ବିପକ୍ଷରେ ଭାରତ ଆଜି ଖରାପ ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ୍‌ ଦମଦାର ଆରମ୍ଭ କରିଥିବା ବେଳେ ବାକି ଖେଳାଳି ପ୍ରାୟତଃ ଫେଲ ମାରିଛନ୍ତି । ଅଭିଷେକ ଶର୍ମାଙ୍କ ବିଂଧ୍ଵସୀ ଇନିଂସ ସତ୍ତ୍ଵେ ନିରାଶ କଲେ ଭାରତୀୟ ବ୍ୟାଟର।  ଦଳ ୧୮୦ ସ୍କୋର ବି କରି ପାରିନି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୬୮ ରନରେ ଅଟକି ଯାଇଛି । ଅଭିଷେକ ଶର୍ମା ୩୭ ବଲରୁ ୭୫ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୮ ରନର ବେଶ ଉପଯୋଗୀ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୨୯ ରନ କରିଥିଲେ। ବାଂଲାଦେଶ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରହିଛି। ଏକଦା ୧୧ ଓଭରରେ ୧୧୧ ରନ କରିଥିବା ଭାରତ ମଧ୍ୟକ୍ରମରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଅବିଶଷ୍ଟ ୯  ଓଭରରେ ମାତ୍ର ୫୭ ରନ କରିଛି।

​​​​​​​ବାଂଲାଦେଶ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଆଜି ବାଂଲାଦେଶ ଖେଳାଳି ଦମଦାର ବୋଲିଂ କରିବା ସହ ଫିଲ୍ଡିଂ ମଧ୍ୟ କରିଛନ୍ତି । ରିସାଦ ହୁସେନ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି । ତଞ୍ଜିଦ ହୁସେନ, ମୁସ୍ତାଫିଜୁର ଓ ସୈଫୁଦିନ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଦମଦାର ଥିଲା। ଅଭିଷେକ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଓ ଗିଲ୍ ପାଓ୍ଵାର ପ୍ଲେରେ ୭୨ ରନ ଯୋଡ଼ି ବିଶାଳ ସ୍କୋର ମୂଳଦୁଆ ପକାଇଥିଲେ। ଗିଲ୍ ୧୯ ବଲରୁ ୨୯ ରନ କରିଥିଲେ। ଉପର ଅର୍ଡରରେ ବ୍ୟାଟିଂର ସୁଯୋଗ ପାଇଥିବା ଶିବମ ଦୁବେ ୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଅଭିଷେକ ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ। ତେବେ ୧୧୨ ରନ ସ୍କୋରରେ ଭାରତକୁ ବହୁତ ବଡ଼ ଝଟକା ଲାଗିଥିଲା। ରନ ଆଉଟ୍ ହୋଇଥିଲେ ଅଭିଷେକ । ସେ ୩୭ ବଲରୁ ୬ ଚୌକା ଓ ୭ ଛକା ସହ ୭୫ ରନର ଇନିଂସ ଖେଳିଥିଲେ। ହେଲେ ସେ ଦେଇଥିବା ଦମଦାର ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲା ଭାରତ।