ନୂଆଦିଲ୍ଲୀ, ୬।୧୧: ବାଂଲାଦେଶରେ ପିଆଜ ଦର ଆକାଶଛୁଆଁ ହୋଇଛି । ବଜାର ଦର ମାତ୍ର କିଛି ଦିନ ମଧ୍ୟରେ ଦ୍ୱିଗୁଣିତ ହୋଇଛି, ଯାହା ସାଧାରଣ ଗ୍ରାହକଙ୍କ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ବଜାର ଏବଂ ଚିଟାଗଙ୍ଗ, ରାଜଶାହୀ ଏବଂ ଖୁଲନା ଭଳି ଅନ୍ୟାନ୍ୟ ସହରଗୁଡ଼ିକରେ ପିଆଜ କିଲୋଗ୍ରାମ ପିଛା ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ପୂର୍ବରୁ, ଏହି ସମାନ ପିଆଜ ପ୍ରତି କିଲୋ ୬୦ ଟଙ୍କାରେ ମିଳୁଥିଲା । ଖୁଚୁରା ଦୋକାନୀମାନେ କହିଛନ୍ତି ଯେ, ସେମାନେ ପାଇକାରୀ ବଜାରରୁ ଅଧିକ ମୂଲ୍ୟ ପାଉଛନ୍ତି, ତେଣୁ ସେମାନେ ଅଧିକ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।
ଭାରତରୁ ପିଆଜ ଆସିବା ବନ୍ଦ, ଯୋଗାଣ ପ୍ରଭାବିତ:
ଏକ ରିପୋର୍ଟ ଅନୁଯାୟୀ, ଘରୋଇ ପିଆଜ ଷ୍ଟକ୍ ହ୍ରାସ ପାଇବାକୁ ବସିଛି ଏବଂ ଭାରତରୁ ବାଂଲାଦେଶକୁ ରପ୍ତାନୀ ବନ୍ଦ ହୋଇଯାଇଛି । ଭାରତ ସରକାର ଘରୋଇ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ପିଆଜ ରପ୍ତାନି ଉପରେ ରୋକ୍ ଲଗାଇଥିଲେ, ଯାହାର ସିଧାସଳଖ ପ୍ରଭାବ ବାଂଲାଦେଶ ବଜାର ଉପରେ ପଡ଼ିଥିଲା । ଚିଟାଗଙ୍ଗ ଏବଂ ରାଜଶାହୀର ଆମଦାନିକାରୀମାନେ କହିଛନ୍ତି ଯେ, ଭାରତରୁ ଆମଦାନି ପୁଣି ଆରମ୍ଭ ନହେବା ପର୍ଯ୍ୟନ୍ତ କିମ୍ବା ନୂଆ ଫସଲ ନ ଆସିବା ପର୍ଯ୍ୟନ୍ତ ଦର ଆହୁରି ବୃଦ୍ଧି ପାଇପାରେ । ବାଂଲାଦେଶର କଞ୍ଜ୍ୟୁମର ଆସୋସିଏସନ କହିଛି ଯେ, ଏହି ମୂଲ୍ୟ ବୃଦ୍ଧି ସମ୍ପୂର୍ଣ୍ଣ ଭାବରେ ଅନୁଚିତ୍ । ସଂଗଠନ ଅଭିଯୋଗ କରିଛି ଯେ, କିଛି ବ୍ୟବସାୟୀ କୃତ୍ରିମ ସଙ୍କଟ କିମ୍ବା କୃତ୍ରିମ ଅଭାବ ଅର୍ଥାତ୍ କଳାବଜାରୀ କରି ସୃଷ୍ଟି କରି ମୂଲ୍ୟ ବୃଦ୍ଧି କରୁଛନ୍ତି ।
ଫସଲ କାଟିବାରେ ବିଳମ୍ବ:
ଚଳିତ ବର୍ଷ, ଦେଶର କିଛି ସ୍ଥାନରେ ରବି ଋତୁର ପିଆଜ ଫସଲ ବିଳମ୍ବରେ ଅମଳ ହେଉଛି । ସାଧାରଣତଃ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଅମଳ କରାଯାଏ, କିନ୍ତୁ ଏଥର ଏହା ବିଳମ୍ବରେ ହେଉଛି । ଆମଦାନୀକାରୀ ଏବଂ ବ୍ୟବସାୟୀମାନଙ୍କ କହିବାନୁସାରେ, ଯଦି ସରକାର ତୁରନ୍ତ ଆମଦାନୀକୁ ଅନୁମତି ଦିଅନ୍ତି, ତେବେ ବଜାର କିଛି ଆଶ୍ୱସ୍ତି ପାଇପାରିବ ।