ଦିନ ଦ୍ୱିପ୍ରହରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ , ବନ୍ଧୁକ ମୁନରେ କର୍ମଚାରୀଙ୍କୁ ରଖିଲେ ବନ୍ଧକ

ଗୋପାଳଗଞ୍ଜ – ବିହାରର ଗୋପାଳଗଞ୍ଜରେ ଦିନ ଦ୍ୱିପ୍ରହରେ ବ୍ୟାଙ୍କ୍ ଲୁଟ୍। ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖି ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା। ଘଟଣାଟି ବୈକୁଣ୍ଠପୁର ଥାନା ଅଞ୍ଚଳର ରାଜାପଟ୍ଟି ବଜାରରେ ଘଟିଛି । ଲୁଟ୍ ପରେ ଲୁଟେରାମାନେ ଫାୟାରିଂ କରି ବାଇକରେ ଫେରାର ହୋଇ ଯାଇଛନ୍ତି ।
ଘଟଣାର ସୂଚନା ପାଇ ଏସପି ସ୍ୱର୍ଣ୍ଣ ପ୍ରଭାତ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ବ୍ୟାଙ୍କ୍ରେ ଲାଗିଥିବା ସିସିଟିଭିର ଯାଞ୍ଚ କରିବା ପରେ ପ୍ରତ୍ୟକ୍ଷଦର୍ଶୀ ଥିବା ବ୍ୟାଙ୍କ୍ କର୍ମୀଙ୍କୁ ପଚରାପଚରି କରିଛନ୍ତି । ଏସପି ପୂରା ମାମଲାରେ ସଦର ଏସଡିପିଓ ସଞ୍ଜିବ କୁମାରଙ୍କ ନେତୃତ୍ୱରେ ଏସଆଇଟିର ଗଠନ କରିଛନ୍ତି ।
ଗଠିତ ଏସଆଇଟି ଲୁଟେରାମାନଙ୍କ ତଲାସ ଜାରି ରଖିଛି। କୁହାଯାଉଛି କି ରାଜାପଟ୍ଟି ବଜାରରେ ୩ଟି ବାଇକ୍ରେ ଆସି ୬ଜଣ ଅପରାଧି ପହଞ୍ଚି ଥିଲେ ଏବଂ ଫାୟାରିଂ କରି ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କ୍କୁ ପଶିଥିଲେ । ବ୍ୟାଙ୍କ୍ରେ ଥିବା କର୍ମୀ ଓ ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଲୁଟ୍ କରିଥିଲେ । ଏସପି ଉକ୍ତ ମାମଲାରେ ସୂଚନା ଦେଇ କହିଛନ୍ତି ମୋୋଟ ୪ଲକ୍ଷ ୭୪ ହଜାର ଟଙ୍କା ଲୁଟ୍ ହୋଇଛି। ସିସିଟିଭିରୁ ଅପରାଧିଙ୍କୁ ଚିହ୍ନଟ କରି ପୁଲିସ ଗିରଫ କରିବାକୁ ତଲାସୀ ଅଭିଯାନ ଚଳେଇଛି ।