ନୂଆଦିଲ୍ଲୀ, ୧୧।୧୦: ସାରା ବିଶ୍ୱରେ ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ ! ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ୧ ବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ । ଫୁସ୍‌ଫୁସ୍‌ କର୍କଟରୁ ରକ୍ଷା ପାଇବ ଲକ୍ଷ ଲକ୍ଷ ଜୀବନ । ଏନେଇ ଲାନସେଟ୍‌ରେ ପ୍ରକାଶ ପାଇଛି ରିପୋର୍ଟ । ଲାନସେଟ୍‌ର ଏକ ସଦ୍ୟ ପ୍ରକାଶିତ ଅନୁଧ୍ୟାନ ଅନୁଯାୟୀ, ବିଗତ ତିନି ଦଶନ୍ଧି ଭିତରେ ବିଶ୍ୱରେ ଧୂମପାନ ଯୋଗୁଁ ସାଢ଼େ ୧୭ କୋଟି ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ତମାଖୁ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କଲେ ୨୦୯୫ ମସିହା ସୁଦ୍ଧା ଫୁସ୍‌ଫୁସ୍‌ କର୍କଟରୁ ୧୨ ଲକ୍ଷ ଜୀବନ ରକ୍ଷା କରାଯାଇପାରିବ । ସେହି ସମୟ ବେଳକୁ ଧୂମପାନ ହାର ପୁରୁଷଙ୍କଠାରେ ୨୧ ପ୍ରତିଶତ ଓ ମହିଳାଙ୍କର ୪ ପ୍ରତିଶତ କମିଯାଇଥିବ ବୋଲି ଆକଳନ କରାଯାଉଛି । 

ଆମେରିକାର ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟ ଅଧୀନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ମେଟ୍ରିକ୍‌ସ୍ ଆଣ୍ଡ୍‌ ଇଭାଲ୍ୟୁଏସନ୍‌ର ଗବେଷକମାନଙ୍କ କହିବାନୁସାରେ, ଧୂମପାନକୁ ସଂପୂର୍ଣ୍ଣ ବନ୍ଦ କରିବା ଲାଗି ତ୍ୱରିତ ପଦକ୍ଷେପ ନିଆଗଲେ ନଷ୍ଟ ହେବାକୁ ଥିବା ମୋଟ୍ ୮୭୬ ନିୟୁତ ବର୍ଷର ଜୀବନକୁ ରକ୍ଷା କରାଯାଇପାରିବ । କହିରଖୁ କି, ସମ୍ପ୍ରତି କୌଣସି ବି ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଷ ପରେ ଜନ୍ମ ନେଉଥିବା ବ୍ୟକ୍ତିବିଶେଷଙ୍କୁ ତମାଖୁ ବିକ୍ରି ନିଷେଧ ଭଳି ଆଇନ କାର୍ଯ୍ୟକାରୀ କରାଯାଇପାରିନାହିଁ । ଉଦାହରଣ ସ୍ୱରୂପ ନିଉଜିଲାଣ୍ଡରେ ୨୦୨୨ରେ ପାରିତ ଏକ ଆଇନ ଅନୁଯାୟୀ, ୨୦୦୯ ମସିହା ପରେ ଜନ୍ମ ଗ୍ରହଣ କରିଥିବା କିଶୋରମାନଙ୍କୁ ତମାଖୁ ବିକ୍ରି ନିଷେଧ କରାଯାଇଥିଲା । ମାତ୍ର, ଚଳିତ ବର୍ଷ ପ୍ରାରମ୍ଭରେ ସେହି କଟକଣାକୁ ସରକାର ଉଠାଇ ନେଇଛନ୍ତି । 

ଅନେକ ଦେଶରେ ଧୂମପାନ କଟକଣା ବଳବତ୍ତର ରହିଥିବା ସତ୍ତ୍ୱେ ଧୂମପାନ ହିଁ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଓ ମୃତ୍ୟୁ ପାଇଁ ଦାୟୀ ରହୁଛି । ଯଦିଓ ସାମ୍ପ୍ରତିକ ଦୃଶ୍ୟପଟ ଅନୁଯାୟୀ, ବିଶ୍ୱବ୍ୟାପୀ ଧୂମପାନ ପ୍ରଚଳନରେ ହ୍ରାସ ଜାରି ରହିବ, ତଥାପି ଧୂମପାନ ଯୋଗୁଁ ଭବିଷ୍ୟତରେ ଯଥେଷ୍ଟ ଆର୍ଥିକ ବୋଝ ସହିବାକୁ ହେବ । ତେବେ ୨୦୫୦ ମସିହା ସୁଦ୍ଧା ତମାଖୁ ବର୍ଜନ ଦ୍ୱାରା ଜନ୍ମ ସମୟରେ ଆଶାତୀତ ଆୟୁ ଲାଭ ସମ୍ଭବ ହେବ ବୋଲି ଗବେଷକମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।