କଟକ,୦୭/୦୩: ଓଡ଼ିଶା ଅବକାରୀ (ସଂଶୋଧିତ) ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ମଦ ବାର୍ରେ ଝିଅଙ୍କ ନାଚିବା (ବାର୍ ଡ୍ୟାନ୍ସ) ଉପରେ ଲଗାଯାଇଥିବା କଟକଣାକୁ ବିରୋଧ କରି ରୁଜୁ ମାମଲାରେ ଗୁରୁବାର ରାଜ୍ୟ ସରକାର ଜବାବ ଦାଖଲ କରିନପାରି ଅଦାଲତଙ୍କଠାରୁ ସମୟ ଲୋଡ଼ିଥିଲେ । ଏହାକୁ ଆବେଦନକାରୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ପରେ ଉଭୟ ପକ୍ଷଙ୍କ ସହମତିକ୍ରମେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ୨୦ତାରିଖକୁ ଧାର୍ଯ୍ୟ କରିଛନ୍ତି । ସହମତି ଅନୁସାରେ ରାଜ୍ୟ ସରକାର ଆସନ୍ତା ୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବେ । ୨୦ ତାରିଖ ପୂର୍ବରୁ ଏହି ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ରଖିବେ । ଭୁବନେଶ୍ୱରର ହୋଟେଲ୍ ଏକାମ୍ର ଠିପି ଖୋଲା ମଦ ବାର୍ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଥାଉ କି, ରାଜ୍ୟ ସରକାର ନିକଟରେ ରାଜ୍ୟ ଅବକାରୀ ନୀତିରେ ଏକ ସଂଶୋଧନ ଆଣି କୌଣସି ମଦ ବାର୍ରେ ୨୧ ବର୍ଷରୁ କମ୍ ବୟସର ଝିଅମାନେ ମ୍ୟୁଜିକାଲ ପ୍ରୋଗ୍ରାମ୍ରେ ଯୋଗଦେଇପାରିବେ ନାହିଁ । ଏପରିକି ବାର୍ରେ ଝିଅମାନଙ୍କ ନାଚିବା ଉପରେ ସ୍ପଷ୍ଟ ଭାବେ କଟକଣା ଜାରି କରାଯାଇଛି । ସେହିପରି ଯଦି କୌଣସି ବାର୍ରେ ୨୧ ବର୍ଷରୁ ଅଧିକ ବର୍ଷର ଝିଅ ମ୍ୟୁଜିକାଲ୍ କାର୍ଯ୍ୟକ୍ରମରେ ଭାଗନେବେ ସେଥିପାଇଁ ମଧ୍ୟ ପୁଲିସ୍ କମିସନର କେତେକ ସର୍ତ୍ତାବଳୀ ଧାର୍ଯ୍ୟ କରିବେ ବୋଲି କୁହାଯାଇଥିଲା । ଏସବୁକୁ ବିରୋଧ କରି ବାର୍ ଡ୍ୟାନ୍ସ ଉପରେ କଟକଣା ମାମଲାଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ମାମଲା ପରିଚାଳନା କରୁଛନ୍ତି ।