କଟକ,୨୯/୦୭(ବ୍ୟୁରୋ): ଶିକ୍ଷାନୁଷ୍ଠାନରେ କ୍ରୀଡ଼ାର ବିକାଶ ପାଇଁ ସରକାର ଜମି ଦେଲେ । ଖେଳ ପଡ଼ିଆ ହେଲେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ । ଖେଳକୁଦର ବିକାଶ ହେବ, ନୂଆ ପ୍ରତିଭା ବାହାରିବେ । କିନ୍ତୁ ହେଲା ସବୁ ଓଲଟା । ଖେଳପଡ଼ିଆକୁ ନେଇ ବ୍ୟବସାୟ ହେଲା । କୋଟି କୋଟି ଟଙ୍କା ରୋଜଗାର କଲେ କଲେଜ କର୍ତ୍ତୃପକ୍ଷ । ଏଭଳି ଏକ କାରସାଦିକୁ ନେଇ ବିବାଦ ଘେରକୁ ଆସିଛି କିଟ୍ ବିଶ୍ୱବିଦ୍ୟାଳୟ । ନିଜ ପଡ଼ିଆକୁ ବ୍ୟବହାର କରି କିଟ୍ ୨୦୧୮ ନଭେମ୍ବରରୁ ୨୦୧୯ ଏପ୍ରିଲ୍ ପର୍ଯ୍ୟନ୍ତ ବିସିସିଆଇ(ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଠାରୁ ୨କୋଟି ୫୭ଲକ୍ଷ ୧ହଜାର ୩୧୨ ଟଙ୍କା ନେଇଥିବା ସୂଚନା ମିଳିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)ର ନିଜସ୍ୱ ପଡ଼ିଆ ରହିଛି । ଏଭଳି ସ୍ଥିତିରେ ବିସିସିଆଇ କିଟ୍ ବିଶ୍ୱବିଦ୍ୟାଳୟ ପଡ଼ିଆରେ କାହିଁକି କ୍ରିକେଟ ମ୍ୟାଚ୍ ଆୟୋଜନ କରୁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁଠି ବାରବାଟୀ ଷ୍ଟାଡିୟମ୍ରେ ଗତ ଦୁଇ ବର୍ଷ ଧରି ଗୋଟିଏ ବି ବହୁ ଦିବସୀୟ ବିସିସିଆଇ ମ୍ୟାଚ୍ ଖେଳାଯାଇନାହିଁ³ ସେଠି କିଟ୍ରେ ମାତ୍ରାଧିକ ମ୍ୟାଚ ଆୟୋଜନ କରାଯିବାର କାରଣ କ’ଣ ତାହା ରହସ୍ୟ ଘେରରେ ରହିଛି । ଆଶ୍ଚର୍ଯ୍ୟର କଥା³ କିଟ୍ ଏବେ ସୁଦ୍ଧା ଓସିଏ ଅନୁବନ୍ଧିତ ୟୁନିଟ୍ ଯୋଗ୍ୟତା ପାଇନାହିଁ । ଏବେ ସୁଦ୍ଧା କିଟ୍କୁ କେବଳ ‘ପ୍ଲେଇଂ ରାଇଟ୍ସ’ ଦିଆଯାଇଛି । ଏହାର ଅର୍ଥ ହେଲା ଓସିଏର ଘରୋଇ କ୍ରିକେଟ ମ୍ୟାଚରେ କିଟ୍ ଟିମ୍ କେବଳ ଖେଳିବାର ଅନୁମତି ପାଇଛି । କିନ୍ତୁ କିଟ୍ ଖେଳିବା ସହିତ ଖେଳ ପଡିଆକୁ ନେଇ ବ୍ୟବସାୟ କରି କୋଟି କୋଟି ଟଙ୍କା ଲାଭ ଉଠାଉଛି । କେବଳ ଓସିଏର ନୁହେଁ, ସିକିମ୍ କ୍ରିକେଟ ସଂଘ ସହିତ ଚୁକ୍ତି ସ୍ୱାକ୍ଷର କରିଛି କିଟ୍ । ଆସନ୍ତା ସିଜିନ୍ରେ ସିକିମ୍ର ହୋମ୍ ଭେନ୍ୟୁ ହୋଇ ତା’ର ସମସ୍ତ ଘରୋଇ କ୍ରିକେଟ ମ୍ୟାଚ ଆୟୋଜନ କରିବାକୁ କିଟ୍ ପ୍ରସ୍ତୁତ ହେଉଛି ।

ମିଳିଥିବା ସୂଚନା ମୁତାବକ, ଗତ ସିଜିନ୍ରେ କିଟ୍ ପଡ଼ିଆରେ ବିସିସିଆଇର ୧୯ବର୍ଷରୁ କମ୍, ରଣଜୀ ଟ୍ରଫି,ଜାତୀୟ ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । କିଟ୍ ବିଶ୍ୱବିଦ୍ୟାଳୟ ଖେଳାଳିଙ୍କ ରହିବା, ଖାଇବା ବ୍ୟବସ୍ଥା ବି ଯୋଗାଇଥିଲା । ଏବାବଦରେ ୨୦୧୮ ନଭେମ୍ବର ୧୯ତାରିଖରୁ ୨୦୧୯ ଏପ୍ରିଲ୍ ୧୨ ତାରିଖ ପର୍ଯ୍ୟନ୍ତ କିଟ୍କୁ ଗ୍ରାଉଣ୍ଡ, ଖେଳାଳିଙ୍କ ରହଣି ବ୍ୟବସ୍ଥା, କ୍ୟାଟେରିଂ, ମିନେରାଲ୍ ୱାଟର୍ ପାଇଁ ୫୭ଲକ୍ଷ ୫୧ହଜାର ୧୬୪ଟଙ୍କା, ସିନିୟର ମହିଳା ଏକଦିବସୀୟ ମ୍ୟାଚ ପାଇଁ ୪୯ଲକ୍ଷ ୯୦ହଜାର ୬୫ଟଙ୍କା, ଅନ୍ୟ ଟିମ୍ ମାନଙ୍କ ରହିବା ପାଇଁ ୧କୋଟି ୩୧ଲକ୍ଷ ୫୨ହଜାର ୩୫୭ଟଙ୍କା ଏବଂ ସିକିମ୍ ଟିମ୍ର ରହିବା, ଖାଦ୍ୟପେୟ ବାବଦରେ ୨୫ଲକ୍ଷ ୭ହଜାର ୭୨୬ ଟଙ୍କା ମିଳିଛି । ଅନ୍ୟପକ୍ଷରେ ଯଦି ବାରବାଟୀ ଷ୍ଟାଡିୟମ୍ ଉପରେ ନଜର ପକାଯାଏ ତେବେ ଗତ ଦୁଇବର୍ଷ ଧରି ଏଠାରେ କୌଣସି ଗୋଟିଏ ବି ବିସିସିଆଇର ବହୁ ଦିବସୀୟ ମ୍ୟାଚ୍ କରାଯାଇନାହିଁ । କେବଳ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦କୁ ଛାଡି ଅନ୍ୟ କୌଣସି ମ୍ୟାଚ ବାରବାଟୀରେ ହୋଇନାହିଁ । ତେବେ ଏହା ପଛରେ ବି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି ତାହା ଚର୍ଚ୍ଚା ସୃଷ୍ଟି କରିଛି ।
ଟି-୨୦ କ୍ରିକେଟ ଉପଯୋଗୀ ପିଚ୍ ଏବଂ କଲର୍ ଡ୍ରେସ୍ କୋଡ୍ ପାଇଁ ବାରବାଟୀ ଷ୍ଟାଡିୟମ୍ ଏକମାତ୍ର ଭେନ୍ୟୁ । ତେଣୁ ଏଠାରେ ମ୍ୟାଚ୍ କରିବାକୁ ବାଧ୍ୟ ଥିଲା ଓସିଏ । କିନ୍ତୁ ୧୯ବର୍ଷରୁ କମ୍, ମହିଳା କ୍ରିକେଟ, ରଣଜୀ କ୍ରିକେଟ ମ୍ୟାଚ ପାଇଁ ବାରବାଟୀକୁ ବ୍ୟବହାର କରାଗଲାନାହିଁ
ଏଠାରେ ସୂଚନା ଦେବା ଜରୁରୀ ଯେ, ବିସିସିଆଇ ଘରୋଇ ମ୍ୟାଚ୍ ଆୟୋଜନ ସମୟରେ ସବୁବେଳେ ରାଜ୍ୟ ସଂଘର ମୁଖ୍ୟ ଭେନ୍ୟୁ ବା ନିଜସ୍ୱ ପଡିଆକୁ ପ୍ରାଥମିକତା ଦେଇଆସିଥାଏ । କିନ୍ତୁ ବାରବାଟୀ ଷ୍ଟାଡିୟମ୍ ଥାଉଥାଉ କିଟ୍ ପଡିଆରେ ସବୁ ମ୍ୟାଚ୍ କିଭଳି ଖେଳା ଯାଉଛି ତାହା ସନ୍ଦେହଜନକ ପରିସ୍ଥିତି ସୃଷ୍ଟି କରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା କିଟ୍ ଏବେ ସୁଦ୍ଧା ଓସିଏର ଅନୁବନ୍ଧିତ ୟୁନିଟ୍ ମାନ୍ୟତା ପାଇନାହିଁ । ଅନୁବନ୍ଧିତ ୟୁନିଟ୍ ନହୋଇ ବି କିଟ୍ ପ୍ରତି ଓସିଏର ଏତେ ଦରଦ କ’ଣ ହୋଇପାରେ ସେ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏବେ ନୂଆ ସମ୍ବିଧାନରେ କିଟ୍କୁ ଅନୁବନ୍ଧିତ ୟୁନିଟ୍ ମାନ୍ୟତା ଦେବାକୁ ଜୋର୍ଦାର ଉଦ୍ୟମ ଚାଲିଛି । ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ମଧ୍ୟ ହୋଇଛି । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ପଡିଆକୁ ନେଇ ବ୍ୟବସାୟ କରିବାକୁ କ୍ରୀଡ଼ା ମହଲରେ ନିନ୍ଦା କରାଯାଉଛି । ପଡିଆ ଭିତ୍ତିଭୂମିକୁ ପ୍ରତିଭା ବିକାଶରେ ବ୍ୟବହାର ନକରି ବ୍ୟବସାୟରେ ଲଗାଇବାକୁ କ୍ରୀଡ଼ାପ୍ରେମୀ ମହଲରେ ନାପସନ୍ଦ କରାଯାଇଛି ।