ଲର୍ଡସ୍‌: ଭାରତର ଘାତକ ବୋଲିଂ ଆଗରେ ଇଂଲଣ୍ଡ ଦଳ ଆତ୍ମସମର୍ପଣ କରିଛି । ଦ୍ୱିତୀୟ ଇନିଂସରେ ୧୯୨ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ ।  ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତକୁ ଲର୍ଡସ୍ ଟେଷ୍ଟ ଜିତିବା ପାଇଁ ୧୯୩ ରନ୍ କରିବାକୁ ପଡିବ। ଏହି ଇନିଂସରେ ୱାଶିଂଟନ୍ ସୁନ୍ଦର ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ୨-୨ ୱିକେଟ ନେଇଥିବା ବେଳେନୀତିଶ ରେଡ୍ଡୀ ଏବଂ ଆକାଶଦୀପ ୧-୧ ୱିକେଟ ନେଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜଣେ ବି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଜୋ ରୁଟ୍ ସର୍ବାଧିକ ୪୦ ରନ କରିଥିବା ବେଳେ ବେନ ଷ୍ଟୋକ୍ସ ୩୩ ରନ କରିଛନ୍ତି। 

ତୃତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଚତୁର୍ଥ ଦିନରେ ଦଳ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ବେନ ଡକେଟ୍(୧୨ ରନ) ଓ ଓଲି ପୋପ(୪)ଙ୍କୁ ଆଉଟ୍ କରି ମହମ୍ମଦ ସିରାଜ ଭାରତକୁ ଡବଲ ସଫଳତା ଦେଇଥିଲେ।  ନୀତିଶ ରେଡ୍ଡୀ ଜ୍ୟାକ କ୍ରାଉଲି(୨୨)ଙ୍କୁ ଜୟସ୍ଵାଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ଦ୍ରୁତ ବ୍ୟାଟିଂ କରୁଥିବା ହ୍ୟାରି ବ୍ରୁକ(୨୩ ରନ) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ୮୭ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା ଇଂଲଣ୍ଡ ଇନିଂସକୁ ସମ୍ଭାଳିଥିଲେ ଜୋ ରୁଟ୍ ଓ ବେନ ଷ୍ଟୋକ୍ସ। ଉଭୟ ସତର୍କତାର ସହ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୬୭ ରନ ଯୋଡ଼ିଥିଲେ। 

୧୫୪ ରନ ସ୍କୋରରେ ଜୋ ରୁଟଙ୍କୁ ବୋଲ୍ଡ କରିଥିଲେ ଓ୍ଵାଶିଂଟନ ସୁନ୍ଦର । ନିମ୍ନକ୍ରମରେ ପୁଣି ବ୍ୟାଟିଂ  ବିପର୍ଯ୍ୟୟ ଭୋଗିଥିଲା ଘରୋଇ ଦଳ। ଜେମି ସ୍ମିଥ(୮)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଓ୍ଵାଶିଂଟନ ସୁନ୍ଦର। କ୍ରିଜରେ ଜମି ରହିଥିବା ଅଧିନାୟକ ବେନ ଷ୍ଟୋକ୍ସ(୩୩ ରନ)ଙ୍କୁ ବୋଲ୍ଡ କରି ତୃତୀୟ ସଫଳତା ପାଇଥିଲେ ସୁନ୍ଦର। ବ୍ରାଇଡନ କାର୍ସ(୧) ଓ କ୍ରିସ ଓ୍ଵକ୍ସ(୧୦ ରନ)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ବୁମରା। ଶେଷରେ ଶୋଏବ ବସିର(୨ ରନ)ଙ୍କ ଆଉଟ୍ ସହ ଇଂଲଣ୍ଡର ଇନିଂସ ୧୯୨ ରନରେ ଅନ୍ତ ଘଟିଛି।   ଆଉ ଭାରତ ସମ୍ମୁଖରେ ରହିଛି ୧୯୩ ରନର ବିଜୟ ଲକ୍ଷ୍ୟ।