ଭୁବନେଶ୍ଵର, ୨୨/୦୭ (ସ୍ମୃତିରଞ୍ଜନ ବିଶ୍ୱାଳ) : ମୁହଁ ମାଡ଼ି ପଡ଼ିଛି, ଉଧେଇ ପାରୁନି । ତିନି ବର୍ଷ ତଳେ ଆରମ୍ଭ ହୋଇଥିଲା ଏକାମ୍ର ପ୍ରକଳ୍ପ । ତା’ ସାଙ୍ଗରେ ଆରମ୍ଭ ହୋଇଥିବା ପୁରୀ ପରିକ୍ରମା ପ୍ରକଳ୍ପ ଝଲସିଲାଣି । ଲାଗୁଛି ଯେମିତି, ଅଧାରେ ଅଟକିଯିବ । ୨୦୨୧-୨୨ ବେଳକୁ ଆରମ୍ଭ ହୋଇଥିଲା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ୨୦୨୩ ଜୁଲାଇ ମାସରେ ପୁରୁଣା ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ଏକାମ୍ର ପ୍ରକଳ୍ପ । ଲିଙ୍ଗରାଜ ମନ୍ଦିର ଓ ଆଖପାଖ ପ୍ରାଚୀନ ମନ୍ଦିର, ମଠର ପୁନରୁଦ୍ଧାର ଓ ପାରିପାର୍ଶ୍ୱିକ ବିକାଶ ପାଇଁ ଏକାମ୍ର ପ୍ରକଳ୍ପରେ ବିରାଟ ଯୋଜନା ହେଲା । ଆଗ ପଛ ହୋଇ ଶ୍ରୀଜଗନ୍ନାଥ ଓ ଏକାମ୍ର କ୍ଷେତ୍ରର ଦୁଇ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ନିଅଁ ପଡ଼ିଲା । ପରିକ୍ରମା ପ୍ରକଳ୍ପ ସରିଗଲା, ହେଲେ ଏକାମ୍ର ପ୍ରକଳ୍ପ ସ୍ୱପ୍ନ ଝୁଲୁଛି । ତିନି ବର୍ଷ ତଳେ ଯେଉଁଠି ଥିଲା, ଏବେ ବି ସେଇଠି ମୁହଁ ମାଡ଼ି ପଡ଼ିଛି । କ୍ଷୋଭର କଥା, ଯେଉଁ ପ୍ରକଳ୍ପଗୁଡ଼ିକ ମୁଖ୍ୟ ଆକର୍ଷଣ ସାଜିଥାଆନ୍ତା, ତାକୁ ଏବେ ବନ୍ଦ କରିବାକୁ ଆପାତତଃ ନିଷ୍ପତ୍ତି ସରିଛି । ପ୍ରସ୍ତାବିତ ୯ଟି ପ୍ରକଳ୍ପରୁ ୫ଟି ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି । ଜମି ଅଧିଗ୍ରହଣ ଆଳ ଦେଖାଇ ଏହି ସବୁ ପ୍ରକଳ୍ପକୁ ବନ୍ଦ କରିଛନ୍ତି । 

ପୂର୍ବ ସରକାର ସମୟରେ କାମ ଯେମିତି ଧିମେଇଥିଲା ସରକାର ବଦଳିଲା ପରେ ବି ସମାନ ସ୍ଥିତି । ତାଳେଶ୍ୱର ଛକରୁ ମ୍ୟୁନିସିପାଲିଟି ମାର୍କେଟ କମ୍ପେ୍ଲକ୍ସ ଓ ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାକୁ ଚାଲିଥିବା ରାସ୍ତା କାମ ଅଧାପନ୍ତରିଆ । ପ୍ରକଳ୍ପର ମୁଖ୍ୟ ଆକର୍ଷଣ ଥିଲା, ବିନ୍ଦୁସାଗର ରିଭାଇଭାଲ ପ୍ଲାନ୍‌ ବା ବିନ୍ଦୁସାଗର ପୁନରୁଦ୍ଧାର ଯୋଜନା । ବିନ୍ଦୁସାଗର ଚାରିପାଖରେ ପରିକ୍ରମା ମାର୍ଗ ସହ ଏକାମ୍ରବନ ଭଳି ବିସ୍ତୃତ ଅଞ୍ଚଳରେ ଲ୍ୟାଣ୍ଡସ୍କେପିଂ ହୋଇଥାଆନ୍ତା । ବିନ୍ଦୁସାଗର କୂଳରେ ରିଚୁଆଲ ପ୍ଲାଜା ବା ନୀତିକାନ୍ତି ସୁବିଧା କରିବାକୁ ଯୋଜନା ଥିଲା । ପୁଣି ପାପନାଶିନୀ କୁଣ୍ଡ, ଗୋଦାବରୀ, ଦେବୀ ପାଦହରା, କୋଟିତୀର୍ଥ, ଗଙ୍ଗା ଯମୁନା କୁଣ୍ଡର ପୁନରୁଦ୍ଧାର ପ୍ରକଳ୍ପ ଆଗେଇ ଥାଆନ୍ତା । କିନ୍ତୁ ଏ ସବୁ ବନ୍ଦ କରିଦେଲେ । ଦଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା କାମ ସାରି ଦେଇଛୁ ବୋଲି ପୂର୍ତ୍ତ ବିଭାଗ କହି ଆସୁଥିଲା । ହେଲେ ମନ୍ଦିରର ପ୍ରବେଶ କରିଡରକୁ ଦେଖି ଶୈବ ଭକ୍ତମାନେ ଚକିତ ହେଉଛନ୍ତି । ମନ୍ଦିର ସମ୍ମୁଖ ଭାଗକୁ ଆଧ୍ୟାତ୍ମିକତା ଭରା ସୌନ୍ଦର୍ଯ୍ୟରେ ଝଲସାଇବାକୁ ରଙ୍ଗୀନ ଚିତ୍ର ଦେଖାଇଥିଲେ । ହେଲେ ଏବେକାର ସ୍ଥିତି ଅତି ଦୟନୀୟ । ଯେଉଁ ବ୍ୟାରିକେଡ୍‌ ଓ ଅର୍ଣ୍ଣାମେଣ୍ଟାଲ ଟ୍ରି ଲାଗିଥିଲା, ସେ ସବୁ ଭାଙ୍ଗିରୁଜି ଗଲାଣି । ପେଭର ବ୍ଲକ୍‌ ତାଡ଼ି ହୋଇ ଖାଲ ହେଲାଣି । ଅନନ୍ତ ବାସୁଦେବ ମନ୍ଦିର ହେଉ କି ସପ୍ତଋଷି ମନ୍ଦିର, କପାଳୀ ମଠ, ଉତ୍ତର ଦ୍ୱାର ପାର୍ଶ୍ୱରେ ଥିବା ପ୍ରାଚୀନ କୂଅ, ସବୁ କିଛି ପୂର୍ବ ଭଳି ଅବହେଳିତ ହୋଇପଡ଼ିଛି । ପୂରା ପ୍ରକଳ୍ପ ପାଇଁ ପ୍ରାୟ ୮୦ ଏକର ଜାଗା ଆବଶ୍ୟକ ଥିଲା । କିନ୍ତୁ ଜମି ଅଧିଗ୍ରହଣରେ ପ୍ରଶାସନ ପୂରା ଫେଲ୍‌ ମାରିଛି । ଜମି ଅଭାବରୁ ପ୍ରକଳ୍ପର ଡିଜାଇନ୍‌ ବାରମ୍ବାର ବଦଳିଛି । ତଥାପି ସଂଶୋଧିତ ଡିଜାଇନ୍‌କୁ ନେଇ କାମ ଆଗଉନି । ଯେତିକି ଯୋଜନା ଥିଲା, ତାକୁ କରିବାକୁ ସରକାର ପଛଘୁଞ୍ଚା ଦେଲେଣି । 

ପୂର୍ବ ଟେଣ୍ଡରକୁ ବାତିଲ କରି ୯ଟି ବଦଳରେ ମାତ୍ର ୪ଟି ପ୍ରକଳ୍ପ ପାଇଁ ନିକଟରେ ସାନି ଟେଣ୍ଡର କରିଥିଲେ । ଏବେ ଭଜନ ମଣ୍ଡପ ପ୍ଲାଜା, ସାନିଟାରିୟମ୍‌ ଛକ ପାଖରେ ପାର୍କିଂ ସ୍ଥାନ(ନର୍ଥ ପାର୍କିଂ), ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ଅବସର ବିନୋଦନ ଓ ତାଳେଶ୍ୱର ଛକରୁ ମୁଖ୍ୟ ଡ୍ରେନ୍‌ ଉପର ଦେଇ ମ୍ୟୁନିସିପାଲିଟି ମାର୍କେଟ ଯାଏ ରାସ୍ତା ପ୍ରଶସ୍ତୀକରଣ କାମ ହେବ । ବାକି ସବୁ କାମ ବନ୍ଦ । ଆଉଟର ଆକସେସ୍‌ ରୋଡ୍‌ ଡେଭଲପମେଣ୍ଟରେ ବିନ୍ଦୁସାଗର ଚାରି ପାଖରେ ପ୍ରଶସ୍ତ ରାସ୍ତା ପାଇଁ ଯୋଜନା ଥିଲା । କିନ୍ତୁ ଏହା ହୋଇ ପାରିଲାନି । ଯଦିଓ ଏ ପ୍ରକଳ୍ପ ବନ୍ଦ ହୋଇନି, କିନ୍ତୁ ରାସ୍ତା କାମ ଲମ୍ବୁଛି । ଗୋସାଗରେଶ୍ୱର ଛକରୁ ଅସୁର କିଆରୀ ହୋଇ ସାନିଟାରିୟମ୍‌ ଛକକୁ ନୂଆ ରାସ୍ତା ସରି ପାରୁନି । ପାର୍କିଂ ପ୍ରକଳ୍ପରେ କେବଳ ନର୍ଥ ପାର୍କିଂ ପ୍ରକଳ୍ପ କାମ ହେବ । ବାକି ୩ଟି ପାର୍କିଂ ପ୍ରକଳ୍ପର ଟେଣ୍ଡର ବାତିଲ ହୋଇଛି । ଲିଙ୍ଗରାଜ ଐତିହ୍ୟ କମ୍ପେ୍ଲକ୍ସ ପ୍ରକଳ୍ପ, ଐତିହ୍ୟ ଇ-ଅଟୋ ପ୍ରକଳ୍ପ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ ଏବେ ପାଇଁ ବାତିଲ ହୋଇଯାଇଛି । ମୋଟ ୨୮୬ କୋଟି ଟଙ୍କାରେ ଏକାମ୍ରକ୍ଷେତ୍ର ଆମେନଟିଜ୍‌ ଆଣ୍ଡ୍‌ ମନୁମେଣ୍ଟସ୍‌ ରିଭାଇଭାଲ ଆକ୍ସନପ୍ଲାନ(ଏକାମ୍ର ପ୍ରକଳ୍ପ) କାର୍ଯ୍ୟକାରୀ ପାଇଁ ଯୋଜନା ଥିଲା । ୨୦୨୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ପ୍ରକଳ୍ପ କାମ ସରିବ । ଏଭଳି ଲକ୍ଷ୍ୟ ନେଇ ବହୁ ଆଡ଼ମ୍ବରରେ ପ୍ରକଳ୍ପ କାମ ଆରମ୍ଭ ହେଲା । ବିପି କନଷ୍ଟ୍ରକସନ୍‌ ଟେଣ୍ଡର ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୫୦ କୋଟିର ପ୍ରକଳ୍ପ କାମ ପାଇଁ କାର୍ଯ୍ୟାଦେଶ ଦିଆଗଲା । କିନ୍ତୁ କେଉଁଠି ଜମି ଅଧିଗ୍ରହଣରେ ସମସ୍ୟା ତ’ ଆଉ କେଉଁଠି ଏନଏମ୍‌ଏ(ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ) ପକ୍ଷରୁ ଏନ୍‌ଓସି ମିଳିବାରେ ସମସ୍ୟା ପାଇଁ ଆରମ୍ଭରୁ ପ୍ରକଳ୍ପ କାମ ଝୁଣ୍ଟିଥିଲା । ପରେ ଏନ୍‌ଓସି ମିଳିଲା ସତ, କିନ୍ତୁ କାମ ଆଗେଇଲାନି । 

ଏକାମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ପାଇଁ କିଛି କାମ ଅଟକି ରହିଥିଲା । ଯେଉଁଠି ଜମି ଅଧିଗ୍ରହଣ ସରିଛି ସେଠାରେ ପ୍ରସ୍ତାବିତ ପ୍ରକଳ୍ପ ହେବ । ପୁରଣା ଏଜେନ୍ସି କାମ ବିଳମ୍ବ କରୁଥିଲା । ତାକୁ ବଦଳାଇ ନୂଆ ଏଜେନ୍ସିକୁ କାମ ଦିଆଯାଇଛି । ୨୦୨୭ ଜାନୁୟାରୀ ମାସ ସୁଦ୍ଧା ପ୍ରକଳ୍ପର ସିଂହଭାଗ କାମ ସାରିବୁ । ଆମ ସରକାର ଏକାମ୍ର ପ୍ରକଳ୍ପର ରୂପରେଖ ବଢ଼ାଇଛି । ଓବିସିସିର ବରିଷ୍ଠ ଅଧିକାରୀ ସଫେଇ ରଖି କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ପାଇଁ ପ୍ରକଳ୍ପ କାମ ଆଗଉନଥିଲା । ଏଥିପାଇଁ କାମ ବିଳମ୍ବିତ ହେଉଥିଲା । ପୁରୁଣା ଟେଣ୍ଡରକୁ ବାତିଲ କରି ଯେଉଁ ପ୍ରକଳ୍ପ ପାଇଁ ଜମି ଅଛି, ସେଠି ସାନି ଟେଣ୍ଡର କରି ଦୁଇ ମାସ ତଳୁ କାମ ଆରମ୍ଭ କରିଛୁ । ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା କାମ ସରିଯାଇଛି । ବିନ୍ଦୁସାଗର ରିଭାଇଭାଲ ପ୍ଲାନ୍‌ରେ ବିନ୍ଦୁସାଗର ପରିକ୍ରମା ପ୍ରକଳ୍ପ ହେବ । ଏଥିପାଇଁ ସାନି ଡିପିଆର ହେବ । କୌଣସି ପ୍ରକଳ୍ପ ବନ୍ଦ ହୋଇନି । ଜମି ମିଳିବା ପରେ ଡିଜାଇନରେ ଆବଶ୍ୟକ ପରିବର୍ତ୍ତନ କରି ଆଉ ଥରେ ଟେଣ୍ଡର କରାଯିବ ।

ଆହୁରି ପଢନ୍ତୁ- Textbook error : ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମ୍‌ବ୍ରାଞ୍ଚକୁ ବଡ଼ ସୁରାକ୍‌, ୨ ପ୍ରିଣ୍ଟିଂ ପ୍ରେସ୍‌ ମାଲିକ ରାଜ୍ୟ ପାର୍‌

ଗ୍ଳୋବାଲ ଓ୍ବାର୍ମିଂ ଯୋଗୁ ବଢ଼ିବାରେ ଲାଗିଛି ସମୁଦ୍ରର ଜଳସ୍ଥର| ୨୦୫୦ ବେଳକୁ ସ୍ଥିତି ହେବ ଭୟଙ୍କର​​​​​​​