ଭୁବନେଶ୍ୱର ୨୮/୦୨: ଧଳା ପ୍ୟାଣ୍ଟକୁ ଫୁଲ ହାତ ସ୍ୱେଟର । ଆଖିରେ ରଙ୍ଗୀନ ଚଷମା । ଯେବେ ସେ ଅଣ୍ଟା ଭାଙ୍ଗି ନାଚୁଥିଲେ, ଝୁମୁଥିଲା ସାରା ଓଡ଼ିଶା । ରଜନୀଗନ୍ଧାର ଧୂନ୍‌ରୁ ନେଇ ଏଇ ଯେ ବନଲତା ପାହାଡ଼ ଯାଏଁ ସିନେପ୍ରେମୀଙ୍କୁ କିମିଆ କରିଥିଲେ ଉତ୍ତମ । ରୂପେଲି ପରଦାରେ ଉତ୍ତମ ଆସିଲେ, ଭରି ଯାଉଥିଲା ପ୍ରେମ ରସ । ଯୁବପିଢ଼ିଙ୍କ ହୃଦୟରେ ସେ ଥିଲେ ପ୍ରଥମ ରୋମାନ୍ସ କିଙ୍ଗ୍‌ । ତାଙ୍କ ଡାଇଲଗରେ ବର୍ଷୁଥିଲା ତାଳି । ତାଙ୍କ ଫାଇଟ୍‌ରେ ଉଡ଼ୁଥିଲା ଧୂଳି । କେବେ ସେ ସାଲବେଗ ହୋଇ କନ୍ଦାଇଥିଲେ, ପୁଣି କେବେ ଦଣ୍ଡାବାଳୁଙ୍ଗା ସାଜି ହସାଇ ଥିଲେ । ଦାଦାଗିରି ଦେଖାଇ ମୂଲକ ମାଗିଥିଲେ । ଅଭିମାନରୁ ବିଦ୍ୟାରାଣ ଯାଏ ଉଜ୍ଜ୍ୱଳ ଉତ୍ତମ ଥିଲେ ସର୍ବୋତ୍ତମ । ବିଦାୟ ମହାନାୟକ ।

ବାରିପଦାରେ ବାବୁସାହେବ୍‌ ଭାବରେ ପରିଚିତ ଉତ୍ତମ ମହାନ୍ତିଙ୍କ ପିଲାଦିନ ଭଲରେ କଟିଥିଲା । ସବୁରେ ସାଧନା ଓ ଅଧ୍ୟବସାୟ ତାଙ୍କର ଆଗ ଥିଲା । ସେ ଯେମିତି ଖେଳୁଥିଲେ, ସେମିତି ପଢ଼ୁଥିଲେ । ସେତେବେଳେ ସିନେମାରେ ପଶିବାର ସୂଚନା ହିଁ ନଥିଲା । ଏମ୍‌କେସି ହାଇସ୍କୁଲ୍‌ରେ ୧୦ମ ପାସ୍‌ ପରେ ବିଜ୍ଞାନ ଛାତ୍ର ଭାବରେ ବାରିପଦା ଏମ୍‌ପିସି କଲେଜ ଯାଇଥିଲେ । କଲେଜରେ ଗୀତ ଗାଇବା, ଅଭିନୟ କରିବା ପ୍ରତି ଦୁର୍ବଳତା ଥିଲା । ଏହା ସହ କଲେଜରେ ବ୍ୟାଡ୍‌ମିଣ୍ଟନ୍‌ ଓ ଟେବୁଲ୍‌ ଟେନିସ୍‌ ଖେଳୁଥିଲେ । କମର୍ସରେ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଚାଲି ଯାଇଥିଲେ । ତାଙ୍କର ବଡ଼ ଭାଇ ଅରୁଣ କୁମାର ମହାନ୍ତି ସେତେବେଳେ କୋଲକାତାରେ ରହୁଥିଲେ । ସେହି କାରଣରୁ ସେ ଆସି ତାଙ୍କ ବଡ଼ ଭାଇଙ୍କ ପାଖରେ ରହିଥିଲେ । ସିନେମାରେ କ୍ୟାରିୟର୍‌ କରିବେ ବୋଲି କେବେ ବି ଭାବି ନଥିଲେ । ଏମିତି କି ସିନେମାକୁ ନେଇ ତାଙ୍କ ଜୀବନରେ କିଛି ଯୋଜନା ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ହେଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ହିରୋ ।